ପୁରୀ ରଥ ନିର୍ମାଣରେ ଆଉ ଏକ ଅଘଟଣ

ପୁରୀ(ସମୃଦ୍ଧ ଓଡିଶା)ପୁରୀ ରଥ ନିର୍ମାଣରେ ଆଉ ଏକ ଅଘଟଣ ଦେଖିବାକୁ ମିଳିଛି I ଦେବୀ ସୁଭଦ୍ରାଙ୍କ ରଥର ଅଖରେ ଫାଟ ଥିବା କଥା ସାମ୍ନାକୁ ଆସିବା ପରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏନେଇ ଏକ ଜରୁରୀ ବୈଠକ ବସିଥିଲା। ଆଉ ବୈଠକରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଉକ୍ତ ଅଖକୁ ପରିବର୍ତ୍ତନ କରାଯିବ ନାହିଁ ବୋଲି ସ୍ଥିର ହୋଇଥିଲା । ବୈଠକ ପରେ ରଥ ନିର୍ମାଣ ବୈଷୟିକ କମିଟି ମୁଖ୍ୟ ଏନ୍‌.ସି ପାଲ କହିଥିଲେ, ଆମେ ଅଖର ଉକ୍ତ ସ୍ଥାନକୁ ଦେଖିଲୁ। ଏହା ସଂପୂର୍ଣ୍ଣ ସୁରକ୍ଷିତ ଅଛି। ଏଥିରେ କିଛି ସମସ୍ୟା ନାହିଁ। ଗୋଟିଏ ୟୁ କ୍ଲାମ୍ପ ଦିଆଯାଇଛି। ଆଉ ଗୋଟିଏ ୟୁ କ୍ଲାମ୍ପ ଦିଆଗଲେ ଆଉ କିଛି ଅସୁବିଧା ହେବ ନାହିଁ। ସେଇଟା ସେତେ ଲୋଡିଂ ପଏଣ୍ଟ ମଧ୍ୟ ନୁହେଁ।ସେ ଆହୁରି କହିଛନ୍ତି, ଆମେ ତାକୁ ଫାଟ ମଧ୍ୟ କହିପାରିବା ନାହିଁ। ସେ ସ୍ଥାନରେ କାଠରୁ ଏକ ଛାଲ ବା ପରସ୍ତ ଛାଡ଼ି ଗଲା ଭଳି ହୋଇଛି। ତେଣୁ କିଛି ଅସୁବିଧା ନାହିଁ ବୋଲି ସେ କହିଛନ୍ତି I

ରିପୋର୍ଟ : ପ୍ରଭାତ କୁମାର ବେହେରା