ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ବିଚାରପତି ?

କଟକ(ସମୃଦ୍ଧ ଓଡିଶା)ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ସପ୍ତାହକ ପରେ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ଏଯାବତ୍‍ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ପୂର୍ବ ପରମ୍ପରା ଅନୁଯାୟୀ ଓଡିଶା ହାଇକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତିଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇପାରେ । ଜଷ୍ଟିସ ତାଳପତ୍ର ଓଡିଶା ହାଇକୋର୍ଟରେ ଆଉ ମାତ୍ର ତିନିଟି କାର୍ଯ୍ୟଦିବସରେ ମାମଲା ଶୁଣାଣି କରିବେ । ତାଙ୍କ ଅବସର ପରେ ନୂଆ ମୁଖ୍ୟ ବିଚାରପତି ପୁଣି କେଉଁ ବିଚାରପତିଙ୍କୁ କି ପ୍ରକାର ମାମଲା ବିଚାରପାଇଁ ଦିଆଯିବ ଓ କିଏ କାହା ସହିତ ବସି ଖଣ୍ଡପୀଠରେ ମାମଲା ଶୁଣାଣି କରିବେ ସେ ସଂକ୍ରାନ୍ତରେ ନୂଆ ବିଜ୍ଞପ୍ତି ଜାରି କରିପାରନ୍ତି । ଜଷ୍ଟିସ ତାଳପତ୍ରଙ୍କ ଅବସର ଗ୍ରହଣ ପରେ ହାଇକୋର୍ଟରେ ଖାଲିଥିବା ବିଚାରପତି ସଂଖ୍ୟା ୧୨କୁ ବଢିପାରେ । ଏବେ ଅନ୍ୟତମ ବିଚାରପତି ଡକ୍ଟର ବିଦ୍ୟୁତ୍‍ ରଞ୍ଜନ ଷଡଙ୍ଗୀ ଓଡିଶା ହାଇକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ଅଛନ୍ତି । ଅଭିଜ୍ଞତା, ଦକ୍ଷତା ଓ ବରିଷ୍ଠତା ଦୃଷ୍ଟିରୁ ଡକ୍ଟର ଷଡଙ୍ଗୀଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଦିଆଯାଇପାରେ ବୋଲି ଆଇନ୍‍ଜୀବୀ ମହଲରେ ଚର୍ଚ୍ଚା ହେଉଛି । ଜଷ୍ଟିସ ଏସ୍‍.ମୁରଲୀଧରନଙ୍କ ଅବସର ପରେ ଜଷ୍ଟିସ ତାଳପତ୍ରଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ଏବଂ ତାଙ୍କ କାର୍ଯ୍ୟକାଳ ଅତି ବେଶିରେ ଦୁଇମାସ ପର୍ଯ୍ୟନ୍ତ ରହିଛି । ଓଡିଶା ହାଇକୋର୍ଟରେ ଏବେ ପ୍ରାୟ ଦେଢ ଲକ୍ଷ ପାଖାପାଖି ମାମଲା ବିଚାର ପ୍ରତୀକ୍ଷାରେ ରହିଛି । କିଛିଦିନ ତଳେ ଦୁଇଜଣ ନୂଆ ବିଚାରପତି ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ଜଷ୍ଟିସ ମୁରଲୀଧରନ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅବସର ଗ୍ରହଣ ପରେ ଖାଲିଥିବା ବିଚାରପତି ଆସନ ବିଶେଷ ହ୍ରାସ ଘଟିନାହିଁ । ଗୋଟିଏ ପରେ ତ୍ୱରିତ ମାମଲା ଫଏସଲା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଅନ୍ୟପଟେ ଅଭିଯୋଗ ସମାଧାନ ପ୍ରକ୍ରିୟାରେ ମନ୍ଥରତା ସହିତ ବିଭିନ୍ନ କାରଣରୁ ଅପରାଧ ବଢୁଥିବା ଯୋଗୁଁ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମାମଲା ସଂଖ୍ୟା ହ୍ରାସ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୃଥକ ପୃଥକ ମାମଲା ନୀତି ପ୍ରଣୟନ କରିଥିଲେ ମଧ୍ୟ ଏହାର ଅନୁସରଣ କରୁନାହାନ୍ତି । ଫଳରେ ଏବେ ଦେଶର ବିଭିନ୍ନ ହାଇକୋର୍ଟରେ ୫ବର୍ଷର ପୁରୁଣା ମାମଲା ସଂଖ୍ୟା ମୋଟ ବାକିଆ ମାମଲାର ପ୍ରାୟ ୬୦ ପ୍ରତିଶତ ହେବ ବୋଲି କୁହାଯାଉଛି । ସାଧାରଣତଃ ଅଭିଜ୍ଞ ଓକିଲ ଓ ବରିଷ୍ଠ ଜିଲ୍ଲା ଜଜ୍‍ମାନଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିଙ୍କୁ ବାଛି କଲେଜିୟମର ସୁପାରିଶ୍‍ ଆଧାରରେ କେନ୍ଦ୍ର ସରକାର ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ କରିଥାନ୍ତି । ରାଜ୍ୟରେ ଏହି ପଦବୀ ଲାଗି ବହୁ ଯୋଗ୍ୟ ବ୍ୟକ୍ତି ଥିବାବେଳେ ଗତ ପ୍ରାୟ ଏକ ଦଶନ୍ଧି ଧରି ହାଇକୋର୍ଟରେ ହାରାହାରି ଏକ ତୃତୀୟାଂଶ ବିଚାରପତି ପଦବୀ ଖାଲି ରହିବା ତ୍ୱରିତ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ବାଧକ ହେଉଛି ବୋଲି ଅଭିଜ୍ଞ ଆଇନ୍‍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।