ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ବୃଦ୍ଧିର ପ୍ରତ୍ୟାହାର ଦାବିରେ ଓଡିଶା ବନ୍ଦ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧିର ପ୍ରତ୍ୟାହାର ଦାବିରେ ଜୁଲାଇ ୧୫ରେ ବିପ୍ଳବୀ କମ୍ୟୁନିଷ୍ଟ ଦଳର “ଓଡିଶା ବନ୍ଦ” ଡାକରାରେ ଆଜି ସିପିଆଇ ଏମଏଲ ରେଡ଼ ଷ୍ଟାର ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ପାର୍ଟି ରାଜ୍ୟ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି କ୍ରାଉନ ହୋଟେଲ ନିକଟ ଏନଏଚ ରାସ୍ତାକୁ ଦୀର୍ଘ ୨ ଘଣ୍ଟା ଧରି ସମସ୍ତ ଗାଡି ବନ୍ଦ କରାଯାଇଥିଲା । କେନ୍ଦ୍ରର ମୋଦି ନେତୄତ୍ଵାଧିନ ଆର୍ ଏସ୍ ଏସ୍ ଓ ବିଜେପି ସରକାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଲଗାତାର ମୂଲ୍ୟ ବୃଦ୍ଧି କରି ଦେଶବାସୀଙ୍କ ଉପରେ ଦର ବୃଦ୍ଧିର ବୋଝକୁ ଲଦି ଚାଲିଛନ୍ତି । ବିଶେଷ କରି କୃଷି, ଯାତ୍ରୀ ଓ ମାଲ୍ ପରିବହନରେ ପ୍ରମୁଖ ଇନ୍ଧନ ରୂପେ ପରିଚିତ ଡିଜେଲର ଦର ବୃଦ୍ଧି କୂଷିର ଉତ୍ପାଦନ ଖର୍ଚ୍ଚକୁ ବଢାଇବା ସହିତ ବଜାରର ପ୍ରାୟ ସମସ୍ତ ଜିନିଷକୁ ମହଙ୍ଗା କରିଦେଇଛି । ଫଳସ୍ୱରୂପ ଡାଲି, ଖାଇବା ତେଲ ଭଳି ପ୍ରତିଟି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ମଧ୍ୟ ଇତି ମଧ୍ୟରେ ଅହେତୁକ ଭାବେ ବୃଦ୍ଧି ଘଟିଛି । କରୋନା ମହାମାରୀ ଓ ଲକଡାଉନ୍ ଫଳରେ ସାଧାରଣ ଜନତା ନିଜର ରୋଜଗାର ଓ ବ୍ୟବସାୟ ହରାଇ ଅତ୍ୟନ୍ତ ଦୁର୍ଦ୍ଦଶାର ଶୀକାର ହୋଇଥିବା ବେଳେ ଦରବୃଦ୍ଧିର ଏହି ବୋଝ ସାଧାରଣ ମଣିଷର ଜୀବନକୁ ଦୁର୍ବିସହ କରିଦେଇଛି । ଦେଶରେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ନେଇ କେନ୍ଦ୍ରର ମୋଦି ସରକାର ଲଗାତାର ମିଛ କହି ନିଜର ଜନବିରୋଧି କାମକୁ ଲୁଚାଇବାକୁ ଚେଷ୍ଟା କରି ଆସିଛନ୍ତି । ନିଷ୍ପତ୍ତି ତ କେତେବେଳେ ରାଜକୋଷର ନିଅଣ୍ଟ ଭରଣା କଥା କହି ଦର ବଢେଇବାକୁ ଯଥାର୍ଥ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଦେଶରେ ଧନୀ ଲୋକଙ୍କ କାମରେ ଲାଗଥିବା ଉଡାଜାହାଜର ଇନ୍ଧନ ଦର ଲିଟର ପିଛା ବର୍ତ୍ତମାନ ଟ. ୬୧.୩୦ ରହିଛି । ଠିକ୍ ସେହିପରି ରାଜକୋଷର ନିଅଣ୍ଟକୁ ଭରଣା କରିବା ପାଇଁ ସରକାର ଆମେରିକା ଓ ଇଂଲଣ୍ଡ ପରି ଆମ ଦେଶର କର୍ପୋରେଟମାନଙ୍କ ଉପରେ ଟିକସକୁ ବଢେଇ ପାରିଥାନ୍ତେ । କିନ୍ତୁ ସେପରି ନକରି ସରକାର ଆମ ଦେଶର ସାଧାରଣ ଜନତାଙ୍କ ଉପରେ ଟିକସର ବୋଝକୁ ବଢାଇ ନିଜର ଆୟବୃଦ୍ଧି କରିବାକୁ ଚାହିଁଛନ୍ତି । ସେହିପରି ମାଗଣା କରୋନା ଟିକା ଦେବାର ଆଳ ଦେଖାଇ ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ଯେଉଁ ଯୁକ୍ତି ଦର୍ଶାଇଛନ୍ତି, ତାହା ବି ମିଛ ଅଟେ । ପ୍ରଥମ କଥା ହେଲା, ମାଗଣାରେ ଟିକାକରଣ କେବଳ ଭାରତରେ ହେଉନି, ବରଂ ବିଶ୍ଵର ସବୁ ଦେଶର ସରକାର ନିଜର ନାଗରିକମାନଙ୍କୁ ମାଗଣାରେ କରୋନା ଟିକା ଦେଉଛନ୍ତି । ସରକାର ଦେଶରେ ମାଗଣାରେ କରୋନା ଟିକାକରଣ ପାଇଁ ମାତ୍ର ୩୫,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ କେବଳ ଗତ ଆର୍ଥିକ ବର୍ଷରେ ହିଁ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବାବଦରେ ପ୍ରାୟ ତିନି ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ମୋଦି ନେତୃତ୍ଵାଧିନ ବିଜେପି ଓ ଆର୍ ଏସ୍ ଏସର ସରକାର ନିଜର ସାତ ବର୍ଷର ଶାସନକାଳରେ ଏ ବାବଦରେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କା ସାଧାରଣ ଜନତାଙ୍କ ଠାରୁ ନେଇଛନ୍ତି । ସେହିପରି ରନ୍ଧନ ଗ୍ୟାସ ଉପରେ ସରକାର କୌଣସି ଟିକସ ନେଉ ନଥିଲେ ମଧ୍ୟ ତା ଉପରେ ପୂର୍ବରୁ ଦିଆଯାଉଥିବା ସବସିଡିକୁ ଖତମ୍ କରିବା ଫଳରେ ତାର ଦର ଗତ କିଛି ବର୍ଷ ମଧ୍ୟରେ ଦୁଇ ଗୁଣ ହୋଇଯାଇଛି । ପେଟ୍ରୋଲ, ଡିଜେଲର ଦର ବୃଦ୍ଧି ସପକ୍ଷରେ ସରକାର ଯେତେଯାହା ଯୁକ୍ତି ବଢିଲେ ବି ପ୍ରକୃତ କଥା ହେଉଛି ବଡ଼ ବଡ଼ କର୍ପୋରେଟ୍ ସଂସ୍ଥାମାନଙ୍କ ଉପରୁ ବାରମ୍ବାର ଟିକସ ଛାଡ଼ ବା ରିହାତି ଦିଆଯାଉଛି । ଅନ୍ୟପଟେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କରୁ ଦେଶର କର୍ପୋରେଟ୍ କମ୍ପାନୀମାନେ ନେଇଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଆଉ ସୁଝୁ ନଥିବାରୁ କେନ୍ଦ୍ର ସରକାର ତାକୁ ଉଦ୍ଧାର କରିବା ପରିବର୍ତ୍ତେ ଜନଗଣଙ୍କ ଉପରେ ଟିକସ ଆଦାୟ କରି ଏହି ଅର୍ଥକୁ ଭରଣା କରୁଛନ୍ତି । ଆଜିର ରାସ୍ତା ରୋକରେ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସାଥି ରାଜେନ୍ଦ୍ର ପ୍ରସାଦ ବାରିକଙ୍କ ନେତୃତ୍ୱରେ ଦୁଇ ଘଣ୍ଟା ଧରି ରାସ୍ତା ରୋକ ହୋଇଥିଲା । ସିପିଆଇ ଏମ୍ ଏଲ ରେଡ଼ ଷ୍ଟାର ସାଥି ପ୍ରମିଳାଙ୍କ ସମେତ ରାଜ୍ୟ କମିଟି ସଦସ୍ୟ ହେନା ବାରିକ, ପଦ୍ମନାଭ ମାର୍ଥା, ପ୍ରତିମା ନାୟକ, ରାମଚନ୍ଦ୍ର ସାହୁ, ସରୋଜ ଦାଶ, ବିକ୍ରମ ସ୍ୱାଇଁ, ପଦ୍ମ ଲୋଚନ ପଣ୍ଡା, ଭରତ ବେହେରା, ବିଚିତ୍ର କୁମାର ପାତ୍ର, ନାରାୟଣ ଲେଙ୍କା, ଦିଲ୍ଲୀପ କୁମାର ସିଂ, ପୂଜା ଦାଶ ଆଦି ନେତୃତ୍ୱ ନେଇଥିଲେ, ୨୫ ଜଣ ସାଥୀଙ୍କୁ ପୋଲିସ ଗିରଫ କରି ୨ ଘଣ୍ଟା ଅଟକ ରଖି ଛାଡ଼ି ଦେଇଥିଲେ ବୋଲି ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା