ଦୋଳଯାତ୍ରା ଓ ହୋଲି ପର୍ବରେ ଲାଗିଲା କରୋନା କଟକଣା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୋରନା ମହାମାରୀ ଯୋଗୁଁ ବିଭିନ୍ନ ପର୍ବ ପର୍ବାଣୀ ଉପରେ କରୋନା କଟକଣା ଲାଗି ରହିଥିବା ବେଳେ ହୋଲି ପର୍ବରେ ମଧ୍ୟ କରୋନା କଟକଣା ଲଗାଯାଇଛି । ଚଳିତ ମାସ ୨୮ରୁ ଆରମ୍ଭ ହେବ ଦୋଳଯାତ୍ରା ଓ ହୋଲି ପର୍ବ । ଏହାକୁ ନେଇ ଜନସାଧାରଣ ଉତ୍ସାହିତ ରହି ଥିବା ବେଳେ ପ୍ରଶାସନ ପକ୍ଷରୁ ଜାରି କରାଯାଇଛି କଟକଣା । କୋଭିଡର ଦ୍ଵିତୀୟ ଲହରୀକୁ ଦୃଷ୍ଟିରେ ରଖି ପ୍ରଶାସନ ସତର୍କତା ପାଇଁ ତାଗିଦ କରିଛି । ହୋଲି ଉତ୍ସବ ପାଳନ ସମ୍ପର୍କିତ କଟକଣା ଜାରି କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିଶନର । ସାମାଜିକ ଦୂରତା ଅବଲମ୍ବନ ହୋଲି ପର୍ବରେ ରହିବା ସମ୍ଭାବନା କ୍ଷୀଣ ରହିଥାଏ, ତେଣୁ ମହାମାରି ସଂକ୍ରମଣ ହୋଇପାରେ l ଦୋଳ ପୂର୍ଣ୍ଣିମା ସହ ହୋଲି ପାଳନ କରିବାକୁ ମନା କରାଯାଇଛି । ଜନ ଗହଳି, ସମାବେଶକୁ ଆଶ୍ରୟ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । ସମସ୍ତ ଜନସାଧାରଣ ନିଜ ନିଜ ପରିବାର ସଦସ୍ୟଙ୍କ ସହ ଏହି ବର୍ଷ ହୋଲି ପର୍ବକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦର ।