ସର୍ପ ଦଂଶନରେ ମହିଳା ମୃତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ନାଗ ସାପ ଦଂଶନରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ଅଧିନସ୍ଥ ଦିଗପହଣ୍ଡି ନିକଟସ୍ଥ ଗୌତମୀ ଗ୍ରାମ ଲେଙ୍କା ସାହିର ବିଶୁନୁ ଲେଙ୍କାଙ୍କ ପତ୍ନୀ ସଜନୀ ଲେଙ୍କା (୫୨) । ମଙ୍ଗଳବାର ଭୋର୍ରେ ଶୋଇଥିବା ସମୟରେ ହଠାତ୍ ଏକ ନାଗ ସାପ ଘରେ ପଶି ସଜନୀଙ୍କ ହାତର ବୁଢା ଆଙ୍ଗୁଠିକୁ କାମୁଡିଦେଇଥିଲା । ସଜ୍ଞାହୀନ ଅବସ୍ଥାରେ ପରିବାର ବର୍ଗ ଉଦ୍ଧାର କରି ତାଙ୍କୁ ଦିଗପହଣ୍ଡି ମେଡିକାଲରେ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଦିଆଯାଇଥିବା ବେଳେ ନିହାତୀ ଗରୀବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହୋଇଛି । ପ୍ରକାଶ ଯେ, ଘରେ ମୂଷା ଖାଇବାକୁ ନାଗ ସାପଟି ପଶିଯାଇଥିବା ବେଳେ ପରିବାର ବର୍ଗ ସାପକୁ ଦେଖି ଭୟଭୀତ ହୋଇଯାଇଥିଲେ । ସାପକୁ ଏଡାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଥିବା ବେଳେ ଶୋଇଥିବା ସମୟରେ ସଜନୀଙ୍କୁ ନାଗ ସାପଟି କାମୁଡିଦେଇ ଚାଲିଯାଇଥିଲା ବୋଲି ପରିବାର ବର୍ଗ କହିଛନ୍ତି । ପ୍ରଶାସନ ପକ୍ଷରୁ ସର୍ପ ଦଂଶନରେ ମୃତ୍ୟୁ ପରବର୍ତ୍ତୀ ଅନୁକମ୍ପା ରାଶି ଯୋଗାଇଦେବାକୁ ସାଧାରଣରେ ଦାବୀ ହୋଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା