ଜଳେଶ୍ୱର ସହର ବିକାଶ ଲାଗି ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ : ୧୯୨ ପ୍ରକଳ୍ପ ଲାଗି ୨୨କୋଟି ୨୦ଲକ୍ଷର ବ୍ୟୟବରାଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ଉତ୍ତର ପ୍ରବେଶପଥ ଜଳେଶ୍ୱରର ବିକାଶ ଲାଗି ୧୯୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିଲାଗି ମୋଟ ୨୨କୋଟି ୧୯ଲକ୍ଷ ୭୭ହଜାର ୯ଶହ ଟଙ୍କା ବ୍ୟୟ ହେବା ସମ୍ପର୍କରେ ଆଜି ବିଧାୟକ ଅଶ୍ୱିନୀ କୁମାର ପାତ୍ର ଭଂଜ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଜଳେଶ୍ୱରର ଆଲୋକିକରଣ, ସୌନ୍ଦର୍ଯ୍ୟ, ବିକାଶ, ସର୍ବାଙ୍ଗିନ ଉନ୍ନତି ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି । ମୋଟ ୧୧୫ଟି ପ୍ରକଳ୍ପ ଲାଗି ୬କୋଟି ୧୩ଲକ୍ଷ ୯୮ହଜାର ଟଙ୍କାର ବ୍ୟୟବରାଦର ବିଧାୟକ ଶ୍ରୀ ପାତ୍ର କାର୍ଯ୍ୟାଦେଶ ସଂପର୍କରେ ସୂଚନା ଦେଇଛନ୍ତି । ଏଥିରେ ବିଭିନ୍ନ ରାସ୍ତା ଓ ଜଳନିଷ୍କାସନ ଲାଗି ୭୪ଟି ପ୍ରକଳ୍ପରେ ୩କୋଟି ୧୮ଲକ୍ଷ୨ହଜାର ଟଙ୍କାର ବ୍ୟୟବରାଦ ହୋଇଛି । ସେହିପରି ନୂତନ ଢାଞ୍ଚାରେ ୩୯ଟି ରାସ୍ତା ନିର୍ମାଣ ସକାଶେ ୧କୋଟି ୨୩ଲକ୍ଷ ୫୪ହଜାର ଟଙ୍କାର କାର୍ଯ୍ୟାଦେଶ ହୋଇଥିବା ସମ୍ପର୍କରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ‘ମଲ୍ଟି ପରପସ୍ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ’ ନିର୍ମାଣ ଲାଗି ୯କୋଟି ୨୮ଲକ୍ଷ ଟଙ୍କାର ପ୍ରକଳ୍ପ ଶାନ୍ତିଆଠାରେ ପ୍ରତିଷ୍ଠା ହେବାକୁ ଯାଉଥିବାର ସେ ସୂଚନା ଦେଇଥିଲେ । ଏହା ଫଳରେ ସମଗ୍ର ଉତ୍ତର ବାଲେଶ୍ୱରର ଖେଳୁଆଡ ମନୋଭାବ ସୃଷ୍ଟି କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ସୁବିଧାସୁଯୋଗ ପାଇପାରିବେ ବୋଲି କହିଥିଲେ । ଶାନ୍ତିଆସ୍ଥିତ ଏହି ଷ୍ଟାଡିୟମର ଗୋଟିଏ ପଟେ ଇଣ୍ଡୋର ଷ୍ଟାଡିୟମ ହେଉଥିବା ବେଳେ ଅନ୍ୟପଟେ ୬୦ଲକ୍ଷ ଟଙ୍କା ବ୍ୟୟବରାଦରେ ଅନ୍ୟ ଖେଳଲାଗି ସ୍ଥାନଟି ବିକଶିତ କରିବାକୁ ପୁର୍ତ୍ତବିଭାଗକୁ ଦାୟିତ୍ୱ ଦିଆଯାଇଥିବା ସଂପର୍କରେ ସେ କହିଥିଲେ । ଜଳେଶ୍ୱରରୁ ଅଲାଲପୁର ଯାଏ କଂକ୍ରିଟ ରୋଡଟି ୩କୋଟି ୫୭ଲକ୍ଷ ୮୯ହଜାର ୩୪ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟୟରେ ପହଞ୍ଚିଥିବା କହିଥିଲେ । ଏକ ଆଧୁନିକ ଶ୍ମାଶାନ ଲାଗି ୮୨ଲକ୍ଷ ୮୩ହଜାର ଓ ଏକ ପାର୍କଲାଗି ୮୯ଲକ୍ଷ ୫୯ହଜାର ଟଙ୍କାର କାର୍ଯ୍ୟାଦେଶ ହୋଇଥିବା ସେ ସୂଚନା ଦେଇଥିଲେ । ମୁକ୍ତା ଯୋଜନାରେ (ମୁଖ୍ୟମନ୍ତ୍ରୀ କଲ୍ୟାଣ ତତ୍ପର ଅଭିଯାନ ଯୋଜନା) ୬୦ଟି ନୂତନ ଢାଞ୍ଚାରେ ରାସ୍ତା ନିର୍ମାଣ ସକାଶେ ୬୬ଲକ୍ଷ୭୫ହଜାର ଟଙ୍କା ବ୍ୟୟଅଟକର ପ୍ରସ୍ତାବ ରଖାଯାଇଛି । ଏହା ବ୍ୟତିତ ୧୦ନଂ ୱାର୍ଡରେ ଏକ ମିନି ପାର୍କ, ୧୨ନଂ ୱାର୍ଡରେ ଥିବା ପାର୍କର ବିକାଶ, ୧୭ ଓ ୧୫ ନଂ ୱାର୍ଡରେ ମିନି ପାର୍କ, ୧୦ନଂ ୱାର୍ଡରେ ପୋଖରୀ ଉନ୍ନତି କରଣ, ୧୫ ଓ ୧୬ନଂ ୱାର୍ଡରେ ଖେଳପଡିଆ ଉନ୍ନତିକରଣ ତଥା ୧, ୯ ଓ ୧୧ନଂ ୱାର୍ଡରେ ପରିଶ୍ରାଗାର ନିର୍ମାଣ ଏପରି ମୋଟ ୨କୋଟି ୧୧ଲକ୍ଷ ୪ହଜାର ୯ଶହ ଟଙ୍କା ବ୍ୟୟ ଅଟକର ପ୍ରସ୍ତାବ ରଖାଯାଇଥିବା ସଂପର୍କରେ ବିଧାୟକ ସୂଚନା ଦେବା ସହିତ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏହା ଛଡା ମଣିପାଟଣାକୁ ରାସ୍ତା ନିର୍ମାଣ ଲାଗି ୧୪.୫ଲକ୍ଷ ଟଙ୍କାର କାର୍ଯ୍ୟ ଶେଷ ହୋଇଥିବା ବେଳେ ୪୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଜିଲାପାଳଙ୍କ ନିକଟରେ ବିଚାରାଧିନ ରହିଛି । ୧୫ନଂ ୱାର୍ଡ ନହଞ୍ଜରା ଆଦିବାସୀସାହିକୁ ସଂଯୋଗୀକରଣ ସକାଶେ ୨୬ଲକ୍ଷ ଟଙ୍କାର ପ୍ରସ୍ତାବ ଓ ଶାନ୍ତିଆରୁ ଜାତୀୟ ରାଜପଥ ୬୦କୁ ସଂଯୋଗ ଲାଗି ୫ଲକ୍ଷ ଟଙ୍କାର ପ୍ରସ୍ତାବ ସଂପର୍କରେ ଆଲୋଚନା ହୋଇଥିଲା । ଅତିଶୀଘ୍ର ଏହି ସବୁର କାର୍ଯ୍ୟଦେଶ ପ୍ରକାଶ ପାଇବ ବୋଲି ଶ୍ରୀ ପାତ୍ର କହିଛନ୍ତି । ଏହାଛଡା ବର୍ତ୍ତନା-ପଶ୍ଚିମବାର୍ଡ ରାସ୍ତା, ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ, ଟାଉନ୍‌ହଲ, ନୂତନ ପୌରକାର୍ଯ୍ୟଳୟ, ଶିଖରପୁର ସେତୁ-ଗୁରୁଦାସପୁର ସେତୁ ନଦୀକୂଳ ରାସ୍ତା ନିର୍ମାଣ, ନନ୍ଦିକା-ଜମାଳପୁର ଡ୍ରେନ ନିର୍ମାଣ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ଆଲୋଚନା ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତୀପ କୁମାର ପ୍ରଧାନ ଓ ଟାଉନ୍ ସଭାପତି ସୁରଜିତ୍ ଘୋଷ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଂଜିବ ପାଳ, ଆନନ୍ଦ କର, ଅବଦୁଲ ରହିମ, ସୁରେଶ ଚୌରାସିଆ, ଅର୍ଚ୍ଚନା ଗିରି, ଗିତାଞ୍ଜଳି ସାମନ୍ତ, ସତ୍ୟବତୀ ଗିରି, ଆଜିମା ବିବି, ତରଣୀ ଭୂୟାଁ, ବିଜୟ କାମିଳା, ରାକେଶ ବାରିକ, ଅମୂଲ୍ୟ ଦତ୍ତ, ହରିଶ ପ୍ରଧାନ ପ୍ରମୁଖ ବହୁ ସଭ୍ୟ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା