ଦେଶୀ ଚୋରା ମଦ ଭାଟି ଉପରେ ପୋଲିସର ଚଢ଼ାଉ : ଆସାମୀମାନେ ଫେରାର…

ବ୍ରହ୍ମପୁର/ ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ଦିଗପହଣ୍ଡି ଅବକାରୀ ଓ ବ୍ରହ୍ମପୁର ଷ୍ଟ୍ରାଇକି ଫୋର୍ସ ଏବଂ ପାଟପୁର, କେ. ନୂଆଗାଁ, ମୋହନା ପୋଲିସ ପକ୍ଷରୁ ମିଳିତ ଭାବେ ଗଞ୍ଜାମ- ଗଜପତି ଜିଲ୍ଲାର ଉପାନ୍ତ ଅଞ୍ଚଳ ଲଖାରି ଜଙ୍ଗଲର ବିଭିନ୍ନ ସ୍ଥାନରେ ମଦ ମାଫିଆମାନେ ବେଆଇନ ଭାବେ ଦେଶୀ ରନ୍ଧାମଦ ପ୍ରସ୍ତୁତ କରୁଥିବା ସମୟରେ ଅତର୍କିତ ଭାବେ ଚଢ଼ାଉ କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରୁ ୮୦ଲିଟର ଦେଶୀ ଚୋରା ମଦ ସହ ରନ୍ଧା କାର୍ଯ୍ୟ ନିମନ୍ତେ ଆବଶ୍ୟକ ସମସ୍ତ ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁସାରେ ଦୀର୍ଘ ଦିନ ହେଲା ମଦ ମାଫିଆ ମାନେ ସୀମାନ୍ତକୁ ଲାଗି ରହିଥିବା ଲଖାରି ଜଙ୍ଗଲର ଉପାନ୍ତ ଅଂଚଳ ରଙ୍ଗିଆମ, ତୁଳସୀ ନଗର, ଜୁଆଣିପଲ୍ଲୀ, ଶ୍ୟାମସୁନ୍ଦରପୁର ପଲ୍ଲୀ, ବଡ଼ପଦା ଆଦି ଆଦିବାସୀ ଅଞ୍ଚଳ ଗୁଡିକରେ ମଦ ପ୍ରସ୍ତୁତ କରି ବାହାର ଅଞ୍ଚଳକୁ ପଠାଉଥିବା ଖବର ପାଇ ମିଳିତ ଭାବେ ଚଢ଼ାଉ କରିଥିଲେ । ଘଟଣାକ୍ରମେ ମଦ ମାଫିଆମାନେ କୌଣସି ସୂତ୍ରରୁ ଜାଣି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଅବକାରୀ ମାମଲା ନଂ- ୫/୨୦-୨୧ ଅନୁଯାୟୀ ମଦକୁ ଜବତ କରାଯାଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଦିଗପହଣ୍ଡି ବିଡିଓ ହଳଧର ଶବରଙ୍କ ଉପସ୍ଥିତିରେ ଏହି ଚଢ଼ାଉ ଧରପଗଡ଼ରେ ଦକ୍ଷିଣାଞ୍ଚଳ ଗୁଇନ୍ଦା ବିଭାଗ ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରା, ବ୍ରହ୍ମପୁର ଷ୍ଟ୍ରାଇକି ଫୋର୍ସ ଉପ ନିରୀକ୍ଷକ ଶ୍ରୀଧର ମହାନ୍ତି, କେ ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ, ପାଟପୁର ଏସଆଇ ଶ୍ରୀଜିତ କୁମାର ପାଢୀ, ମୋହନା ଏସଆଇ ଏମ୍. ସାଗର, ଦିଗପହଣ୍ଡି ଏସଆଇ ଅଭିରାମ ସାହୁ, ଗୋବିନ୍ଦ ବେହେରା, ଅଜୟ କୁମାର ସାହୁଙ୍କ ସହ ସମସ୍ତ ଥାନା କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଘଟଣା ପରେ ସମସ୍ତ ଅପରାଧୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଦିଗପହଣ୍ଡି ଅବକାରୀ ନିରୀକ୍ଷକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ଦିଗପହଣ୍ଡିରୁ ପ୍ରଫୁଲ୍ଲ ସାବତ