କାର୍ଯ୍ୟରତ ନେସ୍କୋ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ : ଥାନାରେ ମାମଲା, ୨ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବର୍ଷ ପରେ ବିଦ୍ୟୁତ୍‌ ତାର କଟି ଯାଇଥିବାରୁ ନେସ୍କୋ କର୍ମଚାରୀ ମରାମତି କରୁଥିବା ବେଳେ ନିକଟସ୍ଥ ୨ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ନେସ୍କୋ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିବାରୁ ୩ ଅଭିଯୁକ୍ତଙ୍କ ମଧ୍ୟ ୨ ଗିରଫ ହୋଇଥିବା ଜଣାଯାଇଛି । ଗତ ୨୬ ତାରିଖରେ ବର୍ଷା ଓ ପବନ ଯୋଗୁଁ ଜଳେଶ୍ୱର ନେସ୍କୋ ଡିଭିଜନ୍‌ର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ନେତୁଆ ପଂଚାୟତର ଜଳକାପଡିଆ ଗ୍ରାମରେ ବିଦ୍ୟୁତ୍ ସରବରାହ ବନ୍ଦ ଥିବାରୁ ମରାମତି ଲାଗି ନାମ୍ପୋସ୍ଥିତ ନେସ୍କୋ ଜେଇଙ୍କ ନିର୍ଦ୍ଦେଶରେ କର୍ମଚାରୀ ରମେଶ ଚନ୍ଦ୍ର ଜେନା ଘଟଣାସ୍ଥଳକୁ ଯାଇଥିଲେ । କାର୍ଯ୍ୟସାରି ସେଠାରୁ ଫେରିବା ବେଳେ ସେହି ଗ୍ରାମର ରଂଜୟ ମହାପାତ୍ର (୩୫), ଅଜୟ ମହାପାତ୍ର (୪୦) ଓ ତାଙ୍କ ଭଉଣୀ ରାଧାରାଣୀ ମହାନ୍ତି ଅସ୍ରାବ୍ୟ ଭାଷା ଗାଳି ଗୁଲଜ ସହ ମରଣାନ୍ତକ ଆକ୍ରମଣ କରିଥିବାର ପୋଲିସ୍‌ରେ ଅଭିଯୋଗ ହୋଇଛି । କର୍ମଚାରୀଙ୍କ ପରିଚୟ ପତ୍ର ଓ ୧୦ହଜାର ଟଙ୍କା ସହିତ ବାଇକ୍‌ ଚାବି ଛଡାଇ ନେଇଥିବା ଅଭିଯୋଗ ହୋଇଛି । ତାଙ୍କୁ ଅଟକ ରଖିଥିବାରୁ ଜଳେଶ୍ୱର ନେସ୍କୋ ଏସ୍‌ଡିଓ ଭୁବନ କୁମାର ସାହୁଙ୍କ ଅଭିଯୋଗ କ୍ରମେ ନାମ୍ପୋ ଫାଣ୍ଡି ଅଧିକାରୀ ଉମାକାନ୍ତ ମହାପାତ୍ର ଘଟଣାସ୍ଥଳକୁ ଯାଇ ରମେଶଙ୍କୁ ଉଦ୍ଧାର କରି ଏକ ମାମଲା ରୁଜୁ କରିଥିଲେ । ଏଥିରେ ରଂଜୟ ଓ ଅଜୟ ଅଜି ଗିରଫ ହୋଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା