ଅସହାୟ ଆରତୀକୁ ଥଇଥାନ ଦାବି…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ହରିଜନ ସାହିରେ ରୁହନ୍ତି ଆରତୀ ନାଇକ । ବୟସ ମାତ୍ର ୧୨ ବର୍ଷ । ଜନ୍ମ ହେବାର କିଛି ଦିନ ପରେ ନିଜ ମାଆଙ୍କୁ ହରାଇ ବସିଲା ଆରତୀ । ସେ ଦଶ ମାସର ହୋଇଥିବା ବେଳେ ଏକାକରି ବାପା ବି ଚାଲିଗଲେ ଆରପାରିକୁ । ଏତିକିରେ ଦୁଃଖ ସରିନଥିଲା ଆରତୀର । ପିଉସା ପିଉସୀଙ୍କ ପାଖରେ ନିଜର ଆଶା ବାନ୍ଧି ବଞ୍ଚିଥିଲା ଆରତୀ କିନ୍ତୁ ଭାଗ୍ୟର ବିଡମ୍ବନା ୨ ବର୍ଷତଳୁ ସେମାନେ ମଧ୍ୟ ଚାଲିଗଲେ ଆରପାରିକୁ । ଭଗବାନ ଏହି ଶେଷ ଆଶା ମଧ୍ୟ ଚଢାଇନେଲେ ଆରତୀ ପାଖରୁ । ମାନସିକ ଭାବେ ଆଘାତ ପାଇ ଆରତୀ ପାଲଟି ଯାଇଛି ବିକୃତ ମସ୍ତିସ୍କ । ଜୀବନ ଯୁଦ୍ଧରେ ଏକା ହୋଇଯାଇଥିବା ବେଳେ ସାହି ପଡିଶାଙ୍କ ଉପରେ ନିର୍ଭର କରି ବଞ୍ଚି ରହିଛି ଆରତୀ । ଏବେ ଆରତୀର ଦେଖାଶୁଣା କରିବାକୁ ପାଖରେ କେହି ନାହଁନ୍ତି । ଗୋଟେ ବଖରା ଭଙ୍ଗା ଘରେ ବିତୁଛି ଜୀବନ । କଥା ବି କହି ପାରୁନି । ଜନ୍ମରୁ ଅପସ୍ମାର ରୋଗରେ ପୀଡିତ । କେତେବେଳେ ମୂର୍ଚ୍ଛା ହୋଇଯାଉଛି ତ କେତେବେଳେ ପାଗଳିଙ୍କ ଭଳି ଆଚରଣ ଦେଖାଉଛି । ଯେତେ ଯାହା ହେଲେ ବି ନିଜେ ଦୁଇମୁଠା ହାତରେ ଖାଉଛି । ପିଇବା ପାଇଁ ପାଣି ନିଜେ ଆଣୁଛି । ସେପଟେ ସାହି ପଡ଼ିଶା ଯିଏ ଯାହା ଦେଲା ଖାଇ କି ଶୋଉଛି ନ ହେଲେ ସେମିତି ଶୋଇ ପଡୁଛି । ପାଖରେ କେହି ନ ଥିବାରୁ ଆରତୀର ଚିକିତ୍ସା ବି ହୋଇପାରୁ ନାହିଁ । ଗ୍ରାମବାସୀଙ୍କ ମତରେ, ସେ ନିଜର ଯତ୍ନ ନେଇପାରୁ ନାହିଁ, ଆମେ ସମସ୍ତେ ନିଜ ପରିବାର କାମରେ ବ୍ୟସ୍ତ । କୁଲି ମଜୁରୀ କଲେ ଆମ ପରିବାର ଚାଲୁଅଛି । ଆମେ ତାର ଦାୟିତ୍ଵ ନେଇ ପାରୁ ନାହିଁ ଯଦି ସରକାର ତାକୁ କୋଉ ଅନାଥ ଆଶ୍ରମରେ ରଖିବେ । ନହେଲେ କୌଣସି ପାଗଳ ଡାକ୍ତରଖାନାରେ ନେଇ ଚିକିତ୍ସା ଯଦି କରନ୍ତି ତାହେଲେ ଆରତୀ ଭଲ ହୋଇପାରନ୍ତା ଏବଂ ପୁଣିଥରେ ଆରତୀ ସୁନ୍ଦର ଜୀବନ ପାଇ ପାରନ୍ତା ବୋଲି ଗ୍ରାମବାସୀ ପ୍ରକାଶ କରିଥିବା ଜଣାପଡିଛି ।

ରିପୋର୍ଟ – ନିଲୁ ବିଷୋୟୀ