୭ ଦିନ ପାଇଁ ରାୟଗଡ଼ା ସଟଡାଉନ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ଆସନ୍ତା ୭ଦିନ ଯାଏଁ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । କରୋନା ରୋଗୀଙ୍କ ସଂଖ୍ୟା ଆକସ୍ମିକ ବୃଦ୍ଧି ଘଟିବାରୁ ନିୟମ କଠୋର କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ବୁଧବାର ଦିନ ଜାରି କରିଥିବା ବିଜ୍ଞପ୍ତିରେ ୨୩ ତାରିଖରୁ ଆଗାମୀ ୨୯ତାରିଖ ଯାଏଁ ମୋଟ ସାତ ଦିନଧରି ଜିଲ୍ଲାକୁ ସଟଡାଉନ ରଖିବା ନେଇ ନିର୍ଦେଶ ଦେଇଛନ୍ତି । ବିଗତ ଦୁଇଦିନରେ ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ହୋଇଥିବାବେଳେ ପ୍ରଶାସନ ମଧ୍ୟରେ ଛନକା ପଶିଛି । ମୁଖ୍ୟତଃ ଦୁଇଟି ଗ୍ରାମରେ ସଂକ୍ରମଣ ହୁ ହୁ ହୋଇ ବଢିଥିବାରୁ ପ୍ରଶାସନର ଚିନ୍ତା ବଢିଛି । ଗୋଟିଏ ଦିନରେ ଜିଲ୍ଲାରେ ସର୍ବାଧିକ ୯୬ଜଣ କୋଭିଡ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସେମାନଙ୍କ କଣ୍ଟାକ୍ଟ ଟ୍ରିସିଂ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଆହ୍ୱାନ ସଦୃଶ ପାଲଟିଛି । କେତକ ଅମାନିଆ କୋଭିଡ ମାର୍ଗଦର୍ଶିକା ଅନୁପାଳନ କରୁ ନ ଥିବାରୁ ସଂକ୍ରମଣ ହାର ବୃଦ୍ଧି ପାଉଛି । ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ପ୍ରଶାସନ ତରଫରୁ ଆସନ୍ତା ୭ଦିନ ଯାଏଁ ଜିଲ୍ଲାକୁ ସଟଡାଉନ କରିବା ନିଷ୍ପତ୍ତି ନିଆଯାଇଛି । କେତେକ ଜରୁରୀସେବାକୁ ଏଥିରୁ ବାଦ ରଖାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ସ୍ୱାସ୍ଥ୍ୟଗତ ସେବା, ଜିଲ୍ଲା ସ୍ତରାୟୀ ଓ ପୌରପ୍ରଶାସନ ଅଧିକାରୀ, ଅଗ୍ନିଶମ କର୍ମଚାରୀ, ଜରୁରୀକାଳିନ କାର୍ଯ୍ୟରେ ନିୟୋଜି ସରକାରୀ ଅଧିକାରୀଙ୍କୁ କଟକଣା ମୁକ୍ତ କରାଯାଇଛି। ଟେଲିକମ ସେବା, ଭାରିଯାନ ଯାତାୟାତ, ବସ ସେବା, ଆର୍ଥିକ କାରବାର ସଂସ୍ଥା, ଏଟିଏମ ଆଦି ସକାଳ ୭ଟା ଠାରୁ ପୂର୍ଵହ୍ନ ୧୧ଟା ଯାଏଁ ଖୋଲା ରହିବ। ଅନୁରୂପ ଆତ୍ୟାବଶ୍ୟକ ସାମଗ୍ରୀ କ୍ରୟ ସକାଶେ ରାଶନ ଦୋକାନ ଓ ପରିବା ଦୋକାନ ଉପରୋକ୍ତ ସମୟ ମଧ୍ୟରେ କଟକଣା ମୁକ୍ତ ରହିବ । ସେହିଭଳି ହୋଟେଲରୁ ଖାଦ୍ୟପେୟ ହୋମ ଡେଲିଭେରୀ ସୁବିଧା, ଔଷଧ ଦୋକାନ, ରେଳସେବା, କଳ କାରଖାନା ପରିଚାଳନା, ଏଲପିଜି ଓ ପେଟ୍ରୋଲ ପମ୍ପଗୁଡିକ କଟକଣାରୁ ବାଦ ରହିଛି ।

ରିପୋର୍ଟ – ତୁଷାର ରଞ୍ଜନ ସାହୁ, ରାୟଗଡ଼ା