ଜିଲ୍ଲା ଉନ୍ନୟନ କମିଟି ବୈଠକ:ଗଞ୍ଜାମଜିଲ୍ଲାରେ କେତେ ଚାଷୀ ଅଛନ୍ତି ଅଫିସର ଜାଣିନାହାନ୍ତି…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଜିଲ୍ଲା ଉନ୍ନୟନ କମିଟିରେ ଉପସ୍ଥିତ ଅଧିକାରୀମାନଙ୍କୁ ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ଡ଼ଃ ପ୍ରତୀପ ପାଣିଗ୍ରାହୀ ଜିଲ୍ଲାରେ କେତେ ଜଣ ଚାଷୀ ଅଛନ୍ତି ପ୍ରଶ୍ନ କରିବାରୁ କୌଣସି ଅଧିକାରୀ ଉତ୍ତର ଦେଇପାରିବ ନ ଥିବା ସମସ୍ତଙ୍କୁ ଚକିତ କରିଥିଲା । ଗଞ୍ଜାମ ଜିଲ୍ଲାର ସପ୍ତମ ସାଧାରଣ ଅଧିବେଶନ ଜିଲ୍ଲା ପରିଷଦ ବୈଠକ ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୋନମ ପଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମେତ ଜଙ୍ଗଲ ଓ ପରିବେଶ ସଂସଦୀୟ ବେପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଶୀଘ୍ର ସମାପନ କରିବାକୁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଧିକାରୀମାନେ ନିଜ ନିଜ ଭିତରେ ସମନ୍ୱୟ ନ ରଖିଲେ ବିଭିନ୍ନ କାର୍ଯ୍ୟ ସୁଚାରୁ ରୂପେ ହୋଇପାରୁନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରି ମନ୍ତ୍ରୀ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଜିଲ୍ଲାର ସମସ୍ତ ଉନ୍ନୟନ କାର୍ଯ୍ୟ ଠିକ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଏହି ବୈଠକରେ କାଳିଆ ଯୋଜନାର ହିତାଧିକାରୀମାନଙ୍କୁ ତୁରନ୍ତ କାଳିଆ ଟଙ୍କା ପ୍ରଦାନ କରିବା ପାଇଁ ସଭ୍ୟମାନେ ଦାବୀ କରିଥିଲେ । ଜିଲ୍ଲାରେ ଆହୁରି କିପରି ମାଣ୍ଡିଆ ଚାଷ କରିବାକୁ ପ୍ରୋତ୍ସାହିତ କରାଯାଇଥିପାରିବ ସେଥିପାଇଁ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଜିଲ୍ଲାରେ ଚାଷୀମାନେ ଅଦ୍ୟାବଧି ଧାନ ବିକ୍ରି କରିପାରି ନ ଥିବାରୁ ଉଦବେଗ ପ୍ରକାଶ ପାଇଥିଲା । ଆନ୍ଧ୍ର ଠିକ ଭାବରେ ପଇସା ଦେଇ କୌଣସି ହଇରାଣ ହରକତ ନ କରି ଧାନ କିଣି ନେଉଥିବାରୁ ଚାଷୀ ମାନେ ଆନ୍ଧ୍ରକୁ ଧାନ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କିଛି ସଭ୍ୟ ପ୍ରକାଶ କରିଥିଲେ । ଫଳରେ ଚାଷୀମାନେ କିପରି ଠିକ ଭାବରେ ଧାନର ଉପଯୁକ୍ତ ମୂଲ୍ୟ ପାଇପାରିବେ ସରକାର ଧାନ କିଣିପାରିବ ସେଦିଗରେ ଦୃଷ୍ଟି ଦେବାକୁ ସଭ୍ୟମାନେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାର କେତେକ ସ୍ଥାନରେ ଏପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲା ଯାଇନାହିଁ ବୋଲି ଅସନ୍ତୋଷ ପ୍ରକାଶ ପାଇଥିଲା । ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ଏବଂ ବହୁ କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବା ନିମନ୍ତେ ଦାବି କରାଯାଇଥିଲା । ଛତ୍ରପୁର ବ୍ଲକ ବଡପୁଟି ଗ୍ରାମରେ ପାନୀୟ ଜଳର ଘୋର ଅଭାବ ହେଉଥିବା ବହୁ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ପଦକ୍ଷେପ ନେଉ ନଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଥିଲା ତୁରନ୍ତ ପାନୀୟଜଳ ଯୋଗାଣ କାର୍ଯ୍ୟକ୍ଷମ କରିବା ନିମନ୍ତେ ଛତ୍ରପୁର ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ବିଭାଗୀୟ ଅଧିକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ମତ୍ସ୍ୟ ଓ ପଶୁପାଳନ, ଶିକ୍ଷା, ସାଧାରଣ ବଣ୍ଟନ, ସ୍ୱାସ୍ଥ୍ୟ, ସମାଜମଙ୍ଗଳ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ସମେତ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିଲା ।

ପ୍ରାରମ୍ଭରେ ତପ୍ତପାଣି ଠାରେ ବସ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହାସହ ନବ ନିର୍ବାଚିତ ୧୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପ୍ରଧାନଙ୍କୁ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଏପିଡ଼ି କୃଷ୍ଣ ଚନ୍ଦ୍ର ପଣ୍ଡା, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଚିକିଟି ବିଧାୟିକାଙ୍କ ପ୍ରତିନିଧି ବି. କ୍ରିଷ୍ଣାମୂର୍ତ୍ତି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ କୁମାର ମହାପାତ୍ର, ସମବାୟବିତ ସୁଧୀର କୁମାର ରାଉତ, ଜିଲ୍ଲା ପରିଷଦ ସଭ୍ୟ ଏସ କିଶୋର ରେଡ୍ଡୀଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା