ଜଳେଶ୍ୱର କୋର୍ଟ ସ୍ଥାନାନ୍ତର ଲାଗି ଚୁଡାନ୍ତ ପ୍ରସ୍ତୁତି ଶେଷ : ମାର୍ଚ୍ଚ୧ରୁ କାର୍ଯ୍ୟାରମ୍ଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ରେଳ ଓଭରବ୍ରିଜ୍ ନିର୍ମାଣ ଓ ସ୍ଥାନାଭାବ ଯୋଗୁଁ ଜଳେଶ୍ୱର କୋର୍ଟ ୬୦ନଂ ଜାତୀୟ ରାଜପଥ ପଢିଆରୀପୁର ମୌଜାର ପୁରୁଣା ୟୁନିଫାଏଡ ଚେକ୍‌ଗେଟ୍ ନିକଟକୁ ସ୍ଥାନାନ୍ତର ଲାଗି ସରକାରୀ ସିଦ୍ଧାନ୍ତ ଚୁଡାନ୍ତ ରୂପ ନେଇଛି । ତେଣୁ ଆଜି ବୁଧବାର ଜଳେଶ୍ୱର ବ୍ଲକ ପରିସରରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଶେଷ ହୋଇ ମାର୍ଚ୍ଚ ୧ ତାରିଖକୁ ସ୍ଥାନାନ୍ତର ଲାଗି ସ୍ଥିର କରାଯାଇଛି । ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଆର୍‌ଟିଓଙ୍କ ଚିଠିନଂ ୧୫୨୮ ତା ୧୩-୨-୨୦ ଅନୁଯାୟୀ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲାପ୍ରଶାସନର ଆବାହକ ତଥା ଆଂଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ, ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାର,ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ, ଜଳେଶ୍ୱର ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ଜଳେଶ୍ୱର ବାର୍ ସଭାପତି କୁଂଜ ବିହାରୀ ଦାସ, ବରିଷ୍ଠ ଆଇନ୍‌ଜିବୀ ଅନୀଲ କୁମାର ପରିଡା, ନିତ୍ୟଗୋପାଳ ଦାସ, ସଂପାଦକ ଦେବକାନ୍ତ କାସ୍ତା, ମଳୟ ମହାନ୍ତି, ବିନୋଦ ବିହାରୀ ଗିରି, ବସ୍ ମାଲିକ ସଂଘ ପକ୍ଷରୁ ହରେନ୍ଦ୍ର ଦାସ, ସୁଧିର କୁମାର ମହାନ୍ତି, ସୁବୋଧ କୁମାର ଭୂୟାଁ ଓ ବିଭିନ୍ନ ଅଟୋସଂଘର ସଭାପତି, ସଂପାଦକ ଏହି ଆଲୋଚନାରେ ଯୋଗ ଦେଇଥିଲେ । ଏ ସଂପର୍କରେ ବିଭିନ୍ନ ଆଲୋଚନା ସଂପର୍କରେ କୋର୍ଟ ସ୍ଥାନ ନିକଟରେ ଏକ ରାଜ୍ୟସ୍ତରୀୟ ବସ୍‌ଷ୍ଟାଣ୍ଡ, ପୁଲିସ୍ ବିଟ୍ ହାଉସ୍ ପ୍ରତିଷ୍ଠା ଏବଂ ୨୦ଟି ଟେମ୍ପୋ ସେଠାରେ ସଦାବେଳେ ରହିବାର ବ୍ୟବସ୍ଥା ହେବା ସହିତ ସମସ୍ତ ବସ୍ କୋର୍ଟସ୍ଥାନ ପର୍ଯ୍ୟନ୍ତ ଯିବାଲାଗି ସ୍ଥିର ହୋଇଛି । ରାଜ୍ୟ ଉଚ୍ଚନ୍ୟାୟାଳୟଙ୍କ ଚିଠିନଂ ୨୦୯୧ ତା ୧୦-୨-୨୦ ଅନୁଯାୟୀ ଜଳେଶ୍ୱରରେ ଅନ୍ୟଏକ ଅତିରିକ୍ତ ସିଭିଲ ଜର୍ଜକୋଟ ଓ ଜେଏମ୍‌ଏଫସି କୋର୍ଟ ପ୍ରତିଷ୍ଠା ହେବାର ସ୍ଥିର ହୋଇଥିବାର ପ୍ରଶାସନୀକ ଅଧିକାରୀ ଶ୍ରୀ ବି ଆଚାର୍ଯ୍ୟ ଏକ ଚିଠିରେ ରାଜ୍ୟ ସରକାରଙ୍କ ଆଇନ୍ ବିଭାଗକୁ ଜଣାଇଛନ୍ତି । ଫଳରେ ଜଳେଶ୍ୱର କୋର୍ଟ ପରିସରରେ ଜେଏମ୍‌ଏଫସି, ସିଭିଲଜଜ୍ (ଜୁନିଅର୍ ଡିଭିଜନ), ସିଭିଲଜଜ୍ (ସିନିଅର୍ ଡିଭିଜନ), ଫ୍ୟାମିଲି କୋର୍ଟ କାର୍ଯ୍ୟକ୍ଷମ ହେବା ସଂଗେ ସଂଗେ ଆଗାମୀ ଦିନରେ ଏକ ଏଡିଜେ କୋର୍ଟ ହେବାର ନିଷ୍ପତ୍ତି ହୋଇଛି । ଆଜିର ଏହି ବୈଠକ ପରେ ଜଳେଶ୍ୱରରୁ ନୂତନ କୋର୍ଟ ପରିସର ପର୍ଯ୍ୟନ୍ତ ମାତ୍ର ୪ କିମି. ଦୂରତ୍ୱ ଯାତ୍ରା ପାଇଁ ଟେମ୍ପୋଗୁଡିକ ପ୍ରତିଯାତ୍ରୀଠାରୁ ୨୦ଟଙ୍କା ଓ ରିଜର୍ଭ କଲେ ୮୦ଟଙ୍କା ନେବାପାଇଁ ହୋଇଥିବା ନିଷ୍ପତ୍ତିକୁ ସାଧାରଣରେ ତୀବ୍ର ବିରୋଧ କରାଯାଇଛି । ସୂଚନାଯୋଗ୍ୟ ଏଠାରୁ ୧୦କିମି. ଦୂର ନାମ୍ପୋ ପର୍ଯ୍ୟନ୍ତ ଯିବାପାଇଁ ୧୫ଟଙ୍କା ନିଆଯାଉଥିବା ବେଳେ ୪କି.ମି.କୁ ୨୦ଟଙ୍କା କିପରି ସମ୍ଭବ ହୋଇ ପାରିଲା ବୋଲି ବିଭିନ୍ନ ସ୍ଥାନରେ ସମାଲୋଚନା ହେଉଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା