ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଦେବୁ ବୋଷଙ୍କ ପରଲୋକ

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଅଭିନେତା ଦେବୁ ବୋଷଙ୍କ ୭୬ବର୍ଷ ବୟସରେ ବୁଧବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଗତ ୪ ମାସ ହେଲା ଅସୁସ୍ଥତା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବାରୁ ଗତ କିଛି ଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ପୂର୍ବରୁ ସେ ୨ଥର ହୃଦଘାତର ଶିକାର ହୋଇଥିଲେ।

୧୯୮୦ ଦଶକର ଚଳଚ୍ଚିତ୍ର ‘ତପସ୍ୟା’ରୁ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ କାବେରୀ, ସୁନା ଚଢେଇ, ସହରୀ ବାଘ, ଗଙ୍ଗଶିଉଳି, ପୁଅ ମୋର କଳା ଠାକୁର ଓ କି ହେବ ଶୁଆ ପୋଷିଲେ ଭଳି ଅନେକ ଚଳଚ୍ଚିତ୍ରରେ ନିଜ ବଳିଷ୍ଠ ଅଭିନୟର ଛାପ ଛାଡ଼ି ଯାଇଛନ୍ତି। ତାଙ୍କର ମୃତ୍ୟୁ ଖବରରେ ଓଡିଆ ସିନେ ଜଗତରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଓଡିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଅଭିନେତା ଦେବୁ ବୋଷଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି | ସେ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ବର୍ଷିୟାନ ଅଭିନେତା ଦେବୁ ବୋଷଙ୍କ ବିୟୋଗ ଏକ ଅପୁରଣୀୟ କ୍ଷତି। ତାଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିଥିବା ତାଙ୍କ ନିଆରା ଅଭିନୟ ସର୍ବଦା ସ୍ମରଣୀୟ ହୋଇ ରହିବ।