ଓଡିଶା ରିସର୍ଚ୍ଚ କନକ୍ଲେଭରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଗବେଷଣାତ୍ମକ ପତ୍ରିକା ଉନ୍ମୋଚିତ…

ଗୋପାଳପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଗବେଷଣାତ୍ମକ ପତ୍ରିକାକୁ ରବିବାର ଦିନ ଓଡିଶା ରିସର୍ଚ୍ଚ କନକ୍ଲେଭରେ ଉନ୍ମୋଚିତ ହୋଇଯାଇଛି । ଏହାକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଡ଼. ଶାଶ୍ଵତ ମିଶ୍ରଙ୍କ ସମେତ ଉଚ୍ଚଶିକ୍ଷା ବିଭାଗ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହାସହ ବ୍ରହ୍ମପୁର କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣି ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଅନୁସନ୍ଧାନ ପତ୍ରିକାକୁ ଉପସ୍ଥାପନା କରିଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଏହି ଗବେଷଣାତ୍ମକ ପତ୍ରିକା ହେଉଛି ଏକ ବହୁମୁଖୀ ଦ୍ୱି-ବାର୍ଷିକ ପତ୍ରିକା, ଯାହା ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ଜୀବନ୍ତ ଶୈକ୍ଷିକ ଏବଂ ଗବେଷଣାତ୍ମକ ବାତାବରଣ ସୃଷ୍ଟି କରିବା ସହ ବିଶ୍ୱବିଦ୍ୟାଳୟ ବାହାରେ ଏହାର ମାନ ବୃଦ୍ଧି କରିବାର ଲକ୍ଷ୍ୟ ରଖିଥାଏ । ଏହି ପତ୍ରିକା ଗତ ଏକ ଦଶନ୍ଧି ମଧ୍ୟରେ ଏହାର ନୂତନତା ଏବଂ ଉତ୍କର୍ଷତା ହାସଲ କରିବାକୁ ଚେଷ୍ଟା କରୁଥିବା ସୂଚନା ଦିଆଯାଇଛି । ଏହି ପତ୍ରିକାର ଆନ୍ତର୍ଜାତୀୟ ମାନକ କ୍ରମିକ ସଂଖ୍ୟା ରହିଥିବା ବେଳେ ଏହାକୁ ଏକ ପ୍ରଭାବ ଫ୍ୟାକ୍ଟର୍ ଜର୍ନାଲ୍ ଭାବେ ପରିପ୍ରକାଶ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ପତ୍ରିକାରେ ବିଜ୍ଞାନ, ବାଣିଜ୍ୟ ଏବଂ ପରିଚାଳନା, ସାମାଜିକ ବିଜ୍ଞାନ, ଆଇନ ଏବଂ ମାନବିକତା ଆଦି ଅଠରଟି ଗବେଷଣା ପ୍ରବନ୍ଧ ରହିଛି ଯାହା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଏବଂ ଅନ୍ୟ ସ୍ଥାନ ମାନଙ୍କର ଅନୁସନ୍ଧାନକାରୀଙ୍କ ଦ୍ଵାରା ଲିଖିତ ହୋଇଛି । ଏଥିରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ ସାଇନ୍ସ, ଉଦ୍ଭିଦ ଏବଂ ସାମୁଦ୍ରିକ ବିଜ୍ଞାନ ପ୍ରଭୃତି ମୂଳ ବୈଜ୍ଞାନିକ ଅଗ୍ରଗତି ଉପରେ ଆଲୋଚନା କରାଯାଇଛି ବୋଲି ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, କୁଳପତି, ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣଙ୍କ ମତରେ ବର୍ଷକୁ ପ୍ରାୟ ୧.୬୦ ଲକ୍ଷ ଗବେଷଣା ପ୍ରକାଶନ ପାଇଥାଏ, ଏଥି ମଧ୍ୟରେ ଚାଇନା ଓ ଆମେରକା ପରେ ଭାରତ ତୃତୀୟ ସ୍ଥାନରେ ରହିଛି । ବିଶ୍ଵ ବୈଦ୍ଧିକର ଅନୁସନ୍ଧାନ ଉପରେ ଭାରତର ପ୍ରଭାବ ବଜାୟ ରଖିବା ପାଇଁ ହେଲେ ଆମ ବୈଦ୍ଧିକ ଅନୁସନ୍ଧାନ ଉନ୍ନତ ହେବା ଆବଶ୍ୟକ ବୋଲି ମତପୋଷଣ କରିଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶୈକ୍ଷିକ ଏବଂ ଅନୁସନ୍ଧାନରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବାସହ ବିଭିନ୍ନ ଅନୁସନ୍ଧାନ ନେଇ ନିଜର କାର୍ଯ୍ୟ ଦୃତ ଗତିରେ ଆଗେଇ ରଖିଛି । ଏହି ପତ୍ରିକାର ପ୍ରକାଶନ ଅନୁସନ୍ଧାନକାରୀଙ୍କୁ ଉତ୍ସାହିତ ଓ ପ୍ରେରଣା ଯୋଗାଇବା ଅନ୍ୟମାନଙ୍କ ନିମନ୍ତେ ଅନୁସନ୍ଧାନ ପତ୍ରିକା ପ୍ରକାଶନ ପାଇଁ ଉତ୍ସାହିତ କରିବ ବୋଲି ପ୍ରଫେସର ଚକ୍ରପାଣି ପ୍ରକାଶ କରିଛନ୍ତି । ଏହି ଗବେଷଣାତ୍ମକ ପତ୍ରିକାର ମୁଖ୍ୟ ସମ୍ପାଦକ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଥିବାବେଳେ ସମ୍ପାଦକ ରୂପେ ପ୍ରଫେସର ସୁଧାକର ପାତ୍ର, ପ୍ରଫେସର ମାନସ ରଂଜନ ପାତ୍ର, ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ସହ ସମ୍ପାଦକ ରୂପେ ଡକ୍ଟର ବଳଭଦ୍ର ତ୍ରିପାଠୀ, ଡକ୍ଟର ସଦାନନ୍ଦ ନାୟକ, ଡକ୍ଟର ତପନ କୁମାର ବାରିକ, ଡ଼, ମୃତ୍ୟୁଞ୍ଜୟ ଜେନା, ଡକ୍ଟର ବି ଭେଙ୍କଟେଶ୍ୱର ରାଓ, ଡକ୍ଟର ଲକ୍ଷ୍ମୀଧର ରାଉତ ଏବଂ ପରିଚାଳନା ସମ୍ପାଦକ ଭାବରେ ଡ. ସତ୍ୟବ୍ରତ ପାତ୍ର ଏବଂ ଡ଼ ଶେଷଦେବ ପାତ୍ର ପ୍ରମୁଖ ରହିଛନ୍ତି । ଏହି ପତ୍ରିକାର ଆଗାମୀ ସଂସ୍କରଣରେ ଜାତୀୟ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଅଭିଜ୍ଞ ପ୍ରାଧ୍ୟାପକମାନଙ୍କୁ ସମ୍ପାଦକ ରୂପରେ ସାମିଲ କରିବାକୁ ଲକ୍ଷ୍ୟ ରଖା ଯାଇଛି ବୋଲି ପ୍ରଫେସର ପ୍ରତାପ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା