କୃଷକମାନଙ୍କ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କୁ ଦେଲେ ସ୍ମାରକପତ୍ର…..

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସମ୍ପାଦକ ପି . ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ କୃଷକମାନଙ୍କ ୬ ଦଫା ଦାବୀ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେ଼ପ୍ୟୁଟି କଲେକ୍ଟର ଡ଼. ବିଜୟାନନ୍ଦ ସେଠିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଏହା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦାବୀ ଗୁଡିକ ଆଗାମୀ ଦିନରେ ପୂରଣ କରା ନ ଗଲେ ଗଣଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସମ୍ପାଦକ ଶ୍ରୀ ରେଡ୍ଡୀ କହିଥିଲେ । ଏଥିରେ କୃଷକ ସଭାର ପ୍ରଭାକର ବେହେରା, ଅଜୟ ଗୌଡ଼, ନାରାୟଣ ଦାଶ, ମୋଚିଆ ଶବର, ସାହେବ ରେଡ୍ଡୀ, ଦିବାକର ଜାନି, ନରସିଂହ ବେହେରା, ସୁଦର୍ଶନ ପାହାନଙ୍କ ସମେତ ବହୁ କୃଷକ ଅଂଶ ଗ୍ରହଣ କରିଥିଲେ । ସେହି ସ୍ମାରକପତ୍ରରେ ବିଭିନ୍ନ ଦାବୀ ଉପସ୍ଥାପନା କରାଯାଇଛି । ସେମାନଙ୍କ ମୁଖ୍ୟ ଦାବୀ ଗୁଡିକ ହେଲା – (୧) କୃଷକ ଓ କୃଷି ଶ୍ରମିକମାନଙ୍କୁ ସମସ୍ତ ପ୍ରକାରର ଋଣ ବୋଝରୁ ମୁକ୍ତ କରାଯାଉ (୨) ଏମ.ଏସ ସ୍ୱାମୀ ନାଥନ କମିଶନଙ୍କ ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣା ପ୍ରଦାନ କରାଯାଇ କୃଷି ଉତ୍ପାଦନ ସମ୍ପର୍କୀୟ ବିନିଯୋଗ ଖର୍ଚ୍ଚ ହ୍ରାସ ପାଇଁ ବିହନ, ସାର, କୀଟନାଶକ ଏବଂ କୃଷି ଯନ୍ତ୍ରପାତି ସମେତ କୃଷି ଉପକରଣ ଉପରେ ରିହାତି ବୃଦ୍ଧି ଦିଆଯାଉ (୩) ଗରିବ, ମଧ୍ୟମ ଚାଷୀ ଓ କୃଷି ଶ୍ରମିକମାନଙ୍କୁ ମାସିକ ୫୦୦୦ ଟଙ୍କା ପେନସନ ଦିଆଯାଉ (୪) ପ୍ରକୃତ କୃଷକଙ୍କ ନାମରେ ଜମି ଜମାର ରେକର୍ଡ କରି ତୁରନ୍ତ ପଟ୍ଟା ପ୍ରଦାନ କରାଯାଉ ଏବଂ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬କୁ କାର୍ଯ୍ୟକାରୀ କରାଯାଉ (୫) ସମସ୍ତ ପ୍ରକାରର ଫସଲକୁ ଅନ୍ତର୍ଭୁକ୍ତ କରି ଏବଂ ଆୟର କ୍ଷତିକୁ ଆକଳନ କରି ଖାସ କୃଷକ ସପକ୍ଷବାଦୀ ବ୍ୟାପକ ଫସଲବୀମା ଯୋଜନା କାର୍ଯ୍ୟକାରୀ କରାଯାଇ କୃଷକ ପରିବାରର ସ୍ୱାସ୍ଥ୍ୟବୀମା ଯୋଜନା ଏବଂ ପଶୁ ସମ୍ପଦ ବୀମା ଯୋଜନାକୁ ସୁନିଶ୍ଚିତ କରାଯାଉ (୬) ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିପୂରଣ ପରିମାଣ ବୃଦ୍ଧି କରାଯାଉ ଏବଂ ଏ ସଂକ୍ରାନ୍ତୀୟ ସମସ୍ତ ବକେୟା କ୍ଷତିପୂରଣ ଅର୍ଥରାଶି ତୁରନ୍ତ ପ୍ରଦାନ କରାଯାଉ ବୋଲି ସେମାନେ ଦାବୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା