୮ ରୁ ୧୪ ତାରିଖ ଯାଏଁ ହେବ ଅକ୍ସିଜେନ୍ ଲେବଲ୍ ଯାଞ୍ଚ୍ : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାକୁ କରୋନା ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଏଥିପାଇଁ ଆସନ୍ତା ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଅକ୍ସିଜେନ ଲେବଲ୍ ଯାଞ୍ଚ୍ କ୍ୟାମ୍ପେନ ଚାଲିବ । ଏନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜିଲ୍ଲାର ସମସ୍ତ ଘରକୁ ଟିମ୍ ଯାଇ ସମସ୍ତ ପରିବାର ସଦସ୍ୟଙ୍କ ଅକ୍ସିଜେନ ସ୍ତର କଣ ଅଛି ଯାଞ୍ଚ କରିବ । ଏହାଦ୍ୱାରା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଶୀଘ୍ର ଚି଼ହ୍ନଟ ସହ ଠିକ ସମୟରେ ଚିକିତ୍ସା କରାଯାଇ ପାରିବ ବୋଲି ଜ଼ିଲ୍ଲାପାଳ କହିଛନ୍ତି । ଏଥିସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ରହିବ ଏବଂ ତାଙ୍କର ଚିକିତ୍ସା କରାଯିବ । ବିଶେଷକରି ଏହି ଯାଞ୍ଚ ଦ୍ଵାରା ଗର୍ଭବତୀ, ବରିଷ୍ଠ ନାଗରିକ ଏବଂ ବିଭିନ୍ନ ରୋଗରେ ପୀଡିତଙ୍କ ସୁବିଧା ହୋଇପାରିବ ବୋଲି କୁହାଯାଇଛି । ଜ଼ିଲ୍ଲାପାଳ ଆହୁରି ସୂଚନା ଦେଇଛନ୍ତି ଯେ, ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୨ହଜାର ୪୩୪ ଜଣଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ୧୮ ହଜାର ୬୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୯୩.୯ ପ୍ରତିଶତ ହାରରେ ୧୭ ହଜାର ୫୨୨ ଜଣ ସୁସ୍ଥ ହୋଇଛନ୍ତି । ୨୦୪ ଜଣଙ୍କ ମୃତ୍ୟୁ ହୋଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା