ଆନ୍ଧ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଗିରଫ : ବେଲ୍‌ ନ ମିଳିବାରୁ ୧୪ ଦିନ ପାଇଁ ରିମାଣ୍ଡରେ ଗଲେ

ବିଜୟୱାଡା(ସମୃଦ୍ଧ ଓଡିଶା)ଗତକାଲି ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ସିଆଇଡି ଗିରଫ କରିଛି I ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ କୌଣସି ପ୍ରକାରରେ ଆଜି ଆଶ୍ୱସ୍ତି ମିଳିଲା ନାହିଁ । ତାଙ୍କୁ ଦୁର୍ନୀତି ନିରୋଧ ବ୍ୟୁରୋ (ଏସିବି)ର ଗୋଟିଏ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ରିମାଣ୍ଡରେ ପଠାଇ ଦେଇଥିବା ଜଣାପଡିଛି । ସେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ନିରାଶ ହୋଇଛନ୍ତି। ନ୍ୟାୟିକ ରିମାଣ୍ଡର ଅର୍ଥ ସିଆଇଡି ତାଙ୍କୁ ହାଜତ ଭିତରେ ହିଁ ଜେରା କରିବ। ୩୭୧ କୋଟି ଟଙ୍କାର ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି ଘଟଣାରେ ସିଆଇଡି ଚନ୍ଦ୍ରବାବୁଙ୍କୁ ଗତକାଲି ଗିରଫ କରିଥିଲା।ଏହାକୁ ନେଇ ଆନ୍ଧ୍ର ରାଜନୀତି ସରଗରମ ହୋଇ ଉଠିଛି। କ୍ଷମତାସୀନ ଜଗନ ମୋହନ ରେଡ୍ଡୀ ସରକାର ନିର୍ବାଚନକୁ ଆଖି ଆଗରେ ରଖି ଦଳକୁ ବଦନାମ କରିବା ଉଦ୍ଧେଶରେ ଏପରି ଗିରଫଦାରୀ କରିଥିବା ନାଇଡୁଙ୍କ ଦଳ ଟିଡିପି ଅଭିଯୋଗ କରିଛି। ତେବେ ଏହାକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି।୨୦୧୪ରେ ଆନ୍ଧ୍ର ପ୍ରଦେଶ ରାଜ୍ୟ ଦକ୍ଷତା ବିକାଶ କର୍ପୋରେସନ ଗଠନ ହୋଇଥିଲା। ଉଦ୍ଦେଶ୍ୟ ଥିଲା ଯୁବକଯୁବତୀମାନଙ୍କୁ ବିଭିନ୍ନ ତାଲିମ ଦେଇ ଦକ୍ଷତା ବିକାଶ କରିବା କିନ୍ତୁ ସେଭଳି କିଛି ନ କରି ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହେବାରୁ ସିଆଇଡ଼ି ପଦକ୍ଷେପ ନେଇଛି । ତେବେ ଏହି କାର୍ଯ୍ୟକ୍ରମରେ ୩୭୧ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୨୦୧୪ରୁ ୨୦୧୯ ଯାଏ ଚନ୍ଦ୍ରବାବୁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ଇସାରାରେ ସବୁ କିଛି ହୋଇଥିବା କୁହାଯାଉଛି। ଏଥିପାଇଁ ତାଙ୍କ ନାଁରେ ଆଇପିସିର ଧାରା ୧୨୦ବି, ୪୨୦ ଓ ୪୬୫ରେ ମାମଲା ରୁଜୁ ହୋଇଛି। ସିଆଇଡି ତାଙ୍କ ନାଁରେ ଦୁର୍ନୀତି ନିରୋଧ ଆଇନର ବିଭିନ୍ନ ଦଫା ମଧ୍ୟ ଲଗାଇଛି।

ରିପୋର୍ଟ : ଆଡ଼ଭୋକେଟ ସୁଧୀର ପଟ୍ଟନାୟକ