ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୪୨୬ ପ୍ରକଳ୍ପ ପାଇଁ ୭.୯୬ କୋଟି ମଞ୍ଜୁର – ଭଲକାମ ଓ ଶୀଘ୍ର କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଗୋପ,: ଗୋପ ପଞ୍ଚାୟତ ସମିତି ଅଧିନ ତିନୋଟି ନିର୍ବାଚନ ମଣ୍ଡଳୀ ୩୧ଟି ପଞ୍ଚାୟତକୁ ନେଇ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ଚିତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ୪୨୬ଟି ପ୍ରକଳ୍ପ ପାଇଁ ୭ କୋଟି ୯୬ ଲକ୍ଷ ୭୦ ହଜାର ଟଙ୍କା ମଞ୍ଜୁର କରିଥିବାବେଳେ ଭଲକାମ ଓ ଶୀଘ୍ର କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ କରିବା ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ ତୃଣମୂଳ ସ୍ତରରୁ ଉନ୍ନତି ଲକ୍ଷ୍ୟକରି ଜନ ପ୍ରତିନିଧିମାନଙ୍କ ସହ ସିଧାସଳଖ ବାର୍ତ୍ତାଳାପ କରି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ଅନୁମୋଦନ କରୁଥିବାବେଳେ ଗୋପ ବ୍ଲକ୍ ଅଧିନ ନିମାପଡ଼ା ନିର୍ବାଚନ ମଣ୍ଡଳୀର ୧୪ଟି ଗ୍ରାମ ପଞ୍ଚାୟତର ୨୨୭ଟି ପ୍ରକଳ୍ପ ପାଇଁ ୩ କୋଟି ୭୫ ଲକ୍ଷ ୭୦ ହଜାର ଟଙ୍କା ମଞ୍ଜୁର କରିଥିବା ଜଣାପଡିଛି | କାକଟପୁର ନିର୍ବାଚନ ମଣ୍ଡଳୀର ୧୪ଟି ପଞ୍ଚାୟତର ୧୬୪ଟି ପ୍ରକଳ୍ପ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ପୁରୀ ସଦର ନିର୍ବାଚନ ମଣ୍ଡଳୀ ୩ଟି ପଞ୍ଚାୟତର ୩୫ଟି ପ୍ରକଳ୍ପ ପାଇଁ ୭୧ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଜଣାପଡ଼ିଛି ।

ଗୁରୁବାର ଆୟୋଜିତ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଦିନ ୧୧ଟା ୩୦ମିନିଟରେ ମୁଖ୍ୟମନ୍ତ୍ରୀଙ୍କୁ ପରଦାରେ ଦେଖିବା ମାତ୍ରେ ହଜାର ହଜାର ମହିଳାଙ୍କ ହୁଳହୁଳି ଧ୍ୱନି ଓ ଜନସାଧାରଣଙ୍କ କରତାଳିରେ ସଭା ପ୍ରକମ୍ପିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଭିଡ଼ିଓ ଚିତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ସଂଯୋଜନାରେ ଆୟୋଜିତ ସମାବେଶରେ ସାଂସଦ ଡା. କୁଳମଣି ସାମଲ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡ଼ା, ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇ, ଗଣେଶ୍ୱରପୁର ସରପଞ୍ଚ ଦେବବ୍ରତ ସାହୁ, ସମିତି ସଭ୍ୟ କରୁଣାକର ସାହୁ, ନାଗପୁର ସରପଞ୍ଚ ଅକ୍ଷୟ କୁମାର ନିଶଙ୍କ, ଅଚ୍ୟୁତପୁର ସରପଞ୍ଚ ଭକ୍ତବଲ୍ଲଭ ଦାଶ, ବାଲୁଙ୍କେଶ୍ୱର ସାହୁ, ବେଦପୁର ସମିତି ସଭ୍ୟ ଦିଲ୍ଲୀପ୍ କୁମାର ସାହୁ, ଗୋପ ବ୍ଲକ୍ ମହିଳା ମହାସଂଘ ସଭାନେତ୍ରୀ ମିନାକ୍ଷୀ ପୃଷ୍ଟି, ସାଂସଦଙ୍କ ପ୍ରତିନିଧି ସୁକାନ୍ତ ମହାନ୍ତି ପ୍ରମୁଖ ନବୀନ ସରକାର ଆରମ୍ଭ କରିଥିବା ବିଭିନ୍ନ ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ସରକାରଙ୍କ ସମୟରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡ଼ିଥିବା ହିତାଧିକାରୀମାନେ ରାଜ୍ୟ ସରକାର ଆରମ୍ଭ କରିଥିବା ଖାଦ୍ୟ ସୁରକ୍ଷା ଯୋଜନାରେ ଖୁବ୍ ଶୀଘ୍ର ସାମିଲ ହୋଇପାରିବେ ବୋଲି ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ନିର୍ଦ୍ଦେଶକ ଡଃ. ଉଦ୍ଧବ ମାଝି ଉପସ୍ଥିତ ଥିବାବେଳେ ଗୋପ ବିଡ଼ିଓ ପଦ୍ମଜା ଦାଶ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପ୍ରତିଭା ଶିଶୁ ଗୋସ୍ୱାମୀ, ଜଳସଂପଦ ବିଭାଗ ସହକାରୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ସମାବେଶରେ ୧୫ ହଜାରରୁ ଊର୍ଦ୍ଧ୍ଵ ଜନ ସମାଗମ ହୋଇଥିଲା | ଏହାର ସୁପରିଚାଳନା ନିମନ୍ତେ ୫ ଶହରୁ ଊର୍ଦ୍ଧ୍ଵ ବିଜୁ ଯୁବବାହିନୀ ସଦସ୍ୟ ନିୟୋଜିତ ଥିଲେ | ସୁରକ୍ଷା ବ୍ୟବସ୍ଥା ପାଇଁ ନିମାପଡ଼ା ଏସ୍ଡ଼ିପିଓ ନିରଞ୍ଜନ ପାଢ଼ୀ, ଗୋପ ଥାନାଧିକାରୀ ରଞ୍ଜନ କୁମାର ପ୍ରଧାନଙ୍କ ସମେତ ୧୦ ଅଫିସର, ଏକ ପ୍ଲାଟୁନ୍ ଫୋର୍ସ ନିୟୋଜିତ ଥିଲେ । ଏହି ସମାବେଶରେ ୮ ହଜାରରୁ ଊର୍ଦ୍ଧ୍ଵ ମହିଳା ଉପସ୍ଥିତ ଥିବାବେଳେ ସମାବେଶରେ ହୁଳହୁଳି ବେଶ୍ ଆକର୍ଷଣୀୟ ହୋଇଥିଲା ।