ନାବାର୍ଡର ୪୦ତମ ପ୍ରତିଷ୍ଠା ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୃଷି ଓ କୃଷକର ଅଭିବୃଦ୍ଧି ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ନିରନ୍ତର ଭାବେ କାର୍ଯ୍ୟରତ ନାବାର୍ଡର ୪୦ତମ ପ୍ରତିଷ୍ଠା ଦିବସ କୋଭିଡ କଟକଣା ମଧ୍ୟରେ ଆଭାସି (ଭର୍ଚୁଆଲ) ମାଧ୍ୟମରେ ପାଳିତ ହୋଇଯାଇଛି । ରାଜଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ପ୍ରିନ୍ସିପଲ୍ ସେକ୍ରେଟାରୀ ଏବଂ ନାବାର୍ଡର ମୁଖ୍ୟ ମହାପ୍ରଭନ୍ଧକ୍ ପ୍ରମୁଖ ଯୋଗ ଦେଇଥିଲେ । ରାଜ ଭବନରୁ ପରିଚାଳିତ ଏହି କାର୍ଯ୍ୟକ୍ରମକୁ ଆଭାସି ମାଧ୍ୟମରେ ସମସ୍ତ ଜିଲ୍ଲାକୁ ସଂଯୋଗ କରାଯାଇଥିଲା । ସେହି କ୍ରମରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ସଦର ମହକୁମାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଜେସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ୟାଙ୍କ୍ ସମୂହର ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର (LDM ) ଅଶୋକ କୁମାର ପଣ୍ଡା ଓ ନାବାର୍ଡର ଜିଲ୍ଲା ଉନ୍ନୟନ ପ୍ରଭନ୍ଧକ ସଞ୍ଜୀବ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଚାଷୀଙ୍କ ଆୟ ବୃଦ୍ଧି ଏବଂ ବିକଳ୍ପ ରୋଜଗାର ଯୋଗାଇବା ଉଦ୍ଦେଶ୍ୟରେ ନାବାର୍ଡ ସହାୟତାରେ ଏବଂ ବେସରକାରୀ ସଂଗଠନ ଆଦର୍ଶର ଆନୁକୁଲ୍ୟରେ ହିଞ୍ଜିଳିକାଟୁ ବ୍ଳକର ମକରଝୂଳ ଗ୍ରାମରେ ପାଇଲଟ ଭିତ୍ତିରେ କାର୍ଯ୍ୟକାରୀ ହେଉଥିବା ବ୍ୟବସାୟିକ ଲାଖ ଚାଷର ନେତୃତ୍ଵ ନେଉଥିବା ଅଗ୍ରଣୀ ଚାଷୀ ଡି. ନାରାୟଣଙ୍କୁ ରାଜ୍ୟପାଳଙ୍କ ତରଫରୁ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ନିଜ ଶୁଭେଚ୍ଛା ବାର୍ତ୍ତା ଅଭିଭାଷଣ ରଖି ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ଜିଲ୍ଲାରେ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ କରିବାରେ ୧୯୯୫ରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୨୮୧୩ କୋଟି ଟଙ୍କା ୪୨୨୧ଟି ପ୍ରକଳ୍ପରେ ଖର୍ଚ୍ଚ କରି ଆସିଛି । ତତ୍ ସହିତ ଜିଲ୍ଲାର ଋଣ ଚାହିଦା ଯୋଜନା ପ୍ରସ୍ତୁତି, ଜଳ ବିଭିଜିକା, କୃଷକ ଉତ୍ପାଦକ ସଂଗଠନ ଗଠନ ତଥା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଏବଂ ତାଲିମ ମାଧ୍ୟମରେ ସେମାନଙ୍କୁ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ କରେଇବା ପ୍ରଭୁତି ବିଭିନ୍ନ କାର୍ଯ୍ୟକ୍ରମ ଦ୍ଵାରା ଲୋକଙ୍କ ସାମାଜିକ ଏବଂ ଆର୍ଥିକ ମାନଦଣ୍ଡ ବଢ଼େଇବାରେ ନାବାର୍ଡର ଭୂମିକା ଏବଂ ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିବା ସହ ଶୁଭ କାମନା ମନାସି ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା