କ୍ଷେତ୍ରମୋହନ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଆଗାମୀ ଦିନରେ ଦେଶରେ ଯୁବ ଗୋଷ୍ଠୀର ଅଭ୍ୟୁଦୟ ଘଟିବ l ଏବେ ଭାରତବର୍ଷରେ ଯୁବକ, ଯୁବତୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୬୮ ପ୍ରତିଶତ l ସେଇମାନେ ଦେଶକୁ ଆଗେଇ ନେବେ ଏବଂ ୨0୨୯ ମସିହା ବେଳକୁ ସେଇମାନଙ୍କ ଦ୍ୱାରା ଦେଶର ରାଜନୀତି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଘଟିବ ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମତବ୍ୟକ୍ତ କରିଛନ୍ତି l ବ୍ରହ୍ମପୁର ମହାନଗରାଞ୍ଚଳ ଉପକଣ୍ଠ ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ରମୋହନ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ‘ନୂଆ ଓଡ଼ିଶା, ଯୁବ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଉଦ୍-ଯାପନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ସାଂସଦ ଶ୍ରୀ ସାହୁ କହିଲେ, ଦେଶର ଯୁବଗୋଷ୍ଠୀ ରାଜନୈତିକ ମୂଲ୍ୟବୋଧ ସଂପର୍କରେ ବେଶ୍ ସଚେତନ ହେଲେଣି l ପାରମ୍ପରିକ ରୀତିରେ ଆଉ ଭୋଟଦାତାଙ୍କ ମନ ଜିଣି ହେବ ନାହିଁ l ରାଜନୈତିକ ଦଳମାନଙ୍କ କାର୍ଯ୍ୟଦକ୍ଷତା, ସ୍ୱଚ୍ଛତା ଓ ସଚ୍ଚୋଟତା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ଏବଂ ରାଜନୀତି କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆସିବ ବୋଲି ଶ୍ରୀ ସାହୁ କହିଥିଲେ l ଆଜି ପୂର୍ବାହ୍ଣରେ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ପାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପ୍ରାକ୍ତନ ବିଧାୟକ ଅଶୋକ ଚୌଧୁରୀ, ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ବିବେକ ରେଡ୍ଡୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପ୍ରତିଭା ଚୟନ ସହ ଯୁବ ଶକ୍ତିର ଉତ୍ଥାନ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ରାଜ୍ୟ ସରକାର ଯୁବ ପ୍ରତିଭାର ସାମଗ୍ରିକ ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ l ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ସମ୍ମାନିତ ବକ୍ତା ରୂପେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏକ ମାନବବାଦୀ, ନୀତିନିଷ୍ଠ ପୂର୍ଣ୍ଣାଙ୍ଗ ଜୀବନର ପ୍ରତିନିଧିତ୍ବ ସହ ନିଜ ଭିତରେ ଥିବା ପ୍ରଜ୍ଞା, ପ୍ରତିଭା ଓ ଜ୍ଞାନର ସକାରାତ୍ମକ ଉପଯୋଗ ଦିଗରେ ନିଷ୍ଠାର ସହ ପ୍ରୟାସ କରିବାକୁ ଛାତ୍ରଛାତ୍ରୀଙ୍କୁ ସଦୁପଦେଶ ପ୍ରଦାନ କରିଥିଲେ l ସାଂସ୍କୃତିକ ସଂଯୋଜକ ଡ. ହୃଷୀକେଶ ପଣ୍ଡା ସ୍ୱାଗତ ଭାଷଣ, ଅତିଥିମାନଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ନୋଡାଲ୍ ଅଧିକାରୀ ଡ. ସତୀଶ ପ୍ରସାଦ ନାୟକ ସାଂସ୍କୃତିକ, କ୍ରୀଡ଼ା ଓ ସାମାଜିକ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ l ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଆମନ୍ତ୍ରିତ ଅତିଥିମାନେ ଚତୁର୍ଦ୍ଧା ମୂରତିଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଏହି ଅବସରରେ ବିଭିନ୍ନ ସାଂସ୍କୃତିକ, କ୍ରୀଡ଼ା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମର ବିଜୟୀ ପ୍ରତିଯୋଗୀ ଓ ପ୍ରତିଯୋଗିନୀମାନଙ୍କୁ ପ୍ରମାଣପତ୍ର, ଟ୍ରଫି ଓ ପଦକ ପ୍ରଦାନ କରାଯାଇଥିଲା l ଶେଷରେ +୨ କଳା ଓ ବିଜ୍ଞାନ ପ୍ରଥମ ଓ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା