ପ୍ରବଳ ବର୍ଷା, ଭୂସ୍ଖଳନ, ବନ୍ୟା ଯୋଗୁଁ ୩୦ ମୃତ

ପ୍ରବଳ ବର୍ଷା, ଭୂସ୍ଖଳନ, ବନ୍ୟା ଯୋଗୁଁ ୩୦ ଜଣ ବ୍ୟକ୍ତିଙ୍କ ମୃତ୍ୟ ହୋଇଥିବା ବେଳେ ଅନେକ ନିଖୋଜ ହୋଇଥିବା ଖବର ମିଳିଛି I ଦକ୍ଷିଣ କୋରିଆରେ ଲଗାତାର କିଛି ଦିନ ଧରି ପ୍ରବଳ ବର୍ଷା ହେବା ଯୋଗୁ ଭୂସ୍ଖଳନ, ବନ୍ୟା ହୋଇଛି I ଏହି ଘଟଣାରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି । ଆଭ୍ୟନ୍ତରୀଣ ଓ ସୁରକ୍ଷା ମନ୍ତ୍ରଣାଳୟ ଏକ ରିପୋର୍ଟ ଅନୁସାରେ ଦକ୍ଷିଣ କୋରିଆରେ ଶନିବାର ପ୍ରବଳ ବର୍ଷା ଯୋଗୁଁ ଘର ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଭୂସ୍ଖଳନ ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। କିନ୍ତୁ ମନ୍ତ୍ରଣାଳୟ ପକ୍ଷରୁ ଅନ୍ୟ ମୃତକଙ୍କ ମୃତ୍ୟୁର କାରଣ ବାବଦରେ ରିପୋର୍ଟ କରାଯାଇ ନାହିଁ। ସମସ୍ତ ମୃତକ କେନ୍ଦ୍ରୀୟ ଏବଂ ଦକ୍ଷିଣ ପୂର୍ବଞ୍ଚଳର ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଗୁରୁବାରଠାରୁ କିଛି ଲୋକ ନିଖୋଜ ଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି । ଦକ୍ଷିଣ କୋରିଆରେ ଜୁଲାଇ ୯ରୁ ଲଗାଣ ବର୍ଷା ଜାରି ରହିଛି। ଫଳରେ ୨୦୦ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ବିମାନ ଓ ଟ୍ରେନ ଚଳାଚଳ ବାତିଲ ହୋଇଛି। ବିଦ୍ୟୁତ୍ ସେବା ମଧ୍ୟ ବିଚ୍ଛିନ୍ନ ହୋଇଛି। ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକେ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ୫ ହଜାର ୫୭୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ଖବର ମିଳିଛି ।