ପ୍ରଚଣ୍ଡ ରୌଦ୍ର ତାପ ବେଳେ ମା’ତାରାତାରିଣୀ ଯାତ୍ରା : ସହାୟ ହେଲେ ସ୍ୱେଚ୍ଛାସେବୀ କର୍ମୀ

ଛତ୍ରପୁର(ସମୃଦ୍ଧଓଡିଶା)ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ନେଇ ସତର୍କତାର ସୂଚନା ଦିଆଯିବା ମଧ୍ୟରେ ଆଜି ଥିଲା ମା’ ତାରାତାରିଣୀଙ୍କର ଚଇତି ମଙ୍ଗଳବାରର ଚତୁର୍ଥ ପାଳି। ପଣା ସଂକ୍ରାନ୍ତି ତଥା ଦଣ୍ଡ ଯାତ୍ରା ଶେଷ ହୋଇଥିବାରୁ ଏହି ପାଳିରେ ପୂର୍ବ ଅପେକ୍ଷା କମ ଭକ୍ତ ଆସିବେ ବୋଲି ଆଶା ଥିଲା କିନ୍ତୁ ଆଜି ମା’ଙ୍କର ଦୁର୍ଗା ବେଶ ଦର୍ଶନ କରିବାକୁ ଭକ୍ତଙ୍କର ନାହିଁ ନଥିବା ଭିଡ଼ ଲାଗି ରହିଥିଲା। ମନ୍ଦିର ନିକଟରେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ଓ ଏହି ବ୍ୟବସ୍ଥା କେବଳ ବସ ଷ୍ଟାଣ୍ଡରେ ରହିଥିବାରୁ ଧାଡିରେ ଆସୁଥିବା ଲୋକ ତଥା ଛୋଟ ପିଲାମାନେ ପାଣି ପାଇଁ ଡହଳ ବିକଳ ହେଉଥିବାର ଦେଖିବାକୁ ମିଳିଥିଲା। ଏହି କଥାକୁ ନଜରରେ ରଖି ଛତ୍ରପୁରର ସ୍ବେଚ୍ଛାସେବୀ ଅଯୋଧ୍ୟା ପରିଡ଼ା, ମନୋରଞ୍ଜନ ବେହେରା ଓ ଜୀବନ ପ୍ରଧାନ କିପରି ଧାଡିରେ ଥିବା ଲୋକଙ୍କୁ ତଥା ପାହାଚରେ ଚାଲିକି ଆସୁଥିବା ଭକ୍ତଙ୍କୁ ପ୍ରବଳ ଖରାରେ ପାଣି ଯୋଗାଇ ଦିଆଯାଇପାରିବ ସେ କଥା ଚିନ୍ତା କରି ଜଳର ବ୍ୟବସ୍ଥା କରାଇଥିଲେ। ସେହିପରି ଫିରୋଜ ବେହେରାଙ୍କ ନେତୃତ୍ୱରେ ପାଲୁରରୁ ଆସିଥିବା ସ୍ୱାମୀ ବିବେକାନନ୍ଦ ଯୁବକ ସଂଘର ସ୍ବେଚ୍ଛାସେବୀଙ୍କ ସହ ମିଶି ଟୁଟୁ ନାୟକ, ରାଜେଶ ପାତ୍ର ସମସ୍ତ ଭକ୍ତଙ୍କୁ ପ୍ରବଳ ରୌଦ୍ର ତାପରୁ ବଞ୍ଚାଇବାକୁ ଯାଇ ସ୍ପ୍ରେୟର ଦ୍ୱାରା ପାଣି ଛିଞ୍ଚନ କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ତିନି ପାଳି ଧରି ଛତ୍ରପୁରର ଉତ୍ସାହୀ ଯୁବକମାନେ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ମା’ଙ୍କ ପୀଠକୁ ଆସି ଲୋକଙ୍କୁ ଧାଡିରେ ଛିଡା କରାଇ ମା’ଙ୍କର ଶୃଙ୍ଖଳିତ ଦର୍ଶନ କରାଇବା, ଅସହାୟ ତଥା ଦିବ୍ୟାଙ୍ଗମାନଙ୍କୁ ମା’ଙ୍କ ଦର୍ଶନ କରାଇବାରେ ଯଥା ସମ୍ଭବ ସହାୟତା କରିବା, ପାଣି ବାଣ୍ଟିବା ତଥା ପ୍ରବଳ ଖରା ଯୋଗୁଁ ଅଚେତ ହୋଇପଡିଥିବା ଭକ୍ତଙ୍କୁ ଜରୁରୀକାଳୀନ ସାହାଯ୍ୟ ପ୍ରଦାନ କରିବା ଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟ ସମ୍ପାଦନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ପ୍ରଶାସନକୁ ସହାୟତାର ହାତ ବଢ଼ାଉଛନ୍ତି। ଆଜିର ଏହି ସେବା କାର୍ଯ୍ୟରେ ସନ୍ତୋଷ ରେଡ୍ଡୀ, ମାଧବ ସାସମାଲ, ଏସ. ରବି, ଗଣେଶ ରେଡ୍ଡୀ, ଏନ. ପାପା ରାଓ, ବ୍ରଜ କିଶୋର ମହାରଣା, ସୀମାଞ୍ଚଳ ସାହୁ ଆଦି ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରି ସୁଚାରୁ ରୂପେ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ପଣ୍ଡା

Leave a Reply

Your email address will not be published. Required fields are marked *