କୃଷକ ବିରୋଧୀ କୃଷି ଆଇନକୁ ରଦ୍ଦ କରିବା ପାଇଁ ମୋଦୀ-ଅମ୍ବାନୀ-ଆଦାନୀର କୂଶପୁତ୍ତଳିକା ଦାହ ଏବଂ ୮ ଡିସେମ୍ବର ଭାରତ ବନ୍ଦକୁ ସଫଳ କରିବା ନିମନ୍ତେ ଆହ୍ୱାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ କର୍ପୋରେଟ କମ୍ପାନୀ ସପକ୍ଷରେ କୃଷକ ଓ କୃଷି ବିରୋଧୀ ଯେଉଁ ତିନୋଟି କୃଷି ଆଇନ୍ ଏବଂ ଜନବିରୋଧୀ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦ କେନ୍ଦ୍ର ମୋଦି ସରକାର ଆଣିଛନ୍ତି ତାକୁ ରଦ୍ଦ କରିବା ପାଇଁଁ ଦୀର୍ଘ ୮ ଦିନ ଧରି ପ୍ରବଳ ଥଣ୍ଡା କାକରରେ ସାହସିକ ସଂଘର୍ଷ କରିଆସୁଛନ୍ତି ତାକୁ ଭଣ୍ଡୁର କରିବା ପରେ ମୋଦି ସରକାର ସମସ୍ତ ପ୍ରକାର ଦମନ ପଦକ୍ଷେପ ଏବଂ ଆଲୋଚନାକୁ ଡାକି ଭୁଆଁ ବୁଲାଇବା ନୀତି ଆପଣାଉଛନ୍ତି । ଏହି ଭୁଆଁ ବୁଲା ନୀତି ବିରୁଦ୍ଧରେ ଆଜି ୫ ଡିସେମ୍ବର ପ୍ରତ୍ୟେକ ଗାଁରେ କର୍ପୋରେଟ୍ ଆମ୍ବାନୀ, ଆଦାନୀ ସହିତ ମୋଦୀ ସରକାରଙ୍କ କୂଶପୁତ୍ତଳିକା ଦାହ କରିବା ପାଇଁ ଆହ୍ବାନ ଦିଆଯାଇଛି ଏହାକୁ ସଫଳ କରିବା ପାଇଁ ବିଭିନ୍ନ ଗ୍ରାମରେ କୁଶପୁତ୍ତଳିକା ଦାହ କରିବା ସହ ବ୍ରହ୍ମପୁର ସହରରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଗଞ୍ଜାମ ଜିଲ୍ଲା ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ଠାରେ କୁଶପୁତ୍ତଳିକା ଦାହ କରାଯାଇଛି । ଦିଲ୍ଲୀରେ ସଂଗ୍ରାମରତ ଲକ୍ଷ ଲକ୍ଷ କୃଷକ ମାନଙ୍କ ମରଣପଣ ଲଢ଼େଇକୁ ଆହୁରି ମଜବୁତ କରିବା ପାଇଁ କର୍ପୋରେଟ୍- ମୋଦୀ ସରକାରଙ୍କ ଦହନକରି ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଏଥିରେ ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ କିଶାନ୍ ମହାସଭା, ଓଡ଼ିଶା କୃଷକ ସଭା, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା, ଅଲ୍ ଇଣ୍ଡିଆ କିଶାନ କ୍ଷେତ ମଜଦୂର ସଂଗଠନ, ଋଷିକୂଲ୍ୟା ରୟତ ମହାସଭା, ବିଭିନ୍ନ ଶ୍ରମିକ ସଂଗଠନ ଓ ସାମାଜିକ ସଂଗଠନ ଆଦି ସାମିଲ ହୋଇଥିଲେ । ଏଆଇକେଏମଏସ୍ ର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଏଆଇକେଏସ ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ନୀଳକଣ୍ଠ ଦାସ,ଏସ କ୍ରିଷ୍ଣା ରେଡ୍ଡୀ, ଓଡ଼ିଶା କୃଷକ ସଭାର ଜିଲ୍ଲା ଯୁଗ୍ମ ସମ୍ପାଦକ ବସନ୍ତ ନନ୍ଦ, ବିଦ୍ୟାଧର ଜେନା, ବାବୁଲା ନାୟକ, ଶ୍ୟାମ ବେହେରା କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଋଷିକୂଲ୍ୟା ରୟତ ମହାସଭାର ସୀମାଞ୍ଚଳ ନାହକ, ବିଜୟ ସ୍ବାଇଁ, ଏଆଇକେକେଏମଏସର ଉଦ୍ଧବ ମହାଙ୍କୁଡ ଆଦି ନେତୃତ୍ୱ ନେଇଥିଲେ । ଏହାକୁ ସମର୍ଥନ ଜଣାଇ ସିଆଇଟିୟୁର ଯୁଧିଷ୍ଠିର ବେହେରା, ସାମାଜିକ କର୍ମୀ ମଧୂସୁଦନ, ଶ୍ରୀନିବାସ ରାଓ, ଲେନାଚାନ୍ଦ, ନୃସିଂହ ରଥ ଆଦି ସାମିଲ ହୋଇଥିଲେ । ବିକ୍ଷୋଭ ପ୍ରଦର୍ଶନ ସହ କର୍ପୋରେଟ୍ ଆମ୍ବାନୀ, ଆଦାନୀ ଓ ମୋଦି ସରକାରଙ୍କ କୁଶପୁତ୍ତଳିକାରେ ଅଗ୍ନି ସଂଯୋଗ କରିଥିଲେ । କୃଷକ ମାନଙ୍କର ସଂକଳ୍ପବଦ୍ଧ ସଂଘର୍ଷ ସାରା ଦେଶରେ ଯେଉଁ ବିଦ୍ରୋହର ବହ୍ନି ପ୍ରଜ୍ଜ୍ୱଳିତ ହୋଇଛି, ତାହା କୃଷକ ବିରୋଧୀ ତିନୋଟି କୃଷି ଆଇନ୍ ଓ ଜନବିରୋଧୀ ବିଦ୍ୟୁତ୍ ବିଲ-୨୦୨୦ ରଦ୍ଦ ନହେବା ପର୍ଯ୍ୟନ୍ତ ସାରା ଦେଶରେ ଆହୁରି ନିଆଁ ଜଳିବ ଏବଂ କର୍ପୋରେଟ୍-ମୋଦୀ ସରକାରଙ୍କ ମୃତ୍ୟୁ ଘଣ୍ଟିକୁ ସୁନିଶ୍ଚିତ କରିବ । ସେହିପରି କେନ୍ଦ୍ର ଵିଜେପି ସରକାରଙ୍କ ଭାଣ୍ଡାମୀ ନୀତି ବିରୋଧରେ ସାରା ଦେଶରେ କୃଷକ ଏକ ହୋଇ ୮ ଡିସେମ୍ବର ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଓଡିଶା ସରକାରଙ୍କ ଠିକା ଚାଷ ନିଷ୍ପତ୍ତିକୁ ତୁରନ୍ତ ବନ୍ଦ କରିବା, ସମସ୍ତ ମଣ୍ଡି ତୁରନ୍ତ ଖୋଲି ସମସ୍ତ ଚାଷୀ ଠାରୁ ଧାନ କ୍ରୟ କରିବା ପାଇଁ ଦାବି କରିଥିଲେ । କୃଷକ-ଶ୍ରମିକ ବିରୋଧୀ ନବୀନ-ମୋଦୀ ସରକାରଙ୍କ ମଧୁଚନ୍ଦ୍ରିକା ବିରୋଧରେ ସଂଘର୍ଷକୁ ଜୋରଦାର କରିବା ଏବଂ ଭାରତ ବନ୍ଦକୁ ସଫଳ କରି କୃଷକଙ୍କ ଐତିହାସିକ ବିଜୟକୁ ସୁନିଶ୍ଚିତ କରିବା ପାଇଁ ବକ୍ତାମାନେ ଆହ୍ବାନ ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା