ଆଜି ଠାରୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର :  ଆଜି ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ୧୧ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ସେମାନଙ୍କ ବିଧାୟକ ଦଳ ବୈଠକରେ ରଣନୀତି ଚୂଡ଼ାନ୍ତ କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଧାନସଭାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ମୁକାବିଲା ତୀବ୍ର ହେବା ସମ୍ଭାବନା ରହିିଛି। ବିଜେଡି କେନ୍ଦ୍ରୀୟ ଅବହେଳାକୁ ପ୍ରମୁଖ ପ୍ରସଙ୍ଗ କରିବ। ଏହାବ୍ୟତୀତ କେନ୍ଦ୍ର ସରକାର ବିଭିନ୍ନ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିବା ଦର୍ଶାଇ ନିଜ ସଫଳତାର ଚିତ୍ର ଉପସ୍ଥାପନ କରିବ। ଉଭୟ କଂଗ୍ରେସ ଏବଂ ବିଜେପି ବିଭିନ୍ନ ପ୍ରସଙ୍ଗରେ ଶାସକ ବିଜେଡିର ଦୋଷ ଦୁର୍ବଳତା ନେଇ ତଥ୍ୟ ଉପସ୍ଥାପନ କରିବାକୁ ପ୍ରସ୍ତୁତ ରହିଛନ୍ତି। ବିଜେଡି ବିଧାୟକ ଦଳ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ। ବିରୋଧୀ ଯେଉଁସବୁ ଗଠନମୂଳକ ପ୍ରସଙ୍ଗ ଉଠାଇବେ ତା ଉପରେ ଶାସକ ଦଳ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ସେ କହିଛନ୍ତି। ଏହାବ୍ୟତୀତ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳାକୁ ଶାସକ ଦଳ ସଦସ୍ୟମାନେ ଗୃହରେ ଉଠାଇବେ ବୋଲି ସେ ପ୍ରକାଶ କରିଛନ୍ତି। ବୈଠକରେ ଦଳର ୧୧୨ ଜଣ ସଦସ୍ୟ ଉପସ୍ଥିତ ଥିଲେ। ଅଧିବେଶନ କାଳରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ମଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ବୈଠକ ଶେଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ କହିଥିଲେ, ୫ତାରିଖରେ ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ। ୬ ତାରିଖରେ ବିଧାନ ପରିଷଦ ଗଠନ ନେଇ ସଙ୍କଳ୍ପ ଆସିବ। ଏହା ଉପରେ ଆଲୋଚନା କରାଯାଇ ଏହାକୁ ପାରିତ କରାଯିବ। ଏହି ସ୍ବଳ୍ପକାଳୀନ ଅଧିବେଶନରେ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଏବଂ ପେନସନ ସଂକ୍ରାନ୍ତ ସଂଶୋଧନ ବିଧେୟକ, ମନ୍ତ୍ରୀଙ୍କ ଦରମା ଓ ଭତ୍ତା ସଂକ୍ରାନ୍ତ ସଂଶୋଧିତ ବିଧେୟକ, ଗାନ୍ଧୀ ବୈଷୟିକ ବିଶ୍ବବିଦ୍ୟାଳୟ ବିଧେୟକ ଏବଂ ଓଡ଼ିଶା ସମବାୟ ସମିତି ସଂଶୋଧିତ ବିଧେୟକ ଆଦି ଚାରିଟି ବିଧେୟକ ଆସିବ। ବିରୋଧୀ ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା ଚାହିଁବେ ସେଥିପାଇଁ ଶାସକ ଦଳ ପ୍ରସ୍ତୁତ ଥିବା ସେ କହିଛନ୍ତି। ବୈଠକରେ ମହାନଦୀ, ପୋଲାଭରମ, ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ସମେତ ବିଭିନ୍ନ କେନ୍ଦ୍ରୀୟ ଅବହେଳାକୁ ବିଜେଡି ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ନେଇଛି। ଏହାବ୍ୟତୀତ ବେକାର ଯୁବକଯୁବତୀଙ୍କ ନିଯୁକ୍ତି ଓ ବିଭିନ୍ନ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତିରେ ବିଫଳ ହୋଇଥିବା ଦର୍ଶାଇ ଦଳ କେନ୍ଦ୍ରକୁ ଟାର୍ଗେଟ କରିବ। ରାଜ୍ୟ ସରକାର ଆମ ଗାଁ ଆମ ବିକାଶ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରି ଜନକଲ୍ୟାଣ ଯୋଜନାର ସଫଳତା ସମ୍ପର୍କରେ ଗୃହରେ ତଥ୍ୟ ଉପସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଭିନ୍ନ ଘଟଣାର ତଦନ୍ତ ସମୟରେ ଭିଡିଓ ରେକର୍ଡିଂ ବ୍ୟବସ୍ଥା କରାଯିବା ନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବାକୁ ବିଧାୟକ ପ୍ରଭାତରଞ୍ଜନ ବିଶ୍ବାଳ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାନସଭା ମୌସୁମୀ ଅଧିବେଶନର ଅବ୍ୟବହିତ ପୂର୍ବରୁ ଅର୍ଥାତ ସୋମବାର କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ବସି ପୂର୍ବ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଅଧିବେଶନର ପ୍ରଥମ ଦିନ ଅତିରିକ୍ତ ବଜେଟ ଉପସ୍ଥାପନ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହା ୪ ତାରିଖ ପରିବର୍ତ୍ତେ ୫ ତାରିଖରେ ଉପସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି। ୪ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀ, ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ, ତାଲିମନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧି ଏବଂ ବିଧାନସଭାର ଦିବଂଗତ ସଦସ୍ୟଙ୍କ ପାଇଁ ଶୋକପ୍ରସ୍ତାବ ଆଗତ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ବାଜପେୟୀଙ୍କ ସମେତ ସମସ୍ତ ଦିବଂଗତ ସମ୍ମାନାର୍ଥେ ଦିନକ ପାଇଁ ଗୃହ ମୁଲତବୀ ରହିବ। ଏହିଦିନ ଉପସ୍ଥାପନ ହେବାକୁ ଥିବା ଅତିରିକ୍ତ ବଜେଟ ବୁଧବାର ଦିନ ମଧ୍ୟାହ୍ନ ୧୨.୩୦ରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଉପସ୍ଥାପନ କରିବେ।୬ ତାରିଖରେ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଓଡ଼ିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତ ସଙ୍କଳ୍ପ ଆଣିବେ। ଏହା ଉପରେ ସେହିଦିନ ତିନିଘଣ୍ଟା ଆଲୋଚନା କରାଯିବାକୁ ସ୍ଥିର ହୋଇଛି।