ଘର ଟିକସ ଓ ୟୁଜର୍ସ ଫିଜ ବୃଦ୍ଧି ପ୍ରସଙ୍ଗ : ହାଇକୋର୍ଟରେ ମକଦ୍ଦମା କଲେ କଂଗ୍ରେସ ନେତା ପୀତବାସ ପଣ୍ଡା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ବେଆଇନ ଭାବରେ ଜନସାଧାରଣଙ୍କ ଉପରେ ଲଦି ଦିଆଯାଇଥିବା ମାତ୍ରାଧିକ ଘର ଟିକସ ଓ ୟୁଜର୍ସ ଫିଜକୁ ପ୍ରତ୍ୟାହାର ତଥା ରଦ୍ଦ କରିବା ପାଇଁ ଗଞ୍ଜାମ ଜିଲ୍ଲା କଂଗ୍ରେସ ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା, ହାଇକୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଛନ୍ତି । ଆବେଦନକାରୀ ଶ୍ରୀ ପଣ୍ଡା ମହାନଗର ନିଗମ, ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ପକ୍ଷ କରି ଫାଇଲ କରିଥିବା ମକଦ୍ଦମାରେ ମହାନଗର ନିଗମ କେଉଁ ଭିତ୍ତିଭୁମିରେ ଓଡିଶା ମୁନିସିପାଲଟି ଆଇନକୁ ଅଣଦେଖା କରି ବିନା ଜନଶୁଣାଣୀ ଓ ଲୋକଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଘର ଟୀକାଶକୁ ବୃଦ୍ଧି କଲେ, ତାର ସମସ୍ତ କାଗଜପତ୍ର ଉଚ୍ଚ ନ୍ୟାୟାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । ଏହାସହ ୟୁଜର୍ସ ଫିଜକୁ ବନ୍ଦ କରିବାକୁ ମାନ୍ୟବର ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି । ଯେହେତୁ ଲୋକେ ସାହିର ମଇଳା ଉଠାଇବା ପାଇଁ ମହାନଗର ନିଗମକୁ ଘର ଟିକସ ଆକାରରେ ପ୍ରତି ବର୍ଷ ଟଙ୍କା ପୈଠ କରନ୍ତି ଅତଏବ ପୁଣି ୟୁଜର୍ସ ଫିଜ ନାମରେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବା ଆଇନ ବିରୁଦ୍ଧ ଅଟେ । ହାଇକୋର୍ଟରେ ଦାଖଲ ହୋଇଥିବା ରିଟ ପିଟିସନରେ ଶ୍ରୀ ପଣ୍ଡା ବ୍ରହ୍ମପୁର ମୁନିସିପାଲଟି ଅଫିସ ଅର୍ଡର ନଂ-୨୪୦/୭/୧/୨୦୨୧କୁ ଚେଲଞ୍ଜ କରି ଏହା ଲୋକଙ୍କ ଠାରୁ ବେନିୟମ ଭାବରେ ଅର୍ଥ ଆଦାୟ କରାଯାଉଛି ବୋଲି ଆବେଦନରେ ଦର୍ଶାଇଛନ୍ତି । ଏହାସହ ମହାନଗର ନିଗମ ବିନା କାଉନସିଲ ତଥା ଅଫିସ ଅର୍ଡ଼ରରେ ଲୋକଙ୍କ ଠାରୁ ଘର ଟିକସ ପ୍ରାୟ ୧୦୦% ବୃଦ୍ଧି କରିଥିବା ନେଇ ଅଭିଯୋଗକାରୀ ଅଦାଲତକୁ ଜଣାଇଛନ୍ତି । ଆବେଦନକାରୀ ପୀତବାସ ପଣ୍ଡାଙ୍କ ତରଫରୁ ଓଡିଶା ହାଇକୋର୍ଟରେ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାସ ମକଦ୍ଦମା ପରିଚାଳନା କରୁଛନ୍ତି ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଗଞ୍ଜାମ ଜିଲ୍ଲା ସଭାପତି ତଥା ଆଇନଜୀବୀ ପୀତବାସ ପଣ୍ଡା ଜଣାଇଛନ୍ତି ।