ଓଡିଶା-ପଶ୍ଚିମବଙ୍ଗ ବୋର୍ଡର ଚେକ୍ ପଏଣ୍ଟରେ ୧୫୦ଜଣ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ପରେ ଓଡିଶାକୁ ପ୍ରବେଶ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ପିଡିତ ପଶ୍ଚିମବଙ୍ଗ ଲୋକ ସଂସ୍ପର୍ଷରେ ଆସି ଓଡିଶାର ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲା ପରିସ୍ଥିତି ଗମ୍ଭୀର ହେବା ସହିତ ରେଡ ଜୋନ୍ ଘୋଷଣା କରାଯାଇଥିବା ବେଳେ ୨ ଦିନ ଧରି ଓଡିଶା ପଶ୍ଚିମବଂଗ ଉପାନ୍ତ ବୋର୍ଡର ଚେକ୍ ପଏଣ୍ଟଠାରେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଯାଂଚ ବ୍ୟବସ୍ଥା କରାଯାଇଛି । ବାଲେଶ୍ୱର ଆର୍‌ଟିଓ ବିକାଶ ଚୌଧୁରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଡିଓ ଦୀପ୍ତିରଂଜନ ସେଠୀ ଓ ପୌର ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ସେଠାରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଥର୍ମାଲ ସ୍କିନିଂ, ଡାଟା ଏଣ୍ଟ୍ରି, ପୋଲିସ୍ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା, ପଞ୍ଜିକରଣ ଓ ପ୍ରତ୍ୟେକଙ୍କ ଡାହାଣହାତ କଚଟିରେ ଏକ ଅଲିଭା ଷ୍ଟାମ୍ପ ଲଗାଯାଉଛି । ଏଥିରେ ସ୍ୱାସ୍ଥ୍ୟ ବିଭାଗ, ପୋଲିସ୍‌, ଡାଟାଏଣ୍ଟ୍ରି ଅପରେଟର, ବ୍ଲକ କର୍ମଚାରୀ, ମଟରଯାନ କର୍ମଚାରୀଙ୍କୁ ନେଇ ପଶ୍ଚିମବଙ୍ଗରୁ ଓଡିଶାକୁ ଆସୁଥିବା ପ୍ରବାସୀଙ୍କୁ ପଞ୍ଜିକରଣ କରାଯାଉଥିବା ଜଣାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଚେକ୍ ପଏଣ୍ଟରେ ୨୫ଟି ଯାନ ଓଡିଶାକୁ ପ୍ରବେଶ କରିଥିବା ବେଳେ ୧୬୫ଜଣ ଓଡିଶାକୁ ପ୍ରବେଶ କରିଥିବା ଜଣାଯାଇଛି । ଓଡିଶାକୁ ଆସୁଥିବା ଏହି ପ୍ରବାସୀଙ୍କୁ ନିଜ ପଞ୍ଚାୟତରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଧ୍ୟତାମୂଳକ ଭାବେ ରଖାଯିବା ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସରକାରଙ୍କ ଆଇନ୍ ଅମାନ୍ୟ କଲେ ଆଇନ୍ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସମସ୍ତ ପ୍ରବାସୀଙ୍କୁ ସୂଚନା ଦିଆଯାଉଛି । ସଡକ ପଥରେ ୪ଚକିଆ ଯାନ ନେଇ ଶ୍ରମିକମାନେ ପସିବା ସମ୍ଭବ ହେଉ ନ ଥିବାରୁ ୧୭ତାରିଖ ଲକ୍‌ଡାଉନ୍ ଉଠିବା ପରେ ବସ୍ ଚଳାଚଳ ଆରମ୍ଭ ହେଲେ ଏହି ପଞ୍ଜିକରଣ ସଂଖ୍ୟା କ୍ଷୀପ୍ରଗତିରେ ବଢିବ ବୋଲି କୁହାଯାଇଛି । ଏହାକୁ ଲକ୍ଷ କରି ସରକାରଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲାପ୍ରଶାସନ ପକ୍ଷରୁ ଏକ ଅ୍ରଭିନବ ପ୍ରୟାସ ସୃଷ୍ଟି କରିଛନ୍ତି ଓ ସମସ୍ତଙ୍କୁ କୋଭିଦ୍‌-୧୯ରୁ ସୁରକ୍ଷା ଦେବାଲାଗି ପ୍ରଚେଷ୍ଟା ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସେଠାକୁ ଯିବାକୁ ଦିଆଯାଉନଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା