ଗ୍ରୀନ୍‌ ଜୋନ୍‌ରେ ଗଞ୍ଜାମ:୨ଟି କରୋନା ରୋଗୀ ଚିହ୍ନଟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗ୍ରୀନ୍‌ ଜୋନ୍‌ରେ ଗଞ୍ଜାମ ଥିବା ବେଳେ ଆଜି ୨ଟି କରୋନା ରୋଗୀ ଚିହ୍ନଟ ହୋଇଛି । ଜିଲ୍ଲାର କବିସୂର୍ଯ୍ୟନଗରରେ ଗୋଟିଏ ଓ ଭଞ୍ଜନଗରରେ ଗୋଟିଏ ଚିହ୍ନଟ ହୋଇଛି । ଅଦ୍ୟାବଧି ଗଞ୍ଜାମରେ କୌଣସି ରୋଗୀ ନ ଥିବା ବେଳେ ଆଜି ଚିହ୍ନଟ ହୋଇଥିବା ଏହି ୨ ଟିକୁ ନେଇ ସାରା ଜିଲ୍ଲାରେ ଏକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଯାଇଛି । କରୋନା ସଂଖ୍ୟା ବଢ଼ୁଥିବାରୁ ଏହାର ସାବଧାନତା ସ୍ୱରୂପ ପୁଣି ମେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବୃଦ୍ଧି କରିଛନ୍ତି । ତେବେ ଏହି ସମୟରେ ଗ୍ରୀନ, ଅରେଞ୍ଜ, ରେଡ ଜୋନ୍‌ ପାଇଁ ଗାଇଡଲାଇନ୍‌ ଅଲଗା ରହିଛି । ଗ୍ରୀନ ଜୋନ୍‌ ପାଇଁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନରେ କେତେକ କୋହଳ କରାଯାଇଛି । ଗଞ୍ଜାମ ଜ଼ିଲା ଗ୍ରୀନ ଜୋନରେ ରହିଥିବାରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ତଥା ଜାରି ହୋଇଥିବା ଗାଇଡଲାଇନର ସମସ୍ତ ନିୟମଲାଗୁ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗ୍ରୀନ ଜୋନ୍‌ର ପ୍ରତିଟି ନିୟମକୁ ବଳବତ୍ତର ରଖାଯାଇଛି । ତେବେ ଏସବୁ ସତ୍ତ୍ୱେ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ କହିଛନ୍ତି । ଯେଉଁଠି ଏହା ନ ଥିବ ଉକ୍ତ ଦୋକାନ ଓ ସୁବିଧା ବନ୍ଦ କରି ଦିଆଯିବ । ସରକାରଙ୍କ ଗାଇଡଲାଇନ ଅନୁସାରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ତାହା କାର୍ଯ୍ୟକାରୀ ହେବା ପୂର୍ବରୁ ଥିବା ସକାଳ ୭ ଟା ରୁ ୧୨ ଦୋକାନ ଖୋଲିବା ନିୟମକୁ ବାତିଲ କରାଯାଇଥିବା ଜିଲାପାଳ କହିଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନ ଓ ମାଙ୍ଗଳିକ କାର୍ଯ୍ୟକ୍ରମ ଉପରେ କଟକଣା ପୂର୍ବଭଳି ରହିବ । ମଦ ଓ ପାନ ଦୋକାନ ଖୋଲାଯିବ କି ନାହିଁ ତାହା ଗାଇଡଲାଇନ ପ୍ରସ୍ତୁତ କରି କୁହାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା