ଜଳେଶ୍ୱରରେ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ପ୍ରଶିକ୍ଷଣ ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପରିଷଦ ପକ୍ଷରୁ ସ୍ଥାନୀୟ ଜଳେଶ୍ୱର ନୋଡାଲ ହାଇସ୍କୁଲ ପରିସରରେ ବର୍ଜ୍ୟବସ୍ତୁ ଗୁଡିକୁ କିପରି ସୁ-ପରିଚାଳନା କରାଯିବ ଏବଂ ସେ ଗୁଡିକୁ କେଉଁଠି ଓ କିପରି ନଷ୍ଠ କରାଯିବ ସେ ସଂର୍ପକରେ ଏକ ପ୍ରଶିକ୍ଷଣ ଶିବିର ଆଜି ଅନୁଷ୍ଠିତ ହୋଇ ଯାଇଛି । ପୌରାଞ୍ଚଳ ପକ୍ଷରୁ ଘରୋଇକରଣ ସଫେଇ କାର୍ଯ୍ୟକୁ କିପରି ତ୍ୱାରିନ୍ନିତ କରାଯାଇ ପାରିବ ସେ ସଂପର୍କରେ ଆଲୋଚନା ମଧ୍ୟ ହୋଇଥିଲା । ପୌରପରିଷଦ ଅଂଚଳରେ ବସବାସ କରୁଥିବା ଜନସାଧାରଣ ନିଜ ନିଜ ଘରୁ ବାହାରୁଥିବା ଆବର୍ଜନାକୁ ଏଣେତେଣେ କିମ୍ବା ଡ୍ରେନ୍ରେ ନ ପକାଇ ଡଷ୍ଟବିନ୍ରେ ରଖିବାକୁ ସଚେତନ କରାଯବିା ସଂପର୍କରେ ପରାମର୍ଶ ଦିଆଯାଇଥିଲା । ଯେଉଁଠାରେ ପୌରପରିଷଦର ଡଷ୍ଟବିନ୍ ନାହିଁ ସେଠାରେ ଜନସାଧାରଣ ଘରେ ଏକ ଡଷ୍ଟବିନ୍ ରଖି ସେଥିରେ ଅଳିଆବର୍ଜନା ଗୁଡିକ ଜମାକରି ପରଦିନ ନିଜ ବାଡିବଗିଚାରେ ଥିବା ଗଛଗୁଡିକ ମୂଳରେ ପୋତିଦେବା କିମ୍ବା ପୌରପରିଷଦର ଗାଡି ଗଲେ ସେଗୁଡିକ ତାଙ୍କୁ ପ୍ରଦାନ କରିବା ସଂପର୍କରେ କହିଥିଲେ । ଜଳେଶ୍ୱର ପୌରପରିଷଦର ପ୍ରତ୍ୟେକ ୧୦ହଜାର ଜନସଂଖ୍ୟା ଅନୁଯାୟୀ ୨୮ଜଣ ସଫେଇ କର୍ମଚାରୀ ନିଯୁକ୍ତି ରହିବାର ନିୟମ ରହିଥିବାରୁ ସେହି ଅନୁପାତରେ ୨୫ହଜାର ଜନସଂଖ୍ୟା ବିଶିଷ୍ଟ ଜଳେଶ୍ୱର ପୌରାଞ୍ଚଳରେ ପ୍ରାୟ ୭୦ଜଣ ସଫେଇ କର୍ମଚାରୀ ନିଯୁକ୍ତ ହେବା ଉଚିତ ବୋଲି ଏନ୍ଆଇପିଏସ୍ର ଡାଇରେକ୍ଟର ପରମେଶ୍ୱର ଦାସ ଏଠାରେ ଯୋଗ ଦେଇ କହିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ବର୍ଜ୍ୟବସ୍ତୁକୁ କିପରି ସୁ-ପରିଚାଳନା କରାଯିବ ସେ ସଂପର୍କରେ ସ୍ଥାନୀୟ ଅଂଚଳରେ ଲୋକମାନଙ୍କୁ ସଚେତନା କରାଯିବା ପାଇଁ ସେ ବୁଝାଇଥିଲେ । ସଫେଇ କର୍ମଚାରୀ ମାନଙ୍କୁ ହୀନ ଚକ୍ଷୁରେ ନ ଦେଖି ସେମାନଙ୍କ ସହ ଉତ୍ତମ ବ୍ୟବହାର କରିବାପାଇଁ ସେ ପରାମର୍ଶ ଦେଇଥିଲେ । ମ୍ୟୁନିସିପାଲ୍ଟିର ବର୍ଜ୍ୟବସ୍ତୁ ଗୁଡିକୁ ସଫେଇ କର୍ମଚାରୀମାନେ ୬୦ନଂ ଜାତୀୟ ରାଜପଥ କଡରେ ପକାଉଥିବା ଯୋଗୁଁ ବିଭିନ୍ନ ସମୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ କ୍ଷୋଭ ପ୍ରକାଶ କରିବା ସଂପକରେ ଅବଗତ କରାଇଥିଲେ । ବର୍ଜ୍ୟବସ୍ତୁ ଗୁଡିକ ପକାଇବାପାଇଁ ପ୍ରସ୍ତାବିତ ସୁଗୋ ପଂଚାୟତର ଧାନସିମୁଳିଆଠାରେ ୬ଏକର ୨୮ଡିସିମିଲ ସ୍ଥାନ ନିରୂପଣ ହୋଇଥିଲେ ମଧ୍ୟ ଅଦ୍ୟାବଧି ହସ୍ତାନ୍ତର ହୋଇ ନଥିବାରୁ ଏହି ପ୍ରକଳ୍ପ ଡେରି ହେଉଥିବା ସଂପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ହୃଷିକେଶ ପାଣି ସୂଚନା ଦେଇଥିଲେ । ପ୍ରାରମ୍ଭରେ ପୌରକର୍ମଚାରୀ ପରମାନନ୍ଦ ପରିଡା ମଂଚ ଆମନ୍ତ୍ରଣ କରିଥିବା ବେଳେ କନିଷ୍ଠଯନ୍ତ୍ରୀ ସୁଦର୍ଶନ ଘଡେଇ, ପରିମଳ ବିଭାଗର ଭୁପେନ ଦାସ ପ୍ରମୁଖ ଯୋଗ ଦେଇ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ଆଲୋଚନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା