ପରିବା ବିକ୍ରି ବାରଣକୁ ନେଇ ଶହ ଶହ ବ୍ୟବସାୟୀଙ୍କ ପକ୍ଷରୁ ଏନ୍ଏସି ଓ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ…

ଛତ୍ରପୁର (ସମୃଦ୍ଧ ଓଡିଶା) କୋଭିଡ୍ କଟକଣା ଲାଗି ସାଧାରଣ ଦିନ ମଜୁରିଆ ଠାରୁ ଆରମ୍ଭ କରି ଉଠା ପରିବା ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇ ପଡିଛନ୍ତି । ସଟଡାଉନ ଲକଡାଉନ କଟକଣା କୋହଳ ହେବା ପରେ କିଛି ଦିନ ହେବ ଗଞ୍ଜାମ ଜିଲ୍ଲା ସାମନ୍ୟ ସ୍ଥିତିକୁ ଫେରୁଥିବା ବେଳେ ଆଜି ସକାଳୁ ଶହ ଶହ ଉଠାଦୋକାନି ପରିବା ବ୍ୟବସାୟୀମାନେ ଏକତ୍ରିତ ହୋଇ ଛତ୍ରପୁର ଏନ୍ଏସି ଅଫିସ ସହ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ସୂଚନା ଅନୁଯାୟୀ କୋଭିଡ୍ କଟକଣା ପରେ ଏନ୍ଏସି ପକ୍ଷରୁ ପନିପରିବା ଉଠାଦୋକାନୀ ମାନଙ୍କୁ ମାଛ ମାର୍କେଟ ରୋଡରେ ପରିବା ବିକ୍ରି ପାଇଁ ବାରଣ କରାଯାଇଥିଲା । ସେମାନଙ୍କୁ ଛତ୍ରପୁରର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପଞ୍ଚସୂତ୍ର ପାଳନକରି ବିକ୍ରି ପାଇଁ ଅନୁମତି ରହିଥିଲା । ହେଲେ ଏବେ କିଛି ଦିନ ହେବ ପରିବା ବ୍ୟବସାୟୀମାନେ କଟକଣା ପୂର୍ବରୁ ଯେଉଁଭଳି ମାଛ ମାର୍କେଟ ନିକଟସ୍ଥ ଗାର୍ଲସ୍ ହାଇସ୍କୁଲ ରୋଡର ପରିବା ବିକ୍ରି କରୁଥିବା ସ୍ଥାନରେ ପୁନର୍ବାର ପରିବା ବିକ୍ରି କରିବା ପରେ ଛତ୍ରପୁର ଏନ୍ଏସି ପକ୍ଷରୁ ସେମାନଙ୍କୁ ବାରଣ କରାଯାଇଥିଲା । ଏହା ପରେ ଶହ ଶହ ମହିଳା ପୁରୁଷ ଉଠାଦୋକାନୀ ପରିବା ବ୍ୟବସାୟୀମାନେ ଏକତ୍ରିତ ହୋଇ ରାଲି କରି ଯାଇ ଏନ୍ଏସି ଅଫିସକୁ ଘେରାଉ କରିଥିଲେ । ହେଲେ ଏନ୍ଏସି କୋଭିଡ୍ ଗାଇଡଲାଇନ ଅନୁଯାୟୀ କିଛି କୌଣସି ଅନୁମତି ଦିଆଯାଇପାରିବ ନାହିଁ ବୋଲି କହିବା ପରେ ନିରାଶା ହୋଇ ସମସ୍ତେ ସେଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏହାର କିଛି ସମୟ ଭିତରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ପହଞ୍ଚି ସ୍ଥିତି ଆୟତ୍ତ କରିବା ସହ ସେମାନଙ୍କ ସହ ଆଲୋଚନା କରି କହିଥିଲେ ବର୍ତ୍ତମାନ ପରିସ୍ଥିତିରେ କୋରନା ସ୍ଥିତି ସଂପୂର୍ଣ୍ଣ ରୂପେ ସୁଧାର ନ ଆସିବା ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ କୋଭିଡ୍ କଟକଣା ଏଡେଇ ଦିଆଯିବନାହିଁ । ଏନ୍ଏସି ଦ୍ୱାରା ନିର୍ବାଚିତ ଜାଗାରେ ପଞ୍ଚାସୂତ୍ର ନିୟମକୁ ପାଳନକରି ହିଁ ବିକ୍ରି କରିପାରିବେ । କୋଭିଡ୍ ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଅନ୍ୟ କୌଣସି ସ୍ଥାନରେ ବିକ୍ରି କରିବା ଉପରେ ବାରଣ ରହିଛି ବୋଲି ତହସିଲଦାର ଆଲୋଚନା କରି ବ୍ୟବସାୟୀମାନଙ୍କୁ ବୁଝାସୂଝା କରିଥିବା ଜଣାପଡିଛି ।

ରିପୋର୍ଟ ; ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା