ଉଚ୍ଚ ଶିକ୍ଷିତ ଯୁବକ ଆଜି ସାଜିଛି ସଫଳ ଚାଷୀ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ପାଠ ପଢି ଚାକିରୀ ପାଇବା ଆଶା ରଖିଥିଲେ ହେଲେ ଚାକିରୀ ମିଳିବ ସମ୍ଭାବନା ଦେଖା ଦେଇ ନଥିବା ବେଳେ ଚାଷକାର୍ଯ୍ୟ ଦିଗକୁ ମନବଳାଇ ନିଜର ପାଞ୍ଚ ଏକର ପଥୁରିଆ ଅନାବନା ହୋଇ ପଡିଥିବା ଜାଗାକୁ ନେଇ କିଛି କରିଦେଖାଇବା ପାଇଁ ଆରମ୍ଭ କରିଥିଲେ କୃଷିକାର୍ଯ୍ୟ । ଯେଉଁଠି ଦିନେ ଘାସ କଅଁଳୁ ନଥିଲା ଆଜି ସେଇଠି ହସୁଛି ସବୁଜ ଫସଲ । ଗଛର ଉଚ୍ଚତା ମାତ୍ର ଦୁଇଫୁଟ ହେଲେ ସେଥିରେ ଫଳର ସମ୍ଭାର ଦେଖିଲେ ଆପଣଙ୍କ ଆଖିମଧ୍ୟ ଲାଖିଯିବ । ଏଭଳି ଗୋଟିଏ କିମ୍ୱା ଦୁଇଟି ନୁହେଁ ଏଭଳି ୧୨ଶହ ଗଛ ରହିଛି ଆଉ ସବୁଥିରେ ଫଳ ଭରପୁର। ସେହିପରି କଦଳୀ ଗଛ ମଧ୍ୟ ଛନଛନିଆ ହୋଇ ବାହାରିଛି । ଏହା ମଧ୍ୟ ୧୬ଶହ ଗଛ ରହିଛି । ଏଥିସହ ସଜନା, କାଜୁ, ଖମ୍ବଆଳୁ, ଫୁଲକୋବି, ଟମାଟୋ, ବାଇଗଣ ଭଳି ବିଭିନ୍ନ ପନିପରିବା ମଧ୍ଯ ରହିଛି । ୨୦୧୯ ବର୍ଷ ରେ ଆରମ୍ଭ ହୋଇଥିବା ଅର୍ଥାତ ଗତ ୧ବର୍ଷ ମଧ୍ୟ ଏହି କୃଷିଫାର୍ମ ଟି ଖୁବ ସୁନ୍ଦର ଭାବରେ ଗଢିଉଠିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡା ପଞ୍ଚାୟତ ବରୁଣପୁର ଗାଁରେ ରହିଥିବା ଏହି କୃଷି ଉଦ୍ୟାନ ଟି ଗଢିତୋଳିଛନ୍ତି ବାହାଡାପଦର ଗ୍ରାମର ରଂଜିତ କୁମାର ବିଷୋୟୀ । ସେ ଜଣେ ଶିକ୍ଷିତ ଯୁବକ । ଚାକିରୀ ନପାଇ ଗତ ଏକ ବର୍ଷ ହେଲା ଏଭଳି ଚାଷକାର୍ଯ୍ୟ କୁ ଆପଣାଇଛନ୍ତି । ନିଜସ୍ୱ ଉଦ୍ୟମ ରେ ସେ ଏହି ଜାଗାରେ ୭ଟି ଜର୍ସି ଗାଈ ମଧ୍ୟ ରଖିଛନ୍ତି । ଚାଷପ୍ରତି ଆଗ୍ରହ ଦେଖି ଉଦ୍ୟାନ ବିଭାଗ ମଧ୍ୟ ତାଙ୍କ ପ୍ରତି ସହଯୋଗ ର ହାତ ବଢାଇଛି । ପଡିଆ ପଡିଥିବା ନିଜର ପାଞ୍ଚ ଏକର ଜମିରେ ଏବେ ସେ ସୁନା ଫଳାଇପାରିଛନ୍ତି । ରଞ୍ଜିତ୍ ଙ୍କ କୃଷି ପ୍ରତି ଆଗ୍ରହ ଦେଖି ଉଦ୍ୟାନ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସହାୟତା, ସହିତ ଚାଷର ବିଭିନ୍ନ ପ୍ରଣାଳୀ ଆଦି ବୁଝାଇବା ସହ ବିଭିନ୍ନ ସମୟରେ ପହଞ୍ଚି ପ୍ରୋତ୍ସାହନ ପ୍ରଦାନ କରିଥାନ୍ତି । କରୋନା ମହାମାରୀ ସମୟରେ ଲୋକେ କାମଧନ୍ଦା ନପାଇ ରୋଜଗାର ଶୂନ୍ୟ ହୋଇପଡିଥିବା ବେଳେ ପ୍ରତିଦିନ ଏହି ଫାର୍ମରେ ୪୦ରୁ ଉର୍ଦ୍ଧ ଲୋକଙ୍କୁ କାମ ଯୋଗାଇ ଥିବାରୁ ଅନେକ ପରିବାର ଏଥିରୁ ଲାଭାନ୍ବିତ ହୋଇଥିବା ଏଠାରେ କାଯ୍ୟରତ ଶ୍ରମିକ ମାନେ ପ୍ରକାଶ କରିଛନ୍ତି । ଏଠାରେ ସଂପୂର୍ଣ୍ଣ ଅର୍ଗାନିକ ଭାବେ ଚାଷକାର୍ଯ୍ୟ କରାଯାଏ କୈଣସି ମେଡିସିନ ବ୍ୟଵହାର କରାଯାଇନଥାଏ । ବିଭିନ୍ନ ଆଧୁନିକ ପଦ୍ଧତି ଏଠାରେ ବ୍ୟବହାର କରାଯାଇଥାଏ ଯାହାଫଳରେ କମ୍ ସମୟରେ ଅଧିକ ଉତ୍ପାଦନ ହୋଇପାରିବ । ଏଠାରୁ ଉତ୍ପାଦନ ପନିପରିବା ଗୁଡିକ ଭଞ୍ଜନଗର ସହର ସମେତ ନିକଟସ୍ଥ ବଜାରକୁ ଯାଇଥାଏ । ରଞ୍ଜିତ୍ ଙ୍କ ଜମିର ପନିପରିବା ଏକ ସ୍ୱତନ୍ତ୍ରତା ରହିଛି । ଏକ ବର୍ଷ ପୂର୍ବରୁ ଯିଏ ରୋଜଗାର ପାଇଁ ଚାକିରୀ ଖୋଜୁଥିଲେ ସିଏ ଆଜି ୪୦ ଜଣକୁ ରୋଜଗାର ଯୋଗାଇ ଦେବା ସହ ନିଜେ ସ୍ୱାବଲମ୍ବି ହୋଇପାରି ଥିବାରୁ ତାଙ୍କ ବଗିଚାରେ ଫୁଲ ହସିବା ଭଳି ତାଙ୍କ ମୁଖରେ ମଧ୍ୟ ହସ ଫୁଟି ଉଠୁଛି । ଜଣେ ଆଞ୍ଚଳିକ ଶ୍ରମିକ ଆଜିକାଲି ଚାଷୀ ପରିବାରର ଯୁବକ ମାନେ କୈଣସି ଚାକିରୀ ପଛରେ ଗୋଡାଇ ସମୟ ନଷ୍ଟ କରିବା ଅପେକ୍ଷା ନିଜ ଜମିରେ ଆଧୁନିକ ପ୍ରଣାଳୀ ରେ ଚାଷକାର୍ଯ୍ୟ କଲେ ସ୍ବାଭିମାନ ଜୀବନ ବିତାଇବା ସହ ଭଲ ରୋଜଗାର ମଧ୍ୟ ପାଇପାରିବା ବୋଲି ସମାଜର ଯୁବ ଗୋଷ୍ଠୀ କୁ ରଞ୍ଜିତ୍ ସଂଦେଶ ଦେଇଛନ୍ତି । ଏଥି ସହିତ ସମାଜରେ ଜଣେ ସଫଳ ଚାଷୀ ଭାବେ ସେ ନିଜକୁ ଗଢିତୋଳିଛନ୍ତି ।