କୃଷକ ବିରୋଧୀ କୃଷି ଆଇନକୁ ରଦ୍ଦ କରିବା ପାଇଁ ଦେଶବ୍ୟାପୀ ସଂହତି ଦିବସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୃଷକ ବିରୋଧୀ ତଥା କର୍ପୋରେଟ ସପକ୍ଷବାଦୀ ୩ଟି କୃଷି ଆଇନ ଓ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦କୁ ରଦ୍ଦ କରିବା ପାଇଁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ନେତୃତ୍ୱରେ ସାରା ଦେଶର କୃଷକ ଦିଲ୍ଲୀ ଅଭିମୁଖେ ଯାତ୍ରା କରି ଦୀର୍ଘ ୭ ଦିନ ଧରି ବୀରତ୍ବପୂର୍ଣ ସଂଘର୍ଷ ଜାରି ରଖିଛନ୍ତି । ଦିଲ୍ଲୀରେ କୃଷକଙ୍କ ପ୍ରବେଶକୁ ରୋକିବା ପାଇଁ ସ୍ୱେଚ୍ଛାଚାରୀ ମୋଦି ସରକାର ସମସ୍ତ ଦମନ ମୂଳକ ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ଯଥା ରାସ୍ତା ଖୋଳିବା, ପ୍ରବଳ ଥଣ୍ଡା ସମୟରେ ଅନ୍ନଦାତାଙ୍କ ଉପରେ ପାଣିମାଡ, ଲୁହା ବୁହା ଗ୍ୟାସ୍ ପ୍ରୟୋଗ କରି ସମସ୍ତ ସୀମାକୁ ଲଂଘନ କରିଛନ୍ତି । ଭଗତ ସିଂଙ୍କ ଉତ୍ତର ଦାୟଦମାନେ ମୋଦି ସରକାରଙ୍କ ସମସ୍ତ ଚାଲକୁ ଭଣ୍ଡୁର କରି କଳା ଆଇନକୁ ରଦ୍ଦ କରି ଅନ୍ନଦାତାଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ସଂକଳ୍ପବଦ୍ଧ ହୋଇ ଅଗ୍ରସର ହେଉଛନ୍ତି । ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ସମେତ ଦେଶର ବିଭିନ୍ନ ପ୍ରାନ୍ତର ବର୍ଷିୟାନ କୃଷକ ଆନ୍ଦୋଳନରେ ତ୍ୟାଗ, ବଳିଦାନ ସହ ବୀରତ୍ବପୂର୍ଣ ସଂଘର୍ଷ ଇତିହାସ ପୃଷ୍ଠାରେ ନୂତନ ଅଧ୍ୟାୟ ଯୋଗ କରିଅଛି । ଅନ୍ନଦାତାଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ୦୩ ଡିସେମ୍ବର ୨୦୨୦କୁ ଦେଶବ୍ୟାପୀ ସଂହତି ଦିବସ ଭାବେ ପାଳନ କରିବା ପାଇଁ ଆହ୍ବାନ ଦେଇ ସଭାସମିତି, ଶୋଭାଯାତ୍ରା ଓ ବିକ୍ଷୋଭ ଆୟୋଜନ କରି ସମର୍ଥନକୁ ବ୍ୟାପକ କରିଛି । ଏହି ଆନ୍ଦୋଳନର ବିଶେଷତ୍ଵ ହେଉଛି କୃଷକ ବିରୋଧୀ କୃଷି ଆଇନକୁ ରଦ୍ଦ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ସଂଘର୍ଷ କରୁଛନ୍ତି ତାହା ସବୁ ଶ୍ରେଣୀର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସଂଶୋଧିତ ଆଇନ ଦେଶର ଖାଦ୍ୟ ଉତ୍ପାଦନ, ସଂରକ୍ଷଣ ଏବଂ ବଣ୍ଟନ କର୍ପୋରେଟ୍ କମ୍ପାନୀ ହାତକୁ ମାଲିକାନା ଟେକିଦେବ । ଏହାଦ୍ବାରା କେବଳ କୃଷକ ନୁହଁନ୍ତି, ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରୁଥିବା ସମସ୍ତ ଗରିବ ଓ ଖାଉଟି ବହୁ ମହଙ୍ଗାବୋଝର ଶିକାର ହେବେ । ଭବିଷ୍ୟତର ବିପଦକୁ ଅନୁଭବ କରି ଲକ୍ଷ ଲକ୍ଷ କୃଷକ, ୭୦-୮୦ ବର୍ଷ ବୟସ୍କ କୃଷକ ଏବଂ ମହିଳାମାନେ ମୋଦି ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ଦିଲ୍ଲୀ ପହଞ୍ଚିଛନ୍ତି । ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶ ଅନୁଯାୟୀ ଫସଲର ଦାମ, କୃଷକଙ୍କ ପାଇଁ ସୁଦିନ ଓ ଦୁଇ ଗୁଣା କୃଷକଙ୍କ ଆୟ କିପରି ମୋଦିଜୀ ଆଣିବେ ବୋଲି ଜବାବ ତଲବ କରିବେ ଏବଂ ଆନ୍ତର୍ଜାତୀୟ ସ୍ତରରେ ଅପମାନିତ ହୋଇଥିବା ମୋଦୀ କର୍ପୋରେଟ କମ୍ପାନୀ ପ୍ରତି ବିଶ୍ୱସ୍ତ ରହି ଏହି ଆଇନକୁ କାର୍ଯ୍ୟକାରୀ କରିଛନ୍ତି । କୃଷକଙ୍କୁ ଶ୍ରମିକ କରି କୃଷକଙ୍କ ମନରେ କୃଷି ଆଇନ ପ୍ରତି କ୍ଷୋଭ ସୃଷ୍ଟି କରାଯାଉଥିବା ମନ କି ବାତରେ ମୋଦି ଆରୋପ ଲଗାଇ କୃଷକଙ୍କ ଦକ୍ଷତା ପ୍ରତି ଅପମାନ କରୁଛନ୍ତିି । ଦେଶର ସମସ୍ତ ଜନଗଣ ଅନ୍ନଦାତାଙ୍କ ସମର୍ଥନରେ ଛିଡା ହେବା ଏବଂ ତିନିଜଣ ମହାନ କୃଷକଙ୍କ ବଳିଦାନକୁ ଅବିସ୍ମରଣୀୟ କରିବା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ବିରୋଧୀ ନୀତି ବିରୁଦ୍ଧର ଜନଗଣଙ୍କ ଏକତାକୁ ସୁନିଶ୍ଚିତ କରି ଶ୍ରମଜୀବୀଙ୍କ ବିଜୟକୁ ସୁନିଶ୍ଚିତ କରିବା ହିଁ ସମୟର ଆହ୍ବାନ । ଫାସିବାଦୀ ଶାସକଙ୍କ ହାତମୁଠିରୁ ଦେଶକୁ ରକ୍ଷା କରି ଦେଶବାସୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି କ୍ରାନ୍ତିକାରୀ କୃଷକ ସଭାର ଜିଲ୍ଲା କମିଟି ସଦସ୍ୟା ପି ପାର୍ବତୀ ଆହ୍ବାନ ଦେଇଛନ୍ତି ଏବଂ ଆସନ୍ତା ୫ ଡିସେମ୍ବର ୨୦୨୦ ରେ ପ୍ରତି ଗାଁ ଗାଁରେ ଅତ୍ୟାଚାରୀ ଶାସକ ମୋଦି, ଅମ୍ବାନୀ ଓ ଆଦାନୀର କୁଶପୁତ୍ତଳିକା ଜଳେଇ କର୍ପୋରେଟ କମ୍ପାନୀ ହାତରୁ କୃଷକର ଜୀବନ ଓ ଜୀବିକା ରକ୍ଷା କରିବା ନିମନ୍ତେ ଯୁବକ, ଛାତ୍ର, ଶ୍ରମିକ, ମହିଳା, ଆଦିବାସୀ ଓ ଦଳିତଙ୍କ ଏକତା ଅତ୍ୟନ୍ତ ଜରୁରୀ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ବିକ୍ଷୋଭରେ ଜିଲ୍ଲା ନେତ୍ରୀ ପି ପାର୍ବତୀ, ପିଣ୍ଟୁ ନାୟକ, ଜନ ଜାଗରଣ ଅଭିଯାନର ମଧୁସୂଦନ, ସାମାଜିକ କର୍ମୀ ଲେନା ଚାନ୍ଦ, ଆଇଏଫଟିୟୁ ରାଜ୍ୟ ଶ୍ରମିକ ନେତା ପ୍ରତାପ ପ୍ରଧାନ, ଏଆଇକେଏମଏସର ନାରାୟଣ ବିଷୋୟୀ ଓ ଲଡୁ ଡାକୁଆ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ଗୌତମ ନାହକ, ସାମାଜିକ କର୍ମୀ ଶ୍ରୀନିବାସ ରାଓ ଆଦି ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା