ଜାଣନ୍ତୁ ସେପ୍ଟେମ୍ବର ମାସର ଅନଲକ୍‌-୪ ଗାଇଡଲାଇନ୍…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସେପ୍ଟେମ୍ବର ମାସର କରୋନା ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ଗାଇଡ୍‌ ଲାଇନ୍‌ରେ କେଉଁଥିରେ କଟକଣା ରହିଲା ଓ କେଉଁଥିରେ ନାହିଁ ଜାଣନ୍ତୁ – ନୂଆ ଗାଇଡଲାଇନରେ ହଟିଲା ନାଇଟ କର୍ଫ୍ୟୁ । ରାତ୍ରୀକାଳୀନ କର୍ଫ୍ୟୁ ନେଇ ନୂଆ ଗାଇଡଲାଇନରେ କିଛି ଉଲ୍ଲେଖ କରି ନାହାନ୍ତି ରାଜ୍ୟ ସରକାର । ପୂର୍ବରୁ ନାଇଟ୍ କର୍ଫ୍ୟୁ ହଟାଇବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ ବି ଅଗଷ୍ଟରେ ଓଡିଶା ସରକାର ଏହାକୁ ବଳବତ୍ତର ରଖିଥିଲେ । ମାତ୍ର ସେପ୍ଟେମ୍ବର ପାଇଁ ହଟିଛି କର୍ଫ୍ୟୁ । ସେପଟେ ଶନିବାର ଓ ରବିବାର ସଟଡାଉନ ବି ହଟିଲା । ୪ ଜିଲ୍ଲାରେ ଥିବା ସପ୍ତାହାନ୍ତ ସଟଡାଉନ ହଟିଲା । ତେବେ ନୂଆ ଗାଇଡଲାଇନରେ ସଟଡାଉନ ରହିବା କଥା ମଧ୍ୟ ଉଲ୍ଲେଖ କରି ନାହାନ୍ତି ରାଜ୍ୟ ସରକାର । କଣ୍ଟେନମେଣ୍ଟ ଜୋନ୍‌ରେ ସେପ୍ଟେମ୍ବର ୩୦ ଯାଏ ଲକ୍‌ଡାଉନ୍ ଲାଗିବ । ସ୍ଥାନୀୟ ଅଧିକାରୀ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିପାରିବେ । କଣ୍ଟେନମେଣ୍ଟ ଜୋନ୍ ବାହାରେ ଜିଲ୍ଲା, ସବଡିଭିଜନରେ ଲାଗୁ ହେବ ନାହିଁ ଲକ୍ ଡାଉନ୍ । ସେପ୍ଟେମ୍ବର ୩୦ ତାରିଖ ଯାଏ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । ଅନ୍ତର୍ଜାତୀୟ ବିମାନ ଚଳାଚଳ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ । ସିନେମା ହଲ, ସୁଇମିଂ ପୁଲ୍, ଥିଏଟର, ଅଡିଟୋରିୟମ ବନ୍ଦ ରହିବ । ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟର ଖୋଲିବାକୁ ଅନୁମତି । ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ । ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ ବଡ଼ ସମାବେଶ ବନ୍ଦ ରହିବ । ଆଉ ରାଜ୍ୟରେ ଲାଗୁ ହେବ ନାହିଁ ରାତ୍ରକାଳୀନ କର୍ଫ୍ୟୁ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରହିବନି ନାଇଟ କର୍ଫ୍ୟୁ । ସପ୍ତାହାନ୍ତ ସଟଡାଉନ ବି ରାଜ୍ୟରେ ଲାଗୁ ହେବ ନାହିଁ । ଅକ୍ଟୋବର ମାସ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । କିନ୍ତୁ ଅନଲାଇନ ଶିକ୍ଷାଦାନ, ଖାତାଦେଖା ଏବଂ ପରୀକ୍ଷା ଆଦି ହୋଇପାରିବ । ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ ସ୍କୁଲ ଆସିବାକୁ ଅନୁମତି ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ଭିତରେ କିମ୍ବା ରାଜ୍ୟ-ରାଜ୍ୟ ଭିତରେ ଯିବା ଆସିବା ନେଇ କୌଣସି ପ୍ରତିବନ୍ଧକ ନାହିଁ । ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ସ୍ତ୍ରୀ ଲୋକଙ୍କୁ ବାହାରେ ନ ବୁଲିବାକୁ ପରାମର୍ଶ ଦିଆଯାଇଛି ।

 ରିପୋର୍ଟ : ନିମାଇଁ ଚରଣ ପଣ୍ଡା