ଦିଗପହଣ୍ଡିରେ ଶାନ୍ତିପୂର୍ଣ୍ଣ ଭାବେ ଓଡିଶା ବନ୍ଦ ପାଳନ କଲା କଂଗ୍ରେସ ଓ ବାମପନ୍ଥୀ ଦଳ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସହରରେ ୧୫ ଜୁଲାଇ ଓଡିଶା ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ, ବାମପନ୍ଥୀ ଦଳ ସମେତ ଆମ ଆଦମୀ ପାର୍ଟିର ମିଳିତ ସମର୍ଥନରେ ବନ୍ଦ ପାଳନ ହୋଇଛି । ଗୁରୁବାର ସକାଳୁ କଂଗ୍ରେସ ଓ ବାମପନ୍ଥୀ ଦଳର କର୍ମୀମାନେ ନେତାମାନଙ୍କ ସହିତ ଦିଗପହଣ୍ଡି ସହର ଦେଇ ଯାଇଥିବା ବ୍ରହ୍ମପୁର ରାୟଗଡା ମୁଖ୍ୟ ରାଜରାସ୍ତା ଅବରୋଧ କରିଛନ୍ତି । ଗଣ ଧାରଣା ଦେଇ ତୈଳ ଦର ବୃଦ୍ଧି ସାଙ୍ଗକୁ ଅନ୍ୟ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଖାଉଟି ଦ୍ରବ୍ୟର ଅହେତୁକ ଦରଦାମ ବୃଦ୍ଧିକୁ ପ୍ରତିବାଦ କରି କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ । ଆଜି ଓଡିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଦିଗପହଣ୍ଡିରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କିଛି ବ୍ୟବସାୟୀ ସ୍ୱତଃ ପ୍ରବୃତ୍ତ ଭାବେ ଦୋକାନ ବଜାର ବନ୍ଦ କରିଥିବା ବେଳେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଦିଗପହଣ୍ଡି ଥାନା ପୋଲିସ ସବୁଠାରେ ମୁତୟନ ରହି ସ୍ଥିତି ପରୀକ୍ଷଣ କରୁଥିବା ଦେଖିବାକୁ ମିଳିଛି । ଗୁରୁବାର ଏହି ଆନ୍ଦୋଳନକୁ ଶ୍ରମିକ ନେତା ଅଳକନାଥ ମିଶ୍ର, ପୂର୍ବତନ ନଗରପାଳ ପ୍ରଫୁଲ୍ଲ ପଣ୍ଡା, ଅଭିମନ୍ୟୁ ଜାନୀ, ନାରୀନେତ୍ରୀ ବନଜା ପଣ୍ଡା, କେ.କୁନା, ଦୀନବନ୍ଧୁ ଦୈତାରୀ ରେଡ୍ଡୀ, ତପନ ମିଶ୍ର, ବାମପନ୍ଥୀ ଦଳ ବରିଷ୍ଠ ନେତା କୈଳାଶ ଷଡଙ୍ଗୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା