ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ : ଦକ୍ଷିଣ ଭାରତରେ ମାତ୍ର ୧୫ଟି ଆସନ ନେବ ବିଜେପି କହିଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରବାଦ(ସମୃଦ୍ଧଓଡିଶା) ଆଜି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ। ତାମିନାଲଡୁର ସମସ୍ତ ୩୯ ଆସନ ସହ ଦେଶର ୧୦୨ଟି ଲୋକସଭା ଆସନରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୪୦୦ ପାର୍‌ ନାରା ଦେଇ ନିର୍ବାଚନ ଲଢ଼ୁଥିବା ବିଜେପି ପାଇଁ ଏହି ୧୦୨ ଆସନ ବେଶ ଗୁରୁତ୍ୱପୂର୍ଣ୍ଣ। ସେହିପରି ଦଳ ତା’ର ଲକ୍ଷ୍ୟ ପୂରଣ କରିବାକୁ ହେଲେ, ଦକ୍ଷିଣ ଭାରତରେ ଅଧିକରୁ ଅଧିକ ଆସନ ଜିତିବାକୁ ପଡ଼ିବ। ଦକ୍ଷିଣ ଭାରତରେ ଦଳ ତା’ର ସ୍ଥିତିକୁ ମଜବୁତ କରିବାକୁ ଚେଷ୍ଟା କରୁଥିବା ବେଳେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ବଡ଼ ଆକଳନ କରିଛନ୍ତି। ଦକ୍ଷିଣ ଭାରତରେ ବିଜେପି ମୋଟ ୧୩୦ ଲୋକସଭା ଆସନରୁ ଅତି ବେଶୀରେ ୧୫ଟିରେ ହିଁ ଜିତିପାରିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ତାମିଲନାଡୁ ଓ କେରଳ ଉପରେ ଅଧିକ ଫୋକସ କରିଛି। ସମର୍ଥନ ହାସଲ କରିବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ରାଜ୍ୟକୁ ବାରମ୍ବାର ଗସ୍ତ କରୁଛନ୍ତି। ହେଲେ ଏହାର ଫାଇଦା ବିଜେପିକୁ ମିଳିବ ନାହିଁ ବୋଲି ରେବନ୍ଥ କହିଛନ୍ତି। ଗତବର୍ଷ ହୋଇଥିବା ତେଲଙ୍ଗାନା ବିଧାନସଭା ନିର୍ବାଚନରେ ରେବନ୍ଥଙ୍କ ନେତୃତ୍ୱରେ କଂଗ୍ରେସ ବିଜୟୀ ହୋଇଥିଲା। ଏବେ ରେବନ୍ଥ କହିଛନ୍ତି ଯେ ଦକ୍ଷିଣ ଭାରତରରେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ ୧୩୦ ଲୋକସଭା ଆସନରୁ ୧୧୫ରୁ ୧୨୦ ଆସନ ଜିତିବେ। ବିଜେପି ଦକ୍ଷିଣ ଭାରତରରେ ୧୨ରୁ ୧୫ଟି ଆସନ ପାଇବ। ବିଜେପି ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ହାରିବ।”କେରଳର ଆଟ୍ଟିଙ୍ଗଲ ଠାରେ କଂଗ୍ରେସର ଏ ପ୍ରକାଶଙ୍କ ପାଇଁ ପ୍ରଚାର କରିବା ବେଳେ ରେବନ୍ଥ ଏପରି କହିଛନ୍ତି। ପ୍ରକାଶ ହେଉଛନ୍ତି ବର୍ତ୍ତମାନର ସାଂସଦ। ସେ ସିପିଆଇଏମର ଏ ସମ୍ପତଙ୍କୁ ହରାଇ ବିଜୟୀ ହୋଇଥିଲେ। ସମ୍ପତ ୨୦୦୯ ଓ ୨୦୧୪ରେ ଏଠାରୁ ଜିତିଥିଲେ। କେରଳରେ ବିଜେପି କେବେ ହେଲେ ଗୋଟିଏ ବି ଲୋକସଭା ଆସନ ଜିତି ନାହିଁ। ରାଜ୍ୟର ଦୁଇଟି ବିଧାନସଭା ନିର୍ବାଚନରେ ଦଳ କେବଳ ଗୋଟିଏ ଲେଖାଏ ଆସନ ଜିତି ପାରିଥିଲା। ରେବନ୍ଥଙ୍କ ଆଶା ଓ ବିଶ୍ୱାସ କେରଳର ସମସ୍ତ ୨୦ ଲୋକସଭା ଆସନରେ ଇଣ୍ଡିଆ ପ୍ରାର୍ଥୀମାନେ ବିଜୟୀ ହେବେ। କେରଳରେ ବିଜେପି ପ୍ରାର୍ଥୀମାନେ ଅମାନତ ହରାଇବେ ବୋଲି ସେ କହିଛନ୍ତି। ୨୦୧୯ରେ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ କେରଳର ସମସ୍ତ ଆସନରେ ଜିତିଥିଲେ। ବିଜେପି ଅବଶ୍ୟ ତା’ ଭୋଟ ଭାଗ ବୃଦ୍ଧି କରିପାରିଥିଲା। ହେଲେ ଏଥର କଂଗ୍ରେସ ଓ ସିପିଆଇଏମ ପରସ୍ପର ବିରୋଧରେ ଲଢ଼ୁଛନ୍ତି। ତେଣୁ ବିଜେପି ଏହାର ଫାଇଦା ଉଠାଇବା ମୁଡରେ ରହିଛି। ତେଲଙ୍ଗାନା ଲୋକସଭା ସମ୍ପର୍କରେ ରେବନ୍ଥ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟ ୧୭ରୁ ୧୪ଟିରେ ଜିତିବ। ଗତବର୍ଷ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପି ୮ଟି, ବିଆରଏସ ୩୯ ଓ ସିପିଆଇଏମ ଗୋଟିଏ ସ୍ଥାନରେ ଜିତିଥିଲେ। ବିଜେପିକୁ ତା’ର ୪୦୦ ପାର ନାରାକୁ ସଫଳ କରିବାକୁ ହେଲେ ଦକ୍ଷିଣ ପ୍ରାନ୍ତରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। କର୍ଣ୍ଣାଟକା, ଆନ୍ଧ୍ର ପ୍ରଦେଶ, ପୁଡୁଚେରୀ, ତାମିଲନାଡୁ, କେରଳ ଓ ତେଲଙ୍ଗାନାରେ ଦଳକୁ ଅଧିକ ସିଟ୍‌ତ ଜିତିବାକୁ ପଡ଼ିବ। ୨୦୧୯ରେ ପୁଡୁଚେରୀ, ଆନ୍ଧ୍ର, କେରଳ ଓ ତାମିଲନାଡୁରେ ବିଜେପି ଗୋଟିଏ ବି ଆସନ ଜିତି ପାରି ନଥିଲା। କେବଳ କର୍ଣ୍ଣାଟକାରେ ଦଳ ୨୮ଟି ଆସନରୁ ୨୫ଟିରେ ଜିତିଥିଲା। ରେବନ୍ଥ କହିଛନ୍ତି, ବିଜେପି କେବେ ହେଲେ ୪୦୦ ପାର କରିପାରିବ ନାହିଁ। କେସିଆର ଗତବର୍ଷ ବିଧାନସଭା ନିର୍ବାଚନରେ ୧୦୦ଟି ଆସନ ଜିତିବେ ବୋଲି ନାରା ଦେଉଥିଲେ। କିନ୍ତୁ ଦଳକୁ ୩୯ଟି ଆସନରେ ସୀମିତ ହେବାକୁ ପଡ଼ିଥିଲା। ବିଜେପି ସହ ମଧ୍ୟ ସମାନ ଘଟଣା ଘଟିବାକୁ ଯାଉଛିତ। ସେମାନେ ଏପରି ନାରା ଦେଇ ଲୋକଙ୍କୁ ଦ୍ୱନ୍ଦ୍ୱ ଭିତରେ ପକାଇବାକୁ ଚାହଁଛନ୍ତି। କିନ୍ତୁ ଲୋକମାନେ ବିଜେପିକୁ ଉପଯୁକ୍ତି ଶିକ୍ଷା ଦେବେ ବୋଲି ସେ କହିଛନ୍ତି।

ରିପୋର୍ଟ : ଏମ ଭି ରମଣ

Leave a Reply

Your email address will not be published. Required fields are marked *