ଦର ବୃଦ୍ଧିର ପ୍ରତିବାଦରେ ସିପିଆଇ(ଏମ) ପକ୍ଷରୁ ବିକ୍ଷୋଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦର ବୃଦ୍ଧିକାରି ନୀତିର ପ୍ରତ୍ୟାହାର ଦାବୀରେ ଆଜି ସିପିଆଇ(ଏମ) ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି l ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଯୋଗୁଁ ଗରିବ, ଖଟିଖିଆ, ଦିନମଜୁରିଆ, ମାଧ୍ୟମ ଧରଣର ଲୋକ ଓ ଶ୍ରମଜୀବୀ ଜନ ସାଧାରଣଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି l ପ୍ରତିଦିନ ତୈଳ ଦର ବଢ଼ି ବଢ଼ି ଚାଲିଛି l ସେହିଭଳି ପରିବହନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି l ତୈଳ ଦର ନିର୍ଧାରଣ କ୍ଷମତା ବୃହତ ତୈଳ କମ୍ପାନୀ ହାତକୁ ଟେକି ଦେବା ପରେ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ଏଥିପାଇଁ ନିଜେ ମୋଦି ସରକାର ଦାୟୀ ବୋଲି ଦଳ ଅଭିଯୋଗ କରିଛି l ଏଣୁ କେନ୍ଦ୍ର ସରକାର ତୈଳ ଉପରୁ ଅବକାରୀ ଶୁଳ୍କ ହ୍ରାସ କରି ତୈଳ ଦର କମାନ୍ତୁ ସେହିଭଳି ରାଜ୍ୟ ସରକାର ତୈଳ ଉପରୁ ଭାଟ ଟିକସ କମାଇବା ପାଇଁ ଦଳ ପକ୍ଷରୁ ଦାବୀ କରାଯାଇଛି l ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଦରବୃଦ୍ଧି ବିରୁଦ୍ଧରେ ଆଗାମୀ ଦିନରେ ବଳିଷ୍ଠ ଜନ ଆନ୍ଦୋଳନ ଓ ପ୍ରତିରୋଧ ଆନ୍ଦୋଳନ ଗଢ଼ି ତୋଳିବାକୁ ଦଳ ପକ୍ଷରୁ ଆହ୍ୱାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ସମ୍ପାଦକ ମଣ୍ଡଳୀ ସଭ୍ୟ ବସନ୍ତ ନନ୍ଦ, ପ୍ରତାପ ଚୌଧୁରୀ, ଗୋପାଳ ପାଣିଗ୍ରାହୀ, ଶିବ ପ୍ରସାଦ ମହାପାତ୍ର, ରଞ୍ଜନ ପାତ୍ର, ଲୋକନାଥ ଖୁଣ୍ଟିଆ, ହରି ନାହାକ, ଚିଟି ବାବୁ, ଅରୁଣ ବ୍ରହ୍ମା, ନରସିଂହ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ l ଏହି ଅବସରରେ ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା l ଏଥିରେ ବହୁ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା