ବୈଦେଶିକ ନିବେଶ କ୍ଷେତ୍ରରେ ଢ଼ିଲା ହୋଇଗଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟା ଶାମିକା ରବି କହିଛନ୍ତି ଯେ ମୋଦି ସରକାର ଗତ ୪ ବର୍ଷରେ ଅର୍ଥନୈତିକ କ୍ଷେତ୍ରରେ ଯେତିକି ସଂସ୍କାର ଆଣିଛନ୍ତି, ଚାହିଁଥିଲେ ଆହୁରି ଅଧିକ ସଂସ୍କାର ଆଣିପାରିଥାଆନ୍ତେ । ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆକୁ ଏକ ସାକ୍ଷାତକାର ଦେଇ ଶମିକା ମତ ଦେଇଛନ୍ତି, ‘ମୋଦି ସରକାର ଜିଏସ୍‌ଟି ଏବଂ ଇନ୍‌ସଲ୍‌ଭାନ୍ସି ଆଣ୍ଡ୍‌ ବ୍ୟାଙ୍କ୍ରପ୍‌ସି କୋଡ (ଆଇବିସି) ଭଳି ସଂସ୍କାର ଲାଗୁ କରିବା ବେଳେ ଅନ୍ୟପକ୍ଷରେ ବୈଦେଶିକ ନିବେଶ କ୍ଷେତ୍ରରେ ଢ଼ିଲା ହୋଇଗଲେ। କିନ୍ତୁ ମୋର ମନେହୁଏ,ଦେଶରେ ଆହୁରି ବଡ଼ ବଡ଼ ଆର୍ଥିକ ସଂସ୍କାରର ଆବଶ୍ୟକତା ରହିଛି। ଆମେ ଆହୁରି ଅନେକ କିଛି କରିପାରିଥାଆନ୍ତୁ।’ଆର୍ଥିକ ପରାମର୍ଶଦାତା ଶାମିକା ବ୍ରୁକିଙ୍ଗ୍‌ସ ଇଣ୍ଡିଆର ଜଣେ ସିନିୟର ଫେଲୋ। ସେ ଏହା ମଧ୍ୟ କହିଛନ୍ତି ଯଦି ଆମେ ଅର୍ଥନୈତିିକ ଦୃଷ୍ଟିକୋଣରୁ ପରଖିବା ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜୟ ଦେଶରେ ବିକାଶ ଓ ଆର୍ଥିକ ଉଦାରୀକରଣ ସପକ୍ଷରେ ଏକ ଜନମତ ଥିଲା। ମୋଦି ସରକାର ଉଦାରୀକରଣ କ୍ଷେତ୍ରରେ ଆହୁରି ବହୁତ କିଛି କରିପାରିଥାଆନ୍ତେ।

ଆଇଟିଡିସିର ହୋଟେଲ ଓ ଏୟାର ଇଣ୍ଡିଆ ଭଳି ଅନେକ ସରକାରୀ ଉଦ୍ୟୋଗ ରୁଗ୍‌ଣ ଅବସ୍ଥାରେ ରହିଛି। ସେ ସବୁର କିଛି ସମାଧାନ ଆବଶ୍ୟକ ଥିଲା। ଦେଶରେ ଗୁଡ଼ାଏ ବିମାନ ପରିବହନ ସଂସ୍ଥା ଥିବାବେଳେ ଏୟାର ଇଣ୍ଡିଆରେ ନିବେଶ କଥା ଚିନ୍ତା କରିବାର ପ୍ରାସଙ୍ଗିକତା ନାହିଁ। ଏ ନେଇ ସରକାର ସ୍ପଷ୍ଟନୀତି ଗ୍ରହଣ କରିବାର ଆବଶ୍ୟକତା ଥିଲା ବୋଲି ମତ ଦେଇଛନ୍ତି ଶାମିକା।