କୋଭିଡ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, କୋରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ଗଞ୍ଜାମ ମଡେଲ ସବୁଆଡେ ପ୍ରଶଂସିତ ହେଉଛି । ଗଞ୍ଜାମ ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆପଣା ଯାଇଥିବା ଏହି ମଡେଲକୁ ଏବେ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ବି ପ୍ରଶଂସା କରିଛି । କୋରୋନାକୁ ସଫଳ ଭାବେ ନିୟନ୍ତ୍ରଣ କରାଯାଇପାରେ, ତାହା ଓଡିଶାର ଗଞ୍ଜାମ ଓ ମହାରାଷ୍ଟ୍ରର ଧରାବୀରୁ ଶିଖିବା ଦରକାର ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି । ସଂକ୍ରମଣ ରୋକିବା ପାଇଁ ଛୋଟ ଛୋଟ ଅଞ୍ଚଳ ପ୍ରତି ଧ୍ୟାନ ଦେବା ଦରକାର ବୋଲି ଗଞ୍ଜାମ ଜିଲ୍ଲା ଓ ଧରାବୀ ବସ୍ତିର ଉଦାହରଣ ଦେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି । କୋରୋନା ସଂକ୍ରମଣ ନେଇ ୩୧୦ଟି ସହର ଉପରେ ଅଧ୍ୟୟନ କରିଥିଲା ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ପକ୍ଷରୁ କୁୁହାଯାଇଛି ଯେ, ଗଞ୍ଜାମ ଓ ଧରାବୀରେ ହଜାର ହଜାର ସଂକ୍ରମିତ ହୋଇଥିଲେ । କିନ୍ତୁ ଆଜି ଏଠାରେ ୨ ଶହରୁ ବି କମ୍ ରୋଗୀ ଅଛନ୍ତି । ଗଞ୍ଜାମ ଜିଲ୍ଲା ଓ ଧରାବୀ ବସ୍ତି ମଡେଲରୁ ଅନେକ କିଛି ଶିଖି ହେବ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି l ଓଡିଶାର ଗଞ୍ଜାମ ଜିଲ୍ଲା ପରି ମହାରାଷ୍ଟ୍ରରେ ଥିବା ଏସିଆର ସବୁଠାରୁ ବଡ ବସ୍ତି ଧରାବୀରେ ବି କୋରୋନା ମୁକାବିଲା ନେଇ ନିଆଯାଇଥିବା ସଫଳ ପଦକ୍ଷେପ ସଂପର୍କରେ ବି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟୟନ ରିପୋର୍ଟରେ ସ୍ଥାନ ପାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଉଭୟ ଗଞ୍ଜାମ ଓ ଧରାବୀ ମଡେଲ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ବି ଉଚ୍ଚ ପ୍ରଶଂସିତ ହୋଇପାରିଛି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା