କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନ ଖର୍ଚ୍ଚ ତାଲିମ ଶିବିର, ଗ୍ରାମାଞ୍ଚଳରେ ଅର୍ଥର ସଦ୍‌ବିନିଯୋଗ ନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ : ଜିଲ୍ଲାପାଳ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏଣିକି ଗ୍ରାମାଂଚଳରେ ଖର୍ଚ୍ଚ ଲାଗି ବିଭିନ୍ନ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ ୫୦ଲକ୍ଷ ଟଙ୍କା ପ୍ରତି ପଂଚାୟତକୁ ଯୋଗାଇବାର ବ୍ୟବସ୍ଥା କରିଛନ୍ତି । ଏହାର ସଦ୍‌ବିନିଯୋଗ ଲାଗି ଆଜି ବୁଧବାର ଜଳେଶ୍ୱର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ୩୫ଟି ପଂଚାୟତରୁ ଆସିଥିବା ସରପଂଚ ଓ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ମାନଙ୍କୁ ଏକ ତାଲିମ ପ୍ରଦାନ କରାଯାଇଛି । ଏଥିରେ ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗ ଦେଇ କେଉଁ ବିଭାଗରେ କେତେ ଟଙ୍କା ପଂଚାୟତକୁ ପ୍ରଦାନ କରାଯାଉଛି ଓ ଏହାର କିପରି ସଦ୍ ଉପଯୋଗ ହୋଇପାରିବ ସେ ସଂପର୍କରେ ଦୀର୍ଘ ସମୟ ପ୍ରଶିକ୍ଷଣ ଓ ପରାମର୍ଶ ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ସଦ୍‌ବିନିଯୋଗ ହୋଇନପାରିଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏଥିରେ ଜିପିଇଓ ମାୟାଧର ମଲ୍ଲିକ, ସିପି ସୁଜିତ୍ କୁମାର ଜେନା ଓ ସୋର ଏକାଣ୍ଟସ୍ ଅଫିସର ମୃଣାଳିକାନ୍ତ ଦାସ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପଂଚାୟତକୁ ମିଳୁଥିବା ସମସ୍ତ ଅର୍ଥ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବା ସଂପର୍କରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରଶିକ୍ଷଣକୁ ପୁନଃରୁତ୍ଥାନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆୟୋଜନ କରାଯାଇଥିଲା । ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କିଛିଦିନ ପୂର୍ବେ ହାଇଦ୍ରାବଦଠାରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇ ଫେରିଥିବାରୁ ସରପଂଚ ଓ ସମ୍ପ୍ରସାରଣ ଅଧିକାରୀମାନଙ୍କୁ ବିସ୍ତୃତରୂପେ ତାଲିମ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା