ଲ୍ୟାମ୍ପ୍ସ ଓ ଡିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକାର ହେଲା ପର୍ଦାଫାସ : ସାର ଦୁର୍ନୀତିରେ ଲିପ୍ତ ଅଧିକାରୀ ଓ ଡିଲରଙ୍କ ବିରୋଧରେ ହେଲା କାର୍ଯ୍ୟାନୁଷ୍ଠାନ…

ରାୟଗଡ଼ା (ସମୃଦ୍ଧ ଓଡିଶା) ସାର କେଳେଙ୍କାରୀ ଗୁମର ଫିଟିବା ପରେ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଚାଷୀଙ୍କୁ ସାର ଯୋଗାଇବା ନେଇ ଆନିୟମିତତା କରିଥିବା ବିଭାଗୀୟ ଅଧିକାରୀଙ୍କୁ ନିଲମ୍ବନ ଆଦେଶ ଶୁଣାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବିନ ପାଞ୍ଚଜଣ ବ୍ଲକ ସ୍ତରୀୟ ସାର ଷ୍ଟକ ଅଧିକାରୀ, ଶାଖା ପରିଚାଳକ ଓ ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଛି । ଏମାନେ ହେଲେ କଲ୍ୟାଣସିଂପୁର ଲ୍ୟାମ୍ପ୍ସ ଷ୍ଟକ ଅଧିକାରୀ, ରାୟଗଡ଼ା ଲ୍ୟାମ୍ପ୍ସ ଷ୍ଟକ ଅଧିକାରୀ, କୋଲନରା ଲ୍ୟାମ୍ପ୍ସ ଶାଖା ପରିଚାଳକ ସମେତ ରାୟଗଡ଼ା ଏମପିସିଏସ ସମ୍ପାଦକ । ଏଥିସହ ୬ଜଣ ଘରୋଇ ଡିଲରଙ୍କ ଲାଇସେନ୍ସ ରଦ୍ଧ କରାଯାଇଛି । ଏମାନଙ୍କ ମଧ୍ୟରୁ ରାୟଗଡ଼ା ବ୍ଲକରୁ ୨ଜଣ, ମୁନିଗୁଡା ଓ ଗୁଣୁପୁର ଅଞ୍ଚଳର ୨ଜଣ ଲେଖାଏଁ ଡିଲରଙ୍କ ଲାଇସେନ୍ସକୁ ମଧ୍ୟ ରଦ୍ଧ କରିଛି ଜିଲ୍ଲା ସମବାୟ ବିଭାଗ । ଅନ୍ୟପଟେ ୪ଜଣ କଲ୍ୟାଣସିଂପୁର, କୋଲନରା, ରାୟଗଡ଼ା ଓ ମୁନିଗୁଡା ଲ୍ୟାମ୍ପ୍ସ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ଜଣାପଡିଛି । ଚାଷୀଙ୍କୁ ଲ୍ୟାମ୍ପ୍ସରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ନମିଳିବାରୁ ବାରମ୍ବାର ଏ ନେଇ ଅଭିଯୋଗ ହୋଇ ଆସୁଥିଲା । ଲ୍ୟାମ୍ପସରେ କୃଷକଙ୍କୁ ରିହାତି ମୂଲ୍ୟରେ ବସ୍ତା ପିଛା ପ୍ରାୟ ୨୭୦ଟଙ୍କାରେ ସାର ମିଳୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ କଳାବଜାରୀ ମନଭାବ ଯୋଗୁଁ ଚାଷୀ ଲ୍ୟାମ୍ପକୁ ଧୌଡିଧୌଡି ନୟାନ୍ତ ହୋଇଥିଲେ ସୁଦ୍ଧା ସାର ମିଳୁନଥିଲା । ଲ୍ୟାମ୍ପ୍ସ ଅଧିକାରୀ ଓ ସ୍ଥାନୀୟ ଡିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବାରୁ ଚାଷୀ ଡିଲରଙ୍କ ନିକଟକୁ ଆସି ସାର ବସ୍ତା ପିଛା ୪୫୦ରୁ ୫୦୦ଟଙ୍କା ଦେଇ ଅଧିକ ଖର୍ଚ୍ଚନ୍ତ ସମ୍ମୁଖିନ ହେଉଥିଲା । ଜିଲ୍ଲାରେ ସାର ଯୋଗାଣ ପ୍ରକ୍ରିୟା ଦୁର୍ନୀତି ଗ୍ରସ୍ତ ହେବା ଫଳରେ ଋଣ ଗ୍ରସ୍ତ ଚାଷୀ ଶୋଷଣ ଶିକାର ହେଉଥିବା ଅଭିଯୋଗ ହେଉଥିଲା । ସମ୍ପ୍ରତି ବିଷୟ ପଦାକୁ ଆସିବା ପରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ସାର ଯୋଗାଣ ପ୍ରକ୍ରିୟାକୁ ତଦନ୍ତ କରିଥିଲେ । ଫଳରେ ଏଥିରେ ଲିପ୍ତ ଅସାଧୁ ସରକାରୀ କର୍ମଚାରୀ ନିଲମ୍ବନ ହେବା ସହ ଘରୋଇ ଡିଲରଙ୍କ ଲାଇସେନ୍ସ ରଦ୍ଧ କରାଯାଇଥିବା ବେଳେ ୪ଜଣ ଲ୍ୟାମ୍ପ୍ସ ଅଧିକାରୀଙ୍କୁ ତୁରନ୍ତ କାରଣ ଦର୍ଶାଅ ବିଜ୍ଞପ୍ତି କୃଷି ବିଭାଗ ତରଫରୁ ଜାରି ହୋଇଥିବା ଜଣାଯାଇଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ