ତୃତୀୟ ଘର…  ଭାଗ – ୩  ଚିଠି

କାହାକୁ କହିବେ ? ପ୍ରତ୍ୟୁଷ ଏବେ କେଉଁଠି ଥିବେ? କେମିତି ଥିବେ ଭାବି କାନ୍ଦ କାନ୍ଦ ହୋଇଯାଉଥିଲେ ସେ। ତା’ପରେ ….    ଆସ୍ତେ ଆସ୍ତେ ଦିନ ସବୁ ଗଡିବାକୁ ଲାଗିଲେ,ଏ ଭିତରେ ତିନିମାସ ପୁରି ସାରିଥିଲା। ସୂର୍ଯ୍ୟ ନବେ ଥର ଉଦୟ ହୋଇ ଅସ୍ତ ଯାଇ ସାରିଥିଲେ। ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି ସବୁ ନିଜ ନିଜ ବାଟରେ ଆସି ଯାଇ ସାରିଥିଲେ, ପୁଣି ଆସୁଥିଲେ। କିନ୍ତୁ ଦୁନିଆଁ ବଦଳି ଯାଇଥିଲା। ଭାଇ ବିନା ଭଲ ଲାଗୁନଥିଲା ଘର। ଚାକିରୀ ପାଇଁ ଦରଖାସ୍ତ ଦେଇଥିଲା ମିନି। ଯୋଗକୁ ଚାକିରୀ ଖଣ୍ଡେ ଲାଗିଗଲା। ମିନି ଚାକିରୀ ଖଣ୍ଡେ ପାଇ ଚାକିରୀ ଜାଗାକୁ ଯାଇ ସାରିଥିଲା। ଚକ୍ରଧର ବାବୁ ସହଧର୍ମିଣୀ ଙ୍କ ମନ ଜାଣି, ଘରେ ତାଲା ପକେଇ, ଟିକେଟ କରି ତାଙ୍କୁ ନେଇ ଆସିଥିଲେ ମିନାକ୍ଷୀ ପାଖକୁ। ପୁଅ ଏଇ ଘରେ ରହୁଥିଲା। ଏଇଠୁ ହିଁ ସେ ନିଖୋଜ ହୋଇଥିଲା। ବେନିଜନେ ସମଦଶା ଭଳି ଦୁହେଁ ଦୁହିଁଙ୍କୁ ଆଦରି ନେଇଥିଲେ। ନିଜ ସନ୍ତାନ ଆଗରେ ଆଜି ସବୁକିଛି ତୁଛ ଲାଗୁଥିଲା ତାଙ୍କୁ। କଣ ହୋଇଯାଇଥାନ୍ତା? ବନ୍ଧୁ ବାନ୍ଧବ କହିଥାନ୍ତେ, ସାହି ଭାଇ କିଛି ଦିନ ଉଖାରି ଉଖାରି, ଦେଖେଇ ଶିଖେଇ ଦି ପଦ ଶୁଣେଇ ଥାନ୍ତେ, କିନ୍ତୁ ପୁଅ ତ ପାଖରେ ରହିଥାନ୍ତା। । ମଣିଷ ସବୁବେଳେ ବୋଧେ ଅଧିକ ଟିକେ ଖୋଜେ। ଭଲ ହେଉଥିଲେ ଆଉଟିକେ ଭଲ ଦରକାର, ଖରାପ ହେଉଥିଲେ ମନକୁ ବୁଝେଇଦିଏ। ଭଲ ହୋଇପାରିଥାନ୍ତା। ଏ ଅବସ୍ଥା ରୁ ସେ ଅବସ୍ଥା ତ ଆଉ ଟିକେ ଭଲ ରହିଥାନ୍ତା। କିନ୍ତୁ ସବୁଦିନ କଣ ସମାନ ଯାଏ।?ଯାହା ଭଗବାନଙ୍କ ଇଛା। ସତରେ କଣ ଭଗବାନ ସବୁକିଛି ଏଇ ଜୀବନରେ ହିଁ ଦିଅନ୍ତି? ଭଲ, ଖରାପ, ନ୍ୟାୟ, ଅନ୍ୟାୟ, ଗର୍ବ, ଲୋଭ, ପାପ ପୁଣ୍ୟ, ମିଛ, ମୋହ ମାୟା ସବୁ ଏହି ଜୀବନରେ ହିଁ ଦିଅନ୍ତି? ପୁଅଟି ମୋର ଯେଉଁଠି ଥାଉ ଭଲ ରେ ଥାଉ ବୋଲି ସକାଳୁ ସନ୍ଧ୍ୟା ରେ ଠାକୁରଙ୍କୁ ହାତ ଯୋଡିବା ସହ, ଶୀଘ୍ର ତାକୁ ଫେରେଇ ଆଣ ବୋଲି ମୁଣ୍ଡିଆ ମାରନ୍ତି ସେ। ମିନାକ୍ଷୀ ବି ଶାଶୁ, ଶ୍ବଶୁର ବୋଲି ବହୁତ ମାନ୍ୟ କରୁଥିଲେ। ବାପା, ମା ଙ୍କୁ ପାଖରେ ରଖିଲା ଭଳି ରଖୁଥିଲେ । ଏବେ ପ୍ରତ୍ୟୁଷଙ୍କ ମା, ମିନାକ୍ଷୀ ଙ୍କୁ ବୋହୁ ଭଳି ନୁହେଁ ଝିଅ ଭଳି ଦେଖୁଥିଲେ। ଅଫିସ ଯିବା ପୂର୍ବରୁ ବାପା ମାଙ୍କ ପାଇଁ ସବୁ ସୁବିଧା କରି ଯାଉଥିଲେ ମିନାକ୍ଷୀ ଓ ବାପା ମା ବି ମିନାକ୍ଷୀ ଙ୍କ ସବୁ ଖବର ବୁଝୁଥିଲେ। ହେଲେ ସମସ୍ତଙ୍କ ମନରେ କେବଳ ଗୋଟିଏ ଦୁଃଖ ରହିଯାଇଥିଲା। ଏସବୁ ଦେଖିବା ପାଇଁ ପ୍ରତ୍ୟୁଷ ପାଖରେ ନଥିଲେ। ଏତେ କାମ ଭିତରେ ବି ପ୍ରତ୍ୟୁଷଙ୍କ ମୋବାଇଲ କୁ ସବୁଦିନ ଚାର୍ଜ ରେ ବସାଉଥିଲେ ମିନାକ୍ଷୀ । କାଳେ କେବେ କିଛି ଖବର ଆସିଯିବ । ବାପା ମା ସବୁଦିନ ପ୍ରତ୍ୟୁଷଙ୍କ ଫେରିବା ବାଟକୁ ଚାହିଁ ରହୁଥିଲେ। ମିନାକ୍ଷୀ ବି କଲିଗ, ସାଙ୍ଗସାଥୀ ମାନଙ୍କୁ ନିୟମିତ ବ୍ୟବଧାନ ରେ ଫୋନ କରି ବୁଝୁଥିଲେ, କାଳେ କାହା ପାଖରେ କିଛି ଖବର ଥିବ। କିନ୍ତୁ ନା…ନିରାଶ ରେ ସମୟ ବିତୁଥିଲା । ମିନାକ୍ଷୀ ୟା ଭିତରେ ତାଙ୍କ ଘରେ କହି ସାରିଥିଲେ,”ମୋ ପାଇଁ ବ୍ୟସ୍ତ ହେବା ଦରକାର ନାହିଁ। ଶାଶୁ ଶ୍ବଶୁର ଏବେ ମୋ ପାଖରେ ଅଛନ୍ତି।ମୁଁ ପ୍ରତ୍ୟୁଷ ଙ୍କ ଫେରିବା ଯାଏଁ ଅପେକ୍ଷା କରିବାକୁ ରାଜି ଅଛି। ତୁମେମାନେ ମୋତେ କୌଣସି କଥା ପାଇଁ ବାଧ୍ୟ କରନାହିଁ।” ଦିନ ପରେ ରାତି ବିତି ଚାଲିଥାଏ, କିନ୍ତୁ କିଛି ବି ଖବର ନଥାଏ ପ୍ରତ୍ୟୁଷଙ୍କର। ଘରୁ ବାହାରି ଆସିଲା ବେଳେ ଗଡ଼ରେଜ ରେ ଥିବା ଟଙ୍କାବିଡା ଟିକୁ ସାଙ୍ଗରେ ଆଣି ଆସିଥିଲେ ପ୍ରତ୍ୟୁଷ। ପ୍ରାୟ ଦଶ ହଜାର ଟଙ୍କା। କିଛିଦିନ ପୂର୍ବରୁ ବୁଲିବାକୁ ଯାଇଥିବା ଏକ ଦର୍ଶନୀୟ ସ୍ଥାନ କୁ ପ୍ରଥମେ ଗଲେ ସେ। ସେଠାରେ ଧର୍ମଶାଳା ରେ ରୁମ ଟିଏ ବୁକ କରି କିଛିଦିନ କାଟିଲେ। ସଂସାର ର ମୋହ ମାୟା ଛାଡିବାକୁ ଅଳ୍ପ ଅଳ୍ପ ମଦ୍ୟପାନ ବି କଲେ। “ବସି ଖାଇଲେ ନଈବାଲି ସରେ” ନ୍ୟାୟ ରେ ପଇସା ସରିସରି ଆସୁଥିଲା I ପାଖରେ ୱାଲେଟ ଓ ଏଟିଏମ କାର୍ଡ ଥିଲେ ବି ହାତ ଯାଉ ନଥିଲା ପଇସା ଉଠେଇବା ପାଇଁ I ପଇସା ଉଠେଇଲେ ମୋବାଇଲ ର ମେସେଜ କିମ୍ବା ଆକାଉଣ୍ଟ ରୁ ମିନାକ୍ଷୀ ଜାଣିଯିବେ ସେଇ ଭୟରେ I ଆସ୍ତେ ଆସ୍ତେ ପଇସା ସରି ଆସିବାରୁ ଧର୍ମଶାଳା ଛାଡି ଷ୍ଟେସନ ରେ ଶୋଇବାକୁ ଲାଗିଲେ । ଆଖ ପାଖ ଦୋକାନରେ କିଛି କିଛି ସାହାଯ୍ୟ କରି ଦିନକ ର ଖାଇବା ଯୋଗାଡ କରୁଥିଲେ। ଏ ଭିତରେ ପଇସା ସବୁ ସରି ଯାଇଥିଲା। ପିନ୍ଧିବାକୁ ପିନ୍ଧା ଲୁଗା ବ୍ୟତୀତ ଶୀତ ରୁ ରକ୍ଷା ପାଇବାକୁ ଶାଲ ଖଣ୍ଡିଏ ବ୍ୟତୀତ ଆଉ କିଛି ନଥିଲା ତାଙ୍କ ପାଖରେ। ଭୋକହେଲେ କାହାକୁ ମାଗି କିମ୍ବା ଛୋଟମୋଟ କାମ କରି ଖାଇବା ଯୋଗାଡ଼ କରୁଥିଲେ। ନିଦ ଲାଗିଲେ ଦୋକାନ ବାରଣ୍ଡା ଥିଲା ତାଙ୍କ ଶୋଇବା ଜାଗା। ନିଶ ଦାଢ଼ି ଅମାନିଆଁ ଭାବେ ବଢି ଚାଲିଥିଲେ। ଜାଗାରୁ ଜାଗା, ସହର ରୁ ସହର, ଗାଁ ରୁ ଗାଁ ସେ ବୁଲି ଚାଲିଥିଲେ। ଯାଯାବର ଭାବେ ୟାଡେ ସ୍ୟାଡେ ବୁଲି ଜାଗାରୁ ଜାଗା ହୋଇ ପ୍ରାୟ ଛଅମାସ ପରେ ପହଞ୍ଚିଲେ ସେ ଏକ ଛୋଟ ପାହାଡ଼ି ଜାଗାରେ, ଯାହା ଏକ ହାଟ ଭଳି ଲାଗୁଥିଲା। ଲୋକ ସବୁ ପାଦରେ ଚାଲିଚାଲି ଯିବା ଆସିବା କରୁଥିଲେ। ନା ଥିଲା ଗାଡି ମଟର ନା ଦୋକାନ ବଜାର। କେଉଁ ଏକ ଜାଗା ଯାହା କନ୍ଧ, କୋଲ୍ଲହ, ମୁଣ୍ଡା ପରି ଆଦିବାସୀ ମାନଙ୍କ ଜାଗା ପରି ଲାଗୁଥିଲା। ହାଟ ସରି ସରି ଆସୁଥାଏ। ଲୋକମାନେ ସବୁ ଅଜଣା ଜୀବ ଦେଖିଲା ଭଳି ୟାଙ୍କୁ ଦେଖୁଥାନ୍ତି। କେହି କେହି ପାଗଳ ବୋଲି ଭାବୁଥାନ୍ତି। ଦିମାସ ହେଲା ମୁଣ୍ଡରେ ତେଲ ବାଜିନି, ନିଶ ଦାଢ଼ି ବଢି ଯାଇଛି। ପିନ୍ଧା ପେଣ୍ଟ ସାର୍ଟ ବ୍ୟତୀତ କାନ୍ଧ ରେ ପଡିଛି ଏକ ଶାଲ। ତା ବ୍ୟତୀତ ଆଉ କୌଣସି ସମ୍ପତ୍ତି ନାହିଁ ୟାଙ୍କ ପାଖରେ। ପେଟ ଭୋକ ରେ ଜଳୁଛି। ଖାଇବାକୁ କିଛି ନାହିଁ ପାଖରେ। ବୋଧହୁଏ ପାଞ୍ଚ ଦଶ ଦିନ ହେବ ଦାନ୍ତ ବି ଘଷି ନାହାନ୍ତି। ଏପରି ଏକ ଅବସ୍ଥା ରେ ଯିଏ ମନ ସେ ପାଗଳ ବୋଲି ଭାବିବା ସ୍ବଭାବିକ। ହାଟ ସରି ଯାଇଥିଲା। ଦଳ ଦଳ ହୋଇ ଶେଷଦଳ ବି ଯିବାକୁ ବାହାରିଥିଲେ। ଅନ୍ୟନୋପାୟ ହୋଇ ୟେ ବି ତାଙ୍କ ପଛେ ପଛେ ଚାଲିବାକୁ ଆରମ୍ଭ କଲେ। କିଛି ବାଟ ପ୍ରାୟ ତିନି ଚାରି କିଲୋମିଟର ପାଦରେ ଚାଲିବା ପରେ ଦଳ ଭିତରୁ ଜଣେ ଜଣେ ଅଲଗା ହେବାକୁ ଲାଗିଲେ। ପାହାଡ଼ କଡେ କଡେ ରାସ୍ତା ରେ ଯିବାବେଳେ ଭୋକ ବିକଳ ରେ କେତେବେଳେ ସେ ପିଜୁଳି ଗଛ ର ପତ୍ର ତ କେତେବେଳେ କିଛି ବଣୁଆ କୋଳି ତୋଳି ଖାଉଥିଲେ। କୋଳି ତୋଳି ଆସିଲା ବେଳକୁ କେହି ଆଉ ଦେଖା ଯାଉ ନଥିଲେ ଆଖପାଖରେ । ଏପଟ ସେପଟ ହୋଇ ଦେଖିଲା ପରେ ବୁଢ଼ୀଟିଏ ଆସ୍ତେ ଆସ୍ତେ ଯାଉଥିବାର ସେ ଦେଖି ପାରିଲେ। ଲମ୍ବ ଲମ୍ବ ପାହୁଣ୍ଡ ପକେଇ ବୁଢ଼ୀ ପାଖରେ ପହଁଚିଲା ବେଳକୁ ବୁଢ଼ୀ କାଖରେ ଧରିଥିବା ବସ୍ତାଟିକୁ ଉଠେଇ ନପାରି ଆସ୍ତେ ଆସ୍ତେ ଚାଲୁଥିଲା। ୟାଙ୍କୁ ଦେଖି ଆଦିବାସୀ ଭାଷା ରେ ପଚାରିଲା କିଏ? କୁଆଡେ ଯିବ? କିଛି ବୁଝି ନପାରି ବୁଢ଼ୀ ମୁହଁକୁ ବାଲୁବାଲୁ ହୋଇ ଚାହିଁ ରହିଲେ ସେ। ଏବେ ଠାରରେ ପଚାରିଲା କଣ ଘୁଙ୍ଗା? ହଁ କହି ମୁଣ୍ଡ ହଲେଇଲେ। ବୁଢ଼ୀ କାଖରୁ ବସ୍ତା ଟି ଆଣି ସାହାଯ୍ୟ କରିବା ଭଙ୍ଗୀରେ ଆଗକୁ ଯିବାକୁ କହିଲେ ବୁଢ଼ୀ କୁ। ଅତ୍ୟଧିକ ଓଜନ ବୋହି ନପାରି ବୁଢ଼ୀ ବିଚାରୀ ଆସ୍ତେ ଆସ୍ତେ ଚାଲୁଥିଲା। ଏବେ ଉଶ୍ୱାସ ହେବାରୁ ଭଲରେ ଚାଲିଲା ସେ। ତା ଭାଷା ରେ କେତେ କଣ ଗପି ଚାଲିଥାଏ ସେ। କିଛି ବି ବୁଝି ଆସୁ ନଥାଏ ୟାଙ୍କୁ। କିଛି ସମୟ ପରେ ଦୂରରୁ କିଛି ବସ୍ତି ପରି ଛୋଟ ଛୋଟ କୁଡ଼ିଆ ସବୁ ଦେଖାଗଲେ। ଜଙ୍ଗଲ ଭିତରେ କେତେବାଟ ସେ ଆସିଛନ୍ତି ଜାଣିବାର କିଛି ଉପାୟ ନଥିଲା ତାଙ୍କ ପାଖରେ। ଘରେ ପହଞ୍ଚି ବୁଢ଼ୀ ଠାର ରେ ପଚାରିଲା ରହିବୁ କେଉଁଠି? ଜାଣିନି, ବୋଲି ମୁଣ୍ଡ ହଲେଇଲେ। ବସ୍ତି ର ମୁଖିଆ ଆସି ଅଳ୍ପ ବହୁତ ତନାଘନା କରି ୟାଙ୍କ ପାଖରୁ କିଛି ବିପଦ ନଥିବା ଜାଣି ଅତିଥି ବୋଲି ସତ୍କାର କରିବାକୁ କିଛି ହାଣ୍ଡିଆ ଦେଲା ପିଇବାକୁ। ଜୀବନ ବିକଳ ରେ ସେତକ ଉଦରସ୍ଥ କରି ଆଉ ଟିକିଏ ପାଇଁ ଚାହିଁ ରହିଲେ ପ୍ରତ୍ୟୁଷ ମିଶ୍ର। ଭୋକ ମଣିଷ କୁ କେମିତି କଲବଲ କରେ ଆଜି ବୁଝି ପାରୁଥିଲେ ସେ। ଆରତକ ହାଣ୍ଡିଆ କୁ ପିଇ ସାରିଲା ପରେ ପେଟ ପୁରିବାରୁ ଏବେ ହାଣ୍ଡିଆ ର ଉତ୍କଟ ଗନ୍ଧ ବାରି ପାରୁଥିଲେ ସେ। ସନ୍ଧ୍ୟା ହେବାରୁ ବସ୍ତି ରେ ସମସ୍ତେ ଏକାଠି ହୋଇ ନାଚ ଗୀତ ଆରମ୍ଭ କରିଦେଇଥିଲେ। ବସ୍ତି କହିଲେ ଦଶ ଏଗାରଟି ଛୋଟ କୁଡ଼ିଆ। ସେଥିରୁ ଧାଙ୍ଗଡା, ଧାଙ୍ଗଡି ଙ୍କ ଘର ଅଲଗା। ଏକାଠି ବସି ଆଚାର ସହ ହାଣ୍ଡିଆ ସେଦିନ ଖୁବ ଆନନ୍ଦ ଦେଇଥିଲା ପ୍ରତ୍ୟୁଷ ମିଶ୍ର ଙ୍କୁ। ତାଙ୍କ ଜୀବନରେ ଏମିତି ଘଟଣା କେବେ ବି ଘଟି ନଥିଲା, ନା କେବେ ଘଟିବ ବୋଲି ସେ ଚିନ୍ତା କରିଥିଲେ। ସକାଳୁ ଆଦିବାସୀ ଛୁଆଙ୍କ ପାଟିରେ ନିଦ ଭାଙ୍ଗିଲା ତାଙ୍କର। ନାଚଗୀତ ଜାଗାରେ ହିଁ ସମସ୍ତେ ଶୋଇ ପଡ଼ିଥିଲେ। ପୁଅ, ଝିଅ, ବୁଢା, ବୁଢ଼ୀ, ଧାଙ୍ଗଡ଼ା, ଧାଙ୍ଗଡି, ଛୁଆ ପିଲା କାହାର କିଛି ବାଛ ବିଚାର ନଥିଲା। ସମସ୍ତେ ସମସ୍ତଙ୍କ ଉପରେ ହାତଗୋଡ଼ ଲଦି ନିଆଁ ଚାରି ପାଖରେ କାତ ମେଲେଇ ଶୋଇ ପଡ଼ିଥିଲେ। ସକାଳୁ ଉଠି ଅର୍ଧନଗ୍ନ ଶରୀର ଗୁଡିକୁ ଦେଖି ହଡବଡେଇ ଯାଇଥିଲେ ସେ। ଠିକ ଠାକ ଅବସ୍ଥା କୁ ଆସିବା ପାଇଁ କିଛିସମୟ ଲାଗିଥିଲା ତାଙ୍କୁ। ସହର ରେ ମିନି ଡ୍ରେସ ପିନ୍ଧି ଝିଅ ମାନେ ବୁଲିଲାବେଳେ ଟୋକାଙ୍କ ଆଖି ର ରହସ୍ୟ ଆଉ ଏ ବସ୍ତି ଭିତରେ ଅର୍ଧନଗ୍ନ ଶରୀର ମାନଙ୍କ ଭିତରେ ଯୁବାନ ଟୋକାଙ୍କ ଆଖି ଭିତର ର ନରମପଣ ବାରି ପାରୁଥିଲେ ସେ। ଆଦିବାସୀ ବସ୍ତି ର ନିୟମ, ଲୋକ ମାନଙ୍କ ଚିନ୍ତାଧାରା, ସେମାନଙ୍କ ଚାଲିଚଲଣ ଦେଖି ନିଜକୁ ସହରୀ ବୋଲି ଭାବିବାକୁ ଲଜ୍ୟା ଆସୁଥିଲା ପ୍ରତ୍ୟୁଷ ମିଶ୍ରଙ୍କୁ । କିଛିଦିନ ଭିତରେ ସେ ବି ମିଶି ଯାଇଥିଲେ ଆଦିବାସୀଙ୍କ ସହ। ଆପଣେଇ ନେଇଥିଲେ ସେମାନଙ୍କ ଚରିତ୍ର କୁ। ହୋଇଯାଇଥିଲେ ଜଣେ ସହରୀ ଆଦିବାସୀ। ଝରଣା ରୁ ତେଣ୍ଟା ରେ ମାଛ ମାରିବା, ଗାଇ ଚରେଇ ନେବା, ବଣ ରୁ ମହୁଲ ସଂଗ୍ରହ କରିବା, ଜନ୍ତୁ ଶିକାର କରିବା, ମାଣ୍ଡିଆ ଜାଉ ଓ ଆମ୍ବ ଟାକୁଆ ଜାଉ ଖାଇବା ସହ ସନ୍ଧ୍ୟା ରେ ହାଣ୍ଡିଆ ପିଇ ନାଚ ଗୀତ ରେ ମସଗୁଲ ହେବାରେ ଅଭ୍ୟସ୍ତ ହୋଇ ଯାଇଥିଲେ ସେ। ଦିନ ପରେ ଦିନ ବିତି ଚାଲିଥିଲା। ମନରୁ ଆସ୍ତେ ଆସ୍ତେ ବାପା, ମା, ସାଙ୍ଗ ସାଥୀ, ଅଫିସ, ସହରୀ ଜୀବନ ସବୁ ର ସ୍ମୃତି ଉପରେ ଧୂଳି ଚଢ଼ିବାକୁ ଲାଗିଥିଲା। ବେଳେବେଳେ ରାତିର ଅନ୍ଧାର ରେ ଆକାଶ କୁ ଚାହିଁ ସପ୍ତର୍ଷି ମଣ୍ଡଳ ଖୋଜିଲା ବେଳେ ଅବା ପୂର୍ଣ୍ଣିମା ର ଜହ୍ନ ଆଲୁଅ ରେ ଆଖି ଆଗରେ ଭାସି ବୁଲନ୍ତି ମା ବାପା, ମିନି ଓ ମିନାକ୍ଷୀ। ଆଖିର ଲୁହରେ ଝାପ୍ସା ଦେଖା ଯାଆନ୍ତି, ଆସ୍ତେ ଆସ୍ତେ ହଜି ଯାଆନ୍ତି ହାଣ୍ଡିଆ ନିଶାରେ। ସକାଳକୁ ପ୍ରତ୍ୟୁଷ ପୁଣି ହୋଇଯାଆନ୍ତି ଜଣେ ଆଦିବାସୀ। ତେଣ୍ଟାରେ ମାଛ ମାରିବାରେ ଓସ୍ତାଦ ସେ ଏବେ,ଜନ୍ତୁ ଶିକାର ବି କିଛି କିଛି ଶିଖିଗଲାଣି, ହାଣ୍ଡିଆ ର ବାସ୍ନା ଏବେ ତାକୁ ମତୁଆଲା କରେ, ଆଦିବାସୀ ଭାଷା କିଛି କିଛି ଅକ୍ତିଆର ରେ ଆସିଲେଣି।ଗୋଟିଏ ଜିନିଷ ଏବେ ଯାଏଁ ହେଲା ନାହିଁ I ଝିକା ବାହାଘର ରେ ଝିଅଟିଏ କୁ ଝିକି ପାରିଲେନି ସେ। ଆଦିବାସୀ ସାଙ୍ଗ ସାଥୀ ସବୁ ବହୁତ କହିଲା ପରେ ବି ସେଇ ଝିଅ ମାନଙ୍କ ଭିତରେ ତାକୁ ଦିଶି ଯାଆନ୍ତି ଆଦର ର ସାନ ଭଉଣୀ ମିନିର ମୁହଁ। ଗୋଟିଏ ବୋଲି ଭଉଣୀ ତା’ର, ତାକୁ ବି ବାହାଦେଇ ପାରିଲାନି। ମିନାକ୍ଷୀ କଥା ତ ନ କହିବା ଭଲ, ଯିଏ ବାରବର୍ଷ ଧରି ଅପେକ୍ଷା କଲା, ତା ସହ ସେ କଲା କଣ? ଧୋକା ଦେଇ ପଳାତକ ସାଜିଲା। ଆଖିର କୋଣ ରୁ ଲୁହ ଆପେ ବୋହି ଆସେ ତା’ର। ବାପା ମା କେମିତି ଥିବେ ଏବେ? ଲୁହ ଆଖିରୁ ନିଗିଡି ଗାଲ ଉପରକୁ ଆସିବା ପୂର୍ବରୁ ପୋଛି ପକାଏ ସେ। ମନେ ପଡେ ଘର, ଅଫିସ, ସାଙ୍ଗସାଥୀ, ଅଫିସ ପାର୍ଟି I କଣ କରିଥିବ ସିଇଓ? ପ୍ରୋଜେକଟ ହାତରୁ ଯାଇଥିବା ନା ସିଇଓ ନିଜେ ଦାୟିତ୍ୱ ନେଇ ସାରିଥିବ ପ୍ରୋଜେକଟ କୁ? କ୍ଲାଏଣ୍ଟ କଣ ସିଇଓ କୁ ଏମିତି ଗାଳି ଦେଇଥିବ?  ଏମିତି କେତେ ଚିନ୍ତା ମୁଣ୍ଡରେ ପଶେ I ଶୀତରେ ନିଆଁ ପାଖରେ ବସି ହାଣ୍ଡିଆ ପିଉ ପିଉ, ଆସ୍ତେ ଆସ୍ତେ ହାଣ୍ଡିଆ ର ନିଶା ଚଢ଼େ, ରାତି ହୁଏ I ପୁଣି ସକାଳ ହୁଏ, ସେ ଯାଏ ଜଙ୍ଗଲ କୁ, ମାଛ ମାରେ, ଜନ୍ତୁ ଶିକାର କରେ, ଦେହରେ ମାଟି ବୋଳିହୋଇ ମହୁ ଆଣେ, ଗଛ କାଟେ, ଝରଣା ରେ ଗାଧାଏ, ଆମ୍ବ ଟାକୁଆ ଜାଉ ଖାଏ, ପୁଣି ହାଣ୍ଡିଆ ପିଏ, ଶୋଇ ଯାଏ। ହାଣ୍ଡିଆ ନିଶାରେ ମନରୁ ପାଶୋରି ହୋଇ ଯାଆନ୍ତି ବାପା, ମା, ମିନି, ମିନାକ୍ଷୀ, ଅଫିସ, ସହରୀ ଜୀବନ, କ୍ଲାଏଣ୍ଟ, ସିଇଓ, ପାର୍ଟି, ଟ୍ରାଫିକ, ଗାଡ଼ି, ଘର ଓ ଅନ୍ୟମାନେ। 

ତୃତୀୟ ଘର…  ଭାଗ – ୪    

ହାଣ୍ଡିଆ ନିଶା ରେ ମନରୁ ପାଶୋରି ହୋଇ ଯାଆନ୍ତି ବାପା, ମା, ମିନି, ମିନାକ୍ଷୀ, ଅଫିସ, ସହରୀ ଜୀବନ, କ୍ଲାଏଣ୍ଟ, ସିଇଓ, ପାର୍ଟି, ଟ୍ରାଫିକ, ଗାଡ଼ି, ଘର ଓ ଅନ୍ୟମାନେ।   

ତା’ପରେ ….    

ଏ ଭିତରେ ତିନିବର୍ଷ ରୁ ଅଧିକ ସମୟ ବିତି ସାରିଥାଏ। ସେଦିନ ବସ୍ତି ପାଇଁ ଥିଲା କାଳରାତ୍ରି। ସର୍ଦ୍ଦାର  ସ୍ତ୍ରୀର କଣ ପିଲାପିଲି ହେବାର ଥାଏ।ତା’ ତିରଲା ର ଗର୍ଜନ ରେ ଭୂଇଁ ଥରି ଉଠୁଥାଏ। ଦିସାରି, କେତେକଣ ମନ୍ତ୍ର ଜପି ମନ୍ତୁରା ପାଣି ତା ଉପରେ ପକାଉଥାଏ। ବୁଢ଼ୀ ଜଣେ ଉପରକୁ ହାତ ଟେକି ଗାଁ ଦେବୀ, ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟ ରେ କଣ ସବୁ କହି ଯାଉଥାଏ। କିନ୍ତୁ ବହୁତ ବେଳ ହେଲା ପରେ ବି କିଛିଭଲ ନ ଦିଶିବାରୁ କିଛି ଜଣ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ପାଖ ଗାଁ କୁ ଡାକ୍ତର ଡାକିବାକୁ ଗଲେ। ଘଣ୍ଟାଏ ବିତିବା ପରେ ଡାକ୍ତର ଆସି ପରୀକ୍ଷା କରି କହିଲେ,”ମୋ ଦ୍ବାରା ସମ୍ଭବ ନୁହେଁ, ଡାକ୍ତରଖାନା ନେବାକୁ ପଡିବ। ନହେଲେ ମା, ଛୁଆ ଦି ଜଣଙ୍କ ଜୀବନ ପ୍ରତି ବିପଦ ଅଛି”।ଆଉ କିଛି ଉପାୟ ନାହିଁ, ଡାକ୍ତର ଖାନା ପ୍ରାୟ କୋଡିଏ କିଲୋମିଟର ଦୂର। ପାହାଡ଼ି ରାସ୍ତା ରେ ତିନି କିଲୋମିଟର ଯିବାକୁ ପଡ଼ିବ, ତା ପରେ ଝରଣା ଡେଇଁଲେ ପୋଷେ ବାଟ ପରେ ପକ୍କା ରାସ୍ତା କିନ୍ତୁ ଗାଡି ମଟର ସେଆଡ଼େ ଯାଏନି। ସେଠି ଜଣେ ବାବୁ ଅଛନ୍ତି ତାଙ୍କୁ କହିଲେ ସେ ଫୋନ କରି ମଟର ଡାକିବେ। ଆଉ ଅପେକ୍ଷା ନକରି ବସ୍ତି ର କିଛି ଲୋକ, ମୁଖିଆ, ପ୍ରତ୍ୟୁଷ ଓ ମାଇକିନା ଦି ଜଣ ବାହାରି ପଡିଲେ। ଗଲାବେଳେ ପ୍ରତ୍ୟୁଷ ତା ପୁରାଣ ଜାମାଟିକୁ କାନ୍ଧରେ ପକେଇ ବାହାରିଲା I  ଭାର କରି ପାହାଡ଼ି ରାସ୍ତା ରେ କାନ୍ଧ କୁ କାନ୍ଧ ଦେଇ ଯିବାକୁ ହେଲା। ପ୍ରସୂତି ଜଣଙ୍କ ଆବଡା ଖାବଡା ରାସ୍ତା ରେ କଷ୍ଟ ଯୋଗୁଁ ଚିତ୍କାର କରୁଥାନ୍ତି। ସେ ଚିତ୍କାର ଶୁଣି ବଣ ଭୂଇଁ ବି କାନ୍ଦି ଉଠୁଥାଏ। ଗଛଲତା ଲଇଁପଡି ନିଜ ନିଜ ଦୁଃଖ ଜଣାଉଥାନ୍ତି I  ଜୀବନ କୁ ପାଣି ଛଡେଇ ପ୍ରସୂତି ଜଣଙ୍କ ସହି ଯିବାକୁ ଚେଷ୍ଟା କରୁଥାନ୍ତି। ପାଖରେ ଥିବା ମାଇକିନା ଦି ଜଣ ତାଙ୍କୁ ନାଁ ଡାକି ପ୍ରବୋଧନା ଦେବାକୁ ଚେଷ୍ଟା କରୁଥାନ୍ତି। ପାହାଡ଼ି ରାସ୍ତା ଛାଡି ସେମାନେ ଏବେ ଝରଣା କୁଳ ରେ ପହଁଚିଲେ। ଆକାଶ ବି ନିଜ ଦୁଃଖ ବର୍ଷା ଆକାରରେ ଜଣାଉଥାଏ I ବର୍ଷା ଯୋଗୁଁ ଝରଣା ରେ ପାଣି ଅଧିକ ଥାଏ। ଭାର କାମ ଦେବନି, ଭେଳା କରିବାକୁ ପଡିବ। ଅପେକ୍ଷା ନକରି ଦୁଇଜଣ ଅଣ୍ଟା ରୁ କାତି ବାହାର କରି ଖେଦି ଗଲେ ଜଙ୍ଗଲ ଭିତରକୁ। ଦଶ ମିନିଟ ଭିତରେ କଦଳୀ ଗଛ ଆଠ ଦଶଟା ଆଣିଲେ ଭାରି। କଦଳୀ ବହୁଙ୍ଗା ରୁ ରସି ବାହାରକରି ତୁରନ୍ତ ଭେଳା ଟିଏ ତିଆରି କରିଦେଲେ। ଏବେ ପ୍ରସୂତି ଜଣଙ୍କୁ ତା ଉପରେ ଶୁଆଇ, ଚାରିଜଣ ଭେଳାର ଚାରି ପାଖରୁ ଧରି ଆସ୍ତେ ଆସ୍ତେ ଝରଣା ଭିତରେ ଚାଲିଲେ। ଝରଣା ପାର ହେଲା ବେଳକୁ ରକ୍ତ ବୋହି ଝରଣା ପାଣି ବି ଲାଲ ପାଲଟି ଯାଉଥାଏ। କୌଣସି ଆଡେ ବି ନଜର ନଦେଇ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥିଲା ଡାକ୍ତରଖାନା ପହଞ୍ଚିବା। ଯାହା ହେଉ କଷ୍ଟ କଷ୍ଟ ରେ ଏବେ ସେମାନେ ଝରଣା ଟି ପାର ହୋଇଗଲେ। ବାବୁଙ୍କୁ କହି ମଟର ଗାଡି ଡାକି ଡାକ୍ତରଖାନା ପହଁଚିଲା ବେଳକୁ ମା ସହ ଛୁଆର ବି ଅବସ୍ଥା ଖରାପ। ସଙ୍ଗେ ସଙ୍ଗେ ଅପରେସନ ପାଇଁ ଟଙ୍କା ଯୋଗାଡ କରିବାକୁ ନର୍ସ ଜଣେ କହିଦେଇ ଗଲେ, “କୋଡିଏ ରୁ ତିରିଶ ହଜାର ଭିତରେ ଟଙ୍କା ଲାଗିବ। ଯେତେ ଶୀଘ୍ର ପାରୁଛ ଯୋଗାଡ଼ କର। ନହେଲେ ମା, ଛୁଆ ଦି ଜଣଙ୍କୁ ବଞ୍ଚେଇବା କଷ୍ଟ ହୋଇ ପଡିବ”।ଟଙ୍କା କିଏ ଆଦିବାସୀ ଲୋକ କିଏ? ସର୍ଦ୍ଦାର ଅଣ୍ଟା ରେ ଶହେ ଟଙ୍କିଆ ନୋଟ ଦୁଇଖଣ୍ଡ ଖୋସିଥିଲା। ସେ ବି ଝରଣା ପାଣିରେ ଓଦା ହୋଇ ଯାଇଥିଲା। ମଟର, ସରକାର ମାଗଣା କରିଛି ତଥାପି କିଛି ନଦେଲେ ସେମାନେ ଶୁଣିବେନି,ତେଣୁ ମଟର ବାଲା କୁ ଶହେ ଦେବାକୁ ପଡିଲା। ଏବେ ମୁଣ୍ଡରେ ହାତ ଦେଇ ବସି ପଡ଼ିଥିଲେ ଆଦିବାସୀ ଲୋକ ମାନେ। ମାଇକିନା ମାନେ ବାହୁନି ବାହୁନି କାନ୍ଦିବା ଆରମ୍ଭ କରିଦେଇଥିଲେ। ସର୍ଦ୍ଦାର ସ୍ତ୍ରୀ ର ଚିତ୍କାର ଡାକ୍ତରଖାନା କାନ୍ଥ ଭେଦକରି ବାହାରକୁ ଶୁଣା ଯାଉଥାଏ। କଷ୍ଟ ରେ କାନ୍ଦି କାନ୍ଦି ବେହୋସ ହୋଇ ଯାଉଥାଏ ବିଚାରୀ।  ହରଡ଼ ଘଣା ରେ ପଡିଯାଇଥିଲେ ପ୍ରତ୍ୟୁଷ ମିଶ୍ର। କଣ କରିବେ? ପଇସା ତ ତାଙ୍କ ଆକାଉଣ୍ଟ ରେ ଥିବ, ଏଟିଏମ ରହିଗଲା ବସ୍ତି ରେ, ଆଣିଥିଲେ ଅବା କିଛି କରିପାରିଥାନ୍ତେ ବୋଲି ମନକୁ ବୁଝାଉଥିଲେ ସେ। ତଥାପି ମନ ମାନୁ ନଥିଲା, ଜାମା ପକେଟ ରେ ହାତ ମାରୁ ମାରୁ ପର୍ସ ଟି ହାତରେ ବାଜିଲା । କଳାହାଣ୍ଡିଆ ବାଦଲ ଭିତରେ ବିଜୁଳି ଚମକିଲା ପରି ଚମକି ଉଠିଲେ ସେ, କିନ୍ତୁ ପାସ୍ୱାର୍ଡ ମନେ ନାହିଁ I ଥରେ ଦି ଥର ଟ୍ରାଏ କଲେ ମନେ ପଡିଯିବ କିନ୍ତୁ ଏତେଦିନ ରୁ ଅଜ୍ଞାତ ବାସ ରେ ରହି ଆସିଥିବା ତାଙ୍କ ପରିଚୟ ବୋଧ ହୁଏ ଜଣା ପଡିଯିବ। ଟଙ୍କା ଉଠେଇଲା ମାତ୍ରେ ମୋବାଇଲ କୁ ମେସେଜ ଯିବ ଓ ମିନାକ୍ଷୀ ସଙ୍ଗେ ସଙ୍ଗେ ଜାଣିଯିବେ ତାଙ୍କ ଠିକଣା। ହେଲେ ମିନାକ୍ଷୀ କଣ ଆଜିଯାଏଁ ରଖିଥିବେ ସେ ମୋବାଇଲ କୁ? ସତରେ କଣ ଟଙ୍କା ଥିବ ତାଙ୍କ ଆକାଉଣ୍ଟ ରେ? ବ୍ୟାଙ୍କ ଆକାଉଣ୍ଟ, ଆକାଉଣ୍ଟ ରେ ପଇସା ଯଦି ଥିବ, ତେବେ ଯାଇ ସେ ସାହାଯ୍ୟ କରି ପାରିବେ। ଯଦି ସାହାଯ୍ୟ କଲେ ମୋବାଇଲ ଓ ସିମ ଥିଲେ ବୋଧହୁଏ ମିନାକ୍ଷୀ ଜାଣି ପାରିବେ। ନଚେତ ଯଦି କେବେ କିଏ ତାଙ୍କ ଆକାଉଣ୍ଟ ଦେଖିଲା ତା ପରେ ଯାଇ ଜାଣିବ । ଏତେ ଦିନ ପରେ କିଏ କିଆଁ ଦେଖିବାକୁ ଯିବ ତାଙ୍କ ଆକାଉଣ୍ଟ କୁ? ତେବେ ଥରେ ଚେଷ୍ଟା କରାଯାଉ । ଯଦି କିଛି ହୋଇ ପାରିଲା ତେବେ ବଞ୍ଚିଯିବ ଦୁଇଟି ଜୀବନ। ଏଇ ଜୀବନ ଦୁଇଟି ଦିନେ ରକ୍ଷା କରିଥିଲେ ତାଙ୍କୁ। କଣ କରିବେ, କଣ କରିବେ ଚିନ୍ତା କରୁ କରୁ ପୁଣି ଥରେ ଶୁଣାଗଲା ପ୍ରସୂତି ର ଜୀବନ ବିକଳ ଚିତ୍କାର…ଭୋକିଲା ପେଟ କୁ ଦେଇଥିବା ଦାନା ର ଋଣ ସୁଝିବାର ସମୟ ବୋଧେ ଆସି ସାରିଥିଲା। କାଳବିଳମ୍ବ ନକରି ଏକାମୁହାଁ ହୋଇ ଆକାଉଣ୍ଟ ସେକ୍ସନ ପାଖରେ ପହଞ୍ଚି ଶୁଦ୍ଧ ଓଡ଼ିଆ ରେ କଥା ହେଲେ ସେ। ଭୂତ ଦେଖିଲା ପରି ଚମକି ଉଠିଲା ଆକାଉଣ୍ଟ ପିଲାଟି। ଆଦିବାସୀ, ମୁହଁରେ ଦାଢ଼ି, ଚୁଟି ହାତେ ହେବ ଲମ୍ବି ଗଲାଣି, ବେଶଭୂଷା କହିଲେ ଲୁଙ୍ଗି ଖଣ୍ଡେ କୁ ଗାମୁଛା ଖଣ୍ଡେ। ଦେହ ରେ ଆଦିବାସୀ ଙ୍କ ବେଶ। କିନ୍ତୁ ୟେ ଆଦିବାସୀ ନୁହେଁ। ୟା ପାଖରେ ପୁଣି ବ୍ୟାଙ୍କ ଆକାଉଣ୍ଟ? କଥା ହେଉଛି ଶୁଦ୍ଧ ଓଡ଼ିଆ ରେ I  ଆଶ୍ଚର୍ଯ୍ୟ ଦୃଷ୍ଟି ରେ ଚାହିଁ ଭିତରକୁ ଆସି ଡେବିଟ କାର୍ଡ ନେଇ ମେସିନ ରେ ଘଷିଲା ସେ । ସେତେବେଳୁ ଆକାଉଣ୍ଟ ପିଲାର ହାବଭାଵ ଲକ୍ଷ୍ୟ କରୁଥିବା ପ୍ରତ୍ୟୁଷ ଇଂରାଜୀ ରେ ଦୁଇପଦ କଥା ହୋଇଗଲା ତା ସହ। ମୁହଁରେ ହସ ଉକୁଟି ଆସିଲା ପିଲାଟିର। ଯନ୍ତ୍ରବତ ଡାକ୍ତର ଙ୍କୁ ଡାକି ଅପରେସନ ସହ ବାକି ସବୁ କାମ ସୁରୁଖୁରୁ ରେ କରିବାକୁ କହିଲା ସେ। ତିନିବର୍ଷ ପରେ ପ୍ରତ୍ୟୁଷ ର ମୋବାଇଲ ରେ ମେସେଜ ଟିଏ ଦେଖି ଅନ୍ୟମନସ୍କ ଭାବେ ଇନବକ୍ସ ଖୋଲିଲେ ମିନାକ୍ଷୀ। ତିରିଶ ହଜାର ଟଙ୍କା ,ଜୈନ ହସ୍ପିଟାଲ ସହ ଜାଗା ନାଁ ଦେଖି ନିଜ ଆଖିକୁ ବି ବିଶ୍ୱାସ କରି ପାରୁନଥିଲେ ସେ। ଗୁଗୁଲ ମ୍ୟାପ ରୁ ଜଣା ପଡିଲା, ଜାଗାଟି ପ୍ରାୟ ତିନି ଶହ ପଚାଶ କିଲୋମିଟର ଦୂର। ଆଖପାଖରେ କୌଣସି ଏୟାରପୋର୍ଟ ନାହିଁ। କିନ୍ତୁ ଗାଡି ରେ ଯାଇ ହେବ। ଗୁଗୁଲ ରୁ ଡାକ୍ତରଖାନାର ଫୋନ ନମ୍ବର ବାହାର କରି, ଡାକ୍ତରଖାନା କୁ ଫୋନ କରି ପଇସା ବିଷୟ ରେ ପଚାରନ୍ତେ ଯାହା ଶୁଣିଲେ ବିଶ୍ୱାସ କରି ନପାରି ତୁରନ୍ତ ନିଜ ଜାଗାରୁ ଉଠି ଏକରକମ ଦୌଡ଼ିବା ଅବସ୍ଥା ରେ ଅଫିସ ବାହାରକୁ ଆସିଲେ। କେହି କେହି କାରଣ ଜାଣିବାକୁ ଚାହୁଁଥିଲେ ବି ସମୟ ନଷ୍ଟ ହେବା ଭୟରେ ଅଫିସ ରୁ ବାହାରକୁ ଆସି କ୍ୟାବ ଧରିଲେ ସେ। ଖବର ଟି ପ୍ରତ୍ୟୁଷ ର ବାପା ମାଙ୍କୁ ଦେବାପାଇଁ ଚାହୁଁଥିଲେ ବି ଅଜଣା ଭୟରେ କି ଚୋର କିଏ ହୋଇଥିବ ଭାବି, ପ୍ରଥମେ ନିଜେ ଯାଇ ଦେଖିଲା ପରେ ଖବର ଦେବେ ବୋଲି ଚିନ୍ତା କଲେ। ଗାଡି ଚାଲିଥାଏ, ସାତ ଆଠ ଘଣ୍ଟା ରୁ ଅଧିକ ସମୟ ଲାଗିବ ନିଶ୍ଚିତ। ଏ ଭିତରେ ସେ ଭାବି ଚାଲିଥାନ୍ତି, ନିଶ୍ଚିତ ଭାବେ ସେ ଫେରେଇ ଆଣିବେ ପ୍ରତ୍ୟୁଷ ଙ୍କୁ। ରାଣ ନିୟମ ପକେଇ କହିବେ ତାଙ୍କୁ। କେମିତି ଦେଖା ଯାଉଥିବେ ସେ? ଆଗର ସେ ଚେହେରା ଥିବ ନା ମୋଟା କିମ୍ବା ପତଳା ହୋଇ ଯାଇଥିବେ? କେଉଁଠି ଥିଲେ ଏତେ ଦିନ ଯାଏଁ? ମାଙ୍କ ବିଷୟ ଶୁଣି ନିଶ୍ଚିତ ଖୁସି ହୋଇଯିବେ। ଏବେ ତ ଆଉ କିଛି ବାରଣ ନାହିଁ, ଏବେ ନିଶ୍ଚିତ ଫେରି ଆସିବେ। ଦେଖିଲା ପରେ ପ୍ରତ୍ୟୁଷ ଙ୍କର ଆଉ ମିନାକ୍ଷୀ ର ବ୍ୟବହାର କେମିତି ରହିବ, ସେ ବିଷୟ ଭାବୁଭାବୁ କେତେବେଳେ ଯେ ନିଦ ଲାଗି ଯାଇଛି ଜଣା ନାହିଁ। ପ୍ରାୟ ତିନି ଘଣ୍ଟା ପରେ ନିଦ ଭାଙ୍ଗିଲା ତାଙ୍କର। ଗାଡି ଏବେ ଜଙ୍ଗଲ ଭିତରେ ପଶୁଥାଏ। ଗୁଗୁଲ ମ୍ୟାପ ରେ ଦେଖିଲେ ଗାଡି ଠିକ ରାସ୍ତା ରେ ଅଛି, ତେବେ କଣ ପ୍ରତ୍ୟୁଷ ଏ ଜଙ୍ଗଲ ଭିତରେ ଥିଲେ? କେତେଦିନ ହେଲାଣି? ତିନିବର୍ଷ? ଜଣେ ମଣିଷ କଣ ସହରୀ ଜୀବନ ର ଚାକଚକ୍ୟ ଭରା ଜୀବନ ରୁ ଆସି ଏ ଜଙ୍ଗଲ ଭିତରେ ରହିପାରେ? ଯେତିକି ଯେତିକି ଜଙ୍ଗଲ ଭିତରକୁ ଯାଉଥାନ୍ତି ସେତିକି ସେତିକି ଚିନ୍ତା ବଢି ଚାଲିଥାଏ ତାଙ୍କର….ଆସ୍ତେ ଆସ୍ତେ ଜଙ୍ଗଲ ଯେତେ ଗଭୀର ହେଉଥାଏ, ମିନାକ୍ଷୀ ଙ୍କ ମନ ସେତେ ବିଚଳିତ ଅବସ୍ଥା କୁ ଆସି ଯାଉଥାଏ। ଶେଷରେ ସେ ପହଞ୍ଚିଲେ  ଡାକ୍ତରଖାନା ରେ। ଡାକ୍ତରଖାନା ରେ ପହଞ୍ଚି ଏକ ରକମ ଦୌଡ଼ିବା ଅବସ୍ଥାରେ ପହଞ୍ଚିଲେ ଆକାଉଣ୍ଟ ସେକ୍ସନ ପାଖରେ। ପିଲାଟି ହାତ ଠାରି ଦେଖେଇ ଦେଲା ପ୍ରତ୍ୟୁଷ ବସିଥିବା ଜାଗାକୁ। 

କ୍ରମଶଃ….. ଭାଗ – ୫ ପୁଣି କାଲି ସକାଳ ୮ ଟା ରେ….  

ଲେଖକ : ସୁବଳ ମହାପାତ୍ର,ଖଲାରୀ, ଅନୁଗୁଳ, ଓଡିଶା      

ମୋ :୯୩୭୬୦୧୨୫୦୦,[email protected]