କଂଗ୍ରେସ୍‌ ଭବନରେ ହଠାତ ଦାମ ରାଉତଙ୍କ ଆବିର୍ଭାବ:ରାଜ୍ୟ ରାଜନୀତି ଚଳଚଞ୍ଚଳ

ଭୁବନେଶ୍ୱର:ଗତକାଲି ସନ୍ଧ୍ୟାରେ ରାଜ୍ୟର ବରିଷ୍ଠନେତା ଡ଼ଃ ଦାମ ରାଉତ କଂଗ୍ରେସ ଭବନରେ ପହଞ୍ଚିବା ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ବରିଷ୍ଠ ନେତା ଦାମୋଦର ରାଉତ୍‌ଙ୍କୁ ନେଇ ଗତ କିଛିଦିନ ଧରି ରାଜ୍ୟ ରାଜନୀତି ସରଗରମ ଥିବାବେଳେ, ଆଜି ସେ ଦେଇଛନ୍ତି ଆଉଏକ ହଟଚମଟ ଖବର। ବିଜେଡିରୁ ବିଦା ହେବା ପରେ ପ୍ରଥମଥର ପାଇଁ ମାହାଙ୍ଗାରେ ଶକ୍ତି ପ୍ରଦର୍ଶନ କରିଥିବା ଡ. ରାଉତ୍‌ ହଠାତ୍‌ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ସ୍ଥିତ କଂଗ୍ରେସ ଭବନରେ ଅନ୍ଧାରୀବିଜେ କରିଥିବା ଜଣାପଡ଼ିଛି। ସେଠାରେ କଂଗ୍ରେସ ପକ୍ଷରୁ ହୋଇଥିବା ମେଳିରେ ଦାମ ସାମିଲ ହେବା ରାଜନୈତିକ ପାଣିପାଗକୁ ଉଷ୍ମ କରିଦେଇଛି । କଂଗ୍ରେସ ଭବନରେ ହୋଇଥିବା ‘ସମ୍ବିଧାନ ବଞ୍ଚାଅ’ ସମ୍ମିଳନୀରେ ବିଭିନ୍ନ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏଥିରେ କମ୍ୟୁନିଷ୍ଟ ନେତା ଜନାର୍ଦ୍ଦନ ପତି ଓ ରାମକୃଷ୍ଣ ପଣ୍ଡା ଏବଂ ସମାଜବାଦୀ ପାର୍ଟିର ରବି ବେହେରାଙ୍କୁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏମାନଙ୍କ ପରେ ହଠାତ୍ ସେଠି ଦାମୋଦର ରାଉତ ମଧ୍ୟ ବିଜେ କରିଥିଲେ। ଦାମଙ୍କ ସମେତ ଅନ୍ୟ ଦଳର ନେତା ଗୋଟିଏ ଜାଗାରେ ଏକାଠି ହୋଇଥିବାରୁ, କଂଗ୍ରେସର ମେଣ୍ଟ ଚର୍ଚ୍ଚାକୁ ଏହା ଖୋରାକ ଯୋଗାଇଛି । ବିଜେଡିରୁ ଗଲା ପରେ ଗାନ୍ଧି ଜୟନ୍ତୀରେ ବିରୂପା ସାହିତ୍ୟ ସଂସ୍କୃତି ପରିଷଦ ମାହାଙ୍ଗା ଆନୁକୁଲ୍ୟରେ ଆୟୋଜିତ ଏକ ସଭାରେ ଯୋଗ ଦେଇଥିଲେ ଦାମ। ଏହି ଅବସରେ ଏକ ବିରାଟ ପଟୁଆରରେ ତାଙ୍କୁ  ସ୍ୱାଗତ କରାଯାଇଥିଲା। ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଓସ୍ତମୂଳ ଛକରୁ ତାଙ୍କୁ ଏକ ଖୋଲା ଜିପ୍‌ରେ ଠିଆକରି ଏକ ମୋଟରସାଇକେଲ୍ ରାଲିରେ ସଭାସ୍ଥଳକୁ ନିଆ ଯାଇଥିଲା । ବିଜେଡିକୁ ଚେକ୍‌ ଦେବା ପାଇଁ ଦାମଙ୍କର ଏମିତି ଗୋଟିଏ ପରେ ଗୋଟିଏ ରାଜନୈତିକ ପଦକ୍ଷେପ, ଓଡ଼ିଶା ରାଜନୀତିରେ ଏକ ନୂଆ ସମୀକରଣ ହେବ ବୋଲି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। ସାମ୍ପ୍ରତି ପରିସ୍ଥିତିରେ ରାଜ୍ୟରେ ବରିଷ୍ଠନେତା ମାନେ ମେଳିହେବର ସମୟ ଆସିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ବେଳେ 2019ପାଇଁ ଏହି ମେଳି ଯଦି ବଳବତ୍ତର ରହେ ତାହାଲେ କିଛି ପରିବର୍ତ୍ତନର ଆଶା ରହିଛିବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଛି । ନତୁବା ବିଜେଡିକୁ ହରାଇବା ସେତେଟା ସହଜ ନୁହେଁ ବୋଲି କୁହାଯାଉଛି ।