ଦିଗପହଣ୍ଡି ଡବଲ ମର୍ଡର : ୨ଜଣ ଗୌଡ଼ଙ୍କୁ ହତ୍ୟା କରି ପୋଡ଼ି ଜାଳିଦେଲେ

ଦିଗପହଣ୍ଡି(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରେ ଡବଲ ମର୍ଡର ଦେଖିବାକୁ ମିଳିଛି । ଦୁର୍ବୃତ୍ତମାନେ ୨ଜଣ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରି ପୋଡ଼ି ଜାଳି ଦେଇଛନ୍ତି । ମୃତକ ଦ୍ୱୟ ଶିବ ଗୌଡ଼ ଓ ଲିଟୁ ଗୌଡ଼ ବୋଲି ଜଣା ପଡ଼ିଛି । ଶିବ ଓ ଲିଟୁ ଉଭୟେ ସମ୍ପର୍କୀୟ ବୋଲି କୁହାଯାଉଛି । ଗତକାଲି ବିଳମ୍ବିତ ରାତିରେ ଗାଁ ଭିତରେ ଶିବ ଓ ଲିଟୁଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିବା ପରେ ଗାଁ ମୁଣ୍ଡରେ ପୋଡ଼ି ଜାଳି ଦେଇ ଥିଲେ । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ଦିଗପହଣ୍ଡି ଥାନା ପୋଲିସ ଓ ଚିକିଟି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଏହାସହ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। କେଉଁ କାରଣ ପାଇଁ ଏହି ଦୁଇ ଜଣଙ୍କୁ ଦୁର୍ବୃତ୍ତମାନେ ହତ୍ୟା କଲେ ପୋଲିସ ତଦନ୍ତ କରିବା ସହ ପରିବାର ବର୍ଗ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଥିବା ଖବର ମିଳିଛି ।