‘ଆସିଲା ଆମ ଓଡ଼ିଶା, ନବୀନ ଓଡ଼ିଶା’ ଗାଇଡଲାଇନ୍‌ : ଉପସ୍ଥାପନ ବିପ୍ଳବ ପାତ୍ର

‘ଆସିଲା ଆମ ଓଡ଼ିଶା, ନବୀନ ଓଡ଼ିଶା’ ଗାଇଡଲାଇନ୍‌: ପ୍ରକଳ୍ପ ପ୍ରସ୍ତାବ ଦେବେ ଗ୍ରାମବାସୀ, ପଞ୍ଚାୟତ ସମିତି ହାତରେ କାର୍ଯ୍ୟାନ୍ୱୟନ ଦାୟିତ୍ୱ

  • ଜଗନ୍ନାଥ ସଂସ୍କୃତି, ମନ୍ଦିର ପାଇଁ ୧୦ଲକ୍ଷ
  • ଶିକ୍ଷା, କ୍ରୀଡ଼ା, ସହରୀ ସୁବିଧା ପାଇଁ ୪୦ ଲକ୍ଷ
  • ହେବ ଜିଆଇଏସ୍‌ ଟ୍ୟାଗିଂ,
  • ସାମାଜିକ ଅଡିଟ୍‌
    ଆପ୍‌ ଜରିଆରେ ତଦାରଖ କେଉଁ ଧର୍ମାନୁଷ୍ଠାନର ବିକାଶ କେମିତି ହେବ ସେକଥା ଲୋକେ ପ୍ରସ୍ତାବ ଦେବେ । ପ୍ରାଥମିକ ଶିକ୍ଷା ଭିତ୍ତିଭୂମି, କ୍ରୀଡ଼ା ବିକାଶ, ମିଶନ ଶକ୍ତି ପାଇଁ ଅତିରିକ୍ତ ସୁବିଧା, ମହିଳା ଓ ଯୁବ ସଶକ୍ତିକରଣ ପାଇଁ କ’ଣ କରାଯିବ ସେ ସଂପର୍କରେ ବି ଗ୍ରାମବାସୀ ଏବଂ ଜନ ପ୍ରତିନିଧି ଦେବେ ପ୍ରସ୍ତାବ ।

ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦାୟିତ୍ୱ ସମ୍ଭାଳିବ ପଞ୍ଚାୟତ ସମିତି ।ନୂଆ ଯୋଜନା “ଆମ ଓଡ଼ିଶା, ନବୀନ ଓଡ଼ିଶା” କାର୍ଯ୍ୟକାରୀ କରିବା ପାଇଁ ଏଭଳି ମାର୍ଗଦର୍ଶିକା ଜାରି କରାଯାଇଛି । ଗତ ୧୦ ତାରିଖ ଦିନ ଏହି ନୂଆ ଯୋଜନାକୁ ମଞ୍ଜୁରୀ ଦେଇଥିଲା ରାଜ୍ୟ କ୍ୟାବିନେଟ୍‌ । ତତ୍‌କ୍ଷଣାତ୍‌ ଏ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଇଛି । ଏ ନେଇ ବିସ୍ତୃତ ଗାଇଡ୍‌ଲାଇନ୍‌ ଜାରି କରିଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ।ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ କରାଯାଇଛି, କୌଣସି ପୁରୁଣା ପ୍ରକଳ୍ପରେ ଏହି ଯୋଜନାର ଅର୍ଥ ଖର୍ଚ୍ଚ କରିହେବନି । ସମ୍ପୂର୍ଣ୍ଣ ନୂଆ ପ୍ରକଳ୍ପ କରି ଏଥିରେ ଅର୍ଥ ଖର୍ଚ୍ଚ କରିବେ । ଅଢ଼େଇ ଲକ୍ଷ ଟଙ୍କାରୁ ନେଇ ସର୍ବାଧିକ ୧୦ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ ହୋଇପାରିବ ପ୍ରତି ପ୍ରକଳ୍ପରେ ।ଏ ଯୋଜନା ମନିଟରିଂ ପାଇଁ ଏକ ସ୍ୱତନ୍ତ୍ର ଆପ୍‌୍‌ ର ବିକାଶ କରାଯିବ । ପ୍ରତି ପ୍ରକଳ୍ପ ପୂର୍ବ, ପ୍ରକଳ୍ପ କାମ ଚାଲିବା ସମୟର ଓ ପ୍ରକଳ୍ପ ସରିବା ପରବର୍ତ୍ତୀ ସମୟର ଫଟୋ ଏଥିରେ ଅପଲୋଡ୍‌ ହେବ । ଏହାକୁ ଜିଆଇଏସ୍‌ ଟ୍ୟାଗିଂ ବି କରାଯିବ । ରାଜ୍ୟସ୍ତରରେ ମନିଟରିଂ ପାଇଁ ପଞ୍ଚାୟତିରାଜ ବିଭାଗ ଏକ ୱେବ୍‌ ବେସଡ୍‌ ମ୍ୟାନେଜମେଣ୍ଟ ଇନଫର୍ମମେସନ୍‌ ସିଷ୍ଟମ୍‌(ଏମଆଇଏସ୍‌) ରଖିବ ।ପୂର୍ବରୁ ଲାଗୁ ହୋଇଥିବା ‘ଆମ ଗାଁ, ଆମ ବିକାଶ’କୁ ନୂଆ ରୂପ ଦେଇ ଏ ଯୋଜନା ଅଣାଯାଇଛି । ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାର ସହ ଧାର୍ମିକ ଉପାସନାସ୍ଥଳୀ ଓ ପର୍ଯ୍ୟଟକଙ୍କ ଗହଳି ହେଉଥିବା ସ୍ଥାନରେ ବିଭିନ୍ନ ସୁବିଧାସୁଯୋଗ ସୃଷ୍ଟି ପାଇଁ ପଞ୍ଚାୟତଗୁଡ଼ିକ ୧୦ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ କରିପାରିବେ । ଆଉ ୪୦ ଲକ୍ଷ ଟଙ୍କା ବିଭିନ୍ନ ବାଟରେ ଖର୍ଚ୍ଚ କରିବେ । ମହିଳା ଓ ଯୁବକଙ୍କୁ ସଶକ୍ତିକରଣ କରିବା ପାଇଁ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନା, ମିଶନ ଶକ୍ତି ସଦସ୍ୟାଙ୍କ ପାଇଁ ଅତିରିକ୍ତ ସୁବିଧା, ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଭିତ୍ତିଭୂମି ସୃଷ୍ଟି, ସ୍କୁଲରେ ଅତିରିକ୍ତ ଶିକ୍ଷା ସୁବିଧା, ନୂଆ ଭିତ୍ତିଭୂମି, ସ୍କୁଲ ଶିକ୍ଷାର ଆଧୁନିକୀକରଣ ଓ ଏହାର ସଂପ୍ରସାରଣରେ ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ଟଙ୍କା ଖର୍ଚ୍ଚ କରିହେବ ।ପଞ୍ଚାୟତ ଲୋକଙ୍କୁ ସହରୀ ସୁବିଧା ଦେବା ପାଇଁ ମଧ୍ୟ ଏ ଯୋଜନାରୁ ଟଙ୍କା ଦେଇ ହେବ । ବର୍ଜ୍ୟ ସଂଗ୍ରହରୁ ନେଇ ବର୍ଜ୍ୟ ପରିଚାଳନା, ଷ୍ଟ୍ରିଟଲାଇଟ୍‌, ପାର୍କର ବିକାଶ ସହ ଅନ୍ୟ ସହରୀ ସୁବିଧା ପାଇଁ ଯୋଜନା କରିହେବ । ବ୍ୟାଙ୍କିଙ୍ଗ ସେବା ପ୍ରଦାନ ପାଇଁ ଏ ଯୋଜନା ଅର୍ଥରୁ ଭିତ୍ତିଭୂମି ସୃଷ୍ଟି କରାଯାଇପାରିବ । ସେହିଭଳି ଗାଁ ଲୋକଙ୍କୁ ଡିଜିଟାଲ ସେବା ଦେବା, ମୋବାଇଲ୍‌ ସଂଯୋଗ ସୁବିଧା, ଅପ୍ଟିକାଲ ଫାଇବର ସଂଯୋଗ, ୱାଇଫାଇ ଓ ଇଣ୍ଟରନେଟ ସୁବିଧା ଦେବାକୁ ଏ ଯୋଜନାରେ କାର୍ଯ୍ୟକ୍ରମ ହାତକୁ ନେଇହେବ ।ଗାଁ ବା ପଞ୍ଚାୟତର ସାମଗ୍ରିକ ବିକାଶ ସହ ଯେଉଁ ପ୍ରକଳ୍ପ ପାଇଁ ଅର୍ଥ ନାହିଁ ସେଥିରେ ଏ ଟଙ୍କା ଖର୍ଚ୍ଚ କରିବାର ସୁଯୋଗ ଦିଆଯାଇଛି । ସବୁ ପ୍ରକଳ୍ପର ମୂଳ ଲକ୍ଷ୍ୟ ବିକାଶ । ସେହିଭଳି ଏହି ପ୍ରକଳ୍ପ ଯେଭଳି ଉପଯୋଗୀ ସମ୍ବଳ ସୃଷ୍ଟି କରିବ ଓ ସାମୂହିକ ସ୍ୱାର୍ଥ ସାଧନ କରିବ ତାକୁ ଦୃଷ୍ଟି ଦେବାକୁ କୁହାଯାଇଛି ।’ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାରେ ପଞ୍ଚାୟତ ପାଇଁ କେଉଁ କେଉଁ ପ୍ରକଳ୍ପ କରିହେବ ତାହା ଗାଁ ଲୋକେ ପ୍ରସ୍ତାବ ଦେବେ । ସେହିଭଳି ସରପଞ୍ଚଙ୍କ ସହ ଅନ୍ୟ ଜନପ୍ରତିନିଧି ଓ ଗୋଷ୍ଠୀ ସଂଗଠନଗୁଡ଼ିକ ଦେଇଥିବା ପ୍ରସ୍ତାବ ଆଧାରରେ ଯୋଜନା ହେବ । ବ୍ଲକ୍‌ସ୍ତରରେ ସବୁ ପଞ୍ଚାୟତର ପ୍ରକଳ୍ପ ତାଲିକା ପ୍ରସ୍ତୁତ ହେବ । ଏଥିରେ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦସ୍ତଖତ କରି ଅନୁମୋଦନ ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଇବେ । ଯେଉଁ ପ୍ରକଳ୍ପକୁ ଅନୁମୋଦନ ମିଳିବ ତାକୁ ବିଡିଓ ପଞ୍ଚାୟତ ସମିତି ବୈଠକରେ ଉପସ୍ଥାପନା କରିବେ । ପଞ୍ଚାୟତ ସମିତି ଏହି ଯୋଜନାକୁ କାର୍ଯ୍ୟକାରୀ କରିବ ।ଜିଲ୍ଲାପାଳ ଏହି ଯୋଜନାକୁ ତଦାରଖ ଓ ମନିଟରିଂ କରିବେ । ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ ହେଉଛି କି ନା ଜିଲ୍ଲାପାଳ ନିୟମିତ ବୈଠକ ଡାକି ତାର ସମୀକ୍ଷା କରିବେ । ଏ ଯୋଜନା ପାଇଁ ସମସ୍ତ ବ୍ଲକ୍‌ ଓ ଜିଲ୍ଲାରେ ଜଣେ ଲେଖାଏଁ ଏମଆଇଏସ୍‌ ଏକ୍ସପର୍ଟ ରହିବେ । ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଯୋଜନାର ମନିଟରିଂରେ ଜିଲ୍ଲାପାଳଙ୍କୁ ସହାୟତା କରିବେ । ଏହି ଯୋଜନା ପାଇଁ ମିଳିବାକୁ ଥିବା ଅର୍ଥ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପିଏଲ୍‌ ଆକାଉଣ୍ଟକୁ ଯିବ । ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କରିଛନ୍ତି ସେଥିପାଇଁ ଖର୍ଚ୍ଚ ହେବ ୬ କୋଟି ୪୧ ଲକ୍ଷ ଟଙ୍କା I

ଉପସ୍ଥାପନା : ବିପ୍ଳବ ପାତ୍ର, ବିଜେଡି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ