ଆଜି ଭାରତ ବନ୍ଦ ଡାକରା : ସଡ଼କ ଓ ରେଳ ପରିବହନ ବନ୍ଦ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ଆଜି ଦେଶର ବିଭିନ୍ନ କୃଷକ ସଂଘର ସମ୍ମିଳିତ ସଂଗଠନ ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ବିରୋଧରେ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ବିଭିନ୍ନ ରାଜନୀତିକ ଦଳ ପକ୍ଷରୁ ସମର୍ଥନ କରାଯାଉଛି । ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ରାଜ୍ୟରେ କଂଗ୍ରେସ ଓ ବାମ ଦଳ ଚାଷୀଙ୍କ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ବାଲେଶ୍ୱର ଷ୍ଟେସନରେ ଟ୍ରେନ୍ ଅଟକାଇ ଛନ୍ତି ବିକ୍ଷୋଭକାରୀ । ଭଦ୍ରକରେ ମଧ୍ୟ ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ୧୬ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଚାଷୀ ସଂଗଠନର କର୍ମକର୍ତ୍ତା ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଦୋକାନ ବଜାର, ଅଫିସ ଦପ୍ତର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଦିଲ୍ଲୀ ସୀମାରେ ଚାଷୀମାନେ ଜାରି ରଖିଥିବା ଆନ୍ଦୋଳନକୁ ଆଜି ୪ ମାସ ପୂରିଛି । ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁ ନଥିବାରୁ ସେମାନେ ଆଜି ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବନ୍ଦ ବେଳେ ଦେଶର ସମସ୍ତ ସଡ଼କ, ରେଳ ପରିବହନ ସମେତ ଦୋକାନ ବଜାର ଓ ସର୍ବସାଧାରଣ ସ୍ଥାନ ବନ୍ଦ ରହିବ । କିନ୍ତୁ ଜରୁରୀ ସେବା ଗୁଡ଼ିକୁ ଅନୁମତି ମିଳିବ । ଆମ୍ବୁଲାନ୍ସ ଯିବା ଆସିବାରେ କେହି ବି ବାଧା ସୃଷ୍ଟି କରିବେ ନାହିଁ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ।