ଗଞ୍ଜାମରେ କରୋନାକୁ ରୋକିବାରେ ବିଫଳ ମୁଖ୍ୟମନ୍ତ୍ରୀ : କଂଗ୍ରେସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କରୋନା ଅଣାୟତ ଅବସ୍ଥାକୁ ଆସି ଯାଇଛି । ମାତ୍ର କିଛି ଦିନ ତଳେ ଗ୍ରୀନ ଜୋନରେ ଥିବା ଗଞ୍ଜାମ ଜିଲ୍ଲା ବର୍ତ୍ତମାନ ରେଡ ଜୋନରୁ ହଟସ୍ପଟରେ ପରିଣତ ହୋଇଛି । ରାଜ୍ୟ ସରକାରଙ୍କର ନୀତି ଓ ପରିଚାଳନା ଗତ ବିଭ୍ରାନ୍ତି ପାଇଁ ଆଜି ଗଞ୍ଜାମ ଜିଲ୍ଲାରେ ହଜାର ହଜାର ଲୋକ କରୋନା ଗ୍ରସ୍ଥ ଏବଂ ମୃତ୍ୟୁ ସଂଖ୍ୟାରେ ରାଜ୍ୟରେ ଏକ ନମ୍ବର, ଏହି ପରିପେକ୍ଷୀରେ ରାଜ୍ୟ ସରକାର ତଥା ଗଞ୍ଜାମ ଜିଲ୍ଲାର ବିଜେଡି ନେତାମାନେ ଲୋକଙ୍କୁ ଆଶ୍ୱାସନା ଓ ସାହାର୍ଯ୍ୟ କରିବା ପ୍ରତି ବଦଳରେ ଅଜ୍ଞାତବାସରେ ରହିଲେ । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଲୋକଙ୍କ ସୁଖ ଦୁଃଖରେ ସାଥି ହୋଇ କରୋନା ଜନିତ ଲୋକଙ୍କ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ରାସ୍ତାରେ ଲଢେଇ କରିବା ସହ ପ୍ରତିବାଦ କରିଛି କରୁଛି ଓ ଲୋକଙ୍କୁ ସାହାର୍ଯ୍ୟ ବି କରିଛି । କଂଗ୍ରେସ ପାଇଁ ରାଜନୀତି ହେଉଛି ଲୋକଙ୍କର ସମସ୍ୟାକୁ ନେଇ ଲଢେଇ କରିବା ଓ ଲୋକଙ୍କୁ ସାହାର୍ଯ୍ୟ କରିବା । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଶାସକ ଦଳର ନେତା ମାନଙ୍କ ପେଟରେ କଂଗ୍ରେସର ଲଢେଇ ଓ ପ୍ରତିବାଦ ହଜମ ହୋଇ ହୋଇପାରୁନାହିଁ । କିଛି ମୁଷ୍ଟିମେୟ ବିଜେଡି ନେତା କଂଗ୍ରେସର କାର୍ଯ୍ୟ ଧାରାକୁ ଆତ୍ମ ପ୍ରଚାରର ଆଖ୍ୟା ଦେଉଛନ୍ତି । ଯଦି ଲୋକଙ୍କର ସମସ୍ୟା କହିବା ଆତ୍ମ ପ୍ରଚାର ତେବେ ଏହି କଥା କଂଗ୍ରେସ ଦଳ ବାରମ୍ବାର କରିବ । ଅତଏବ ଆମ୍ଭେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛୁ ଗଞ୍ଜାମ ଜିଲ୍ଲାରେ କରୋନାକୁ ରୋକିବା ପାଇଁ ରାଜ୍ୟ ସରକାର ଯେଉଁ ସବୁ ପଦକ୍ଷେପ ନେଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ । ରାଜ୍ୟ ସରକାର ତୁରନ୍ତ ଗଞ୍ଜାମ ଜିଲ୍ଲାରେ ଖାଲି ପଡିଥିବା ୬୦% ଭାଗ ଡାକ୍ତର ପଦବୀ ପୂରଣ କରନ୍ତୁ । ଏକ ହଜାର ଶଯ୍ୟା ବିଶିଷ୍ଟ ସମସ୍ତ ଆନୁସଙ୍ଗିକ ସୁବିଧା ଥିବା ଏକ ହସ୍ପିଟାଲର ତୁରନ୍ତ ବ୍ୟବସ୍ଥା କରାଯାଉ । ଆୟକର ଦେଉ ନଥିବା ମଧ୍ୟବିତ୍ତ ପରିବାରଙ୍କୁ ମାସିକ ଟ.୭୫୦୦/- ଦିଆଯାଉ । ମୁନିସିପାଲଟି ଘର ଟିକସ ଓ ଦୋକାନ ଘର ଭଡା ତୁରନ୍ତ ଛାଡ଼ କରାଯାଉ । ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାର ଅଧିକ ତାଲା ବନ୍ଦକୁ ବିଶ୍ୱାସ ନ କରି ଅତ୍ୟଧିକ ପରୀକ୍ଷା ଓ ଚିକିତ୍ସାକୁ ଗୁରୁତ୍ୱ ଦିଅନ୍ତୁ । ରୋଗୀ ଭଲ ହେବା ପରେ ନେଗେଟିଭ ସାର୍ଟିଫିକେଟ ସେମାନଙ୍କୁ ଦିଆଯାଉ । କୋଭିଡି ହସ୍ପିଟାଲରେ ହେଉଥିବା ଅନିୟମିତତାକୁ ତୁରନ୍ତ ସୁଧାର ଅଣାଯାଉ । ପ୍ରତି ପରିବାର ମୁଣ୍ଡ ପିଛା ୧୦କେଜି ଚାଉଳ ବା ଗହମ ଦିଆଯାଉ । ଏନଆରଇଜିଏସରେ ବ୍ୟାପକ କର୍ମ ନିଯୁକ୍ତି ସୃଷ୍ଟି କରାଯାଉ । ଏହାସହ ଜିଲ୍ଲା ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହିତ ଆଲୋଚନା କରି କରୋନା ଲଢେଇରେ ସେମାନଙ୍କୁ ସାମିଲ କରାଯାଉ ବୋଲି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା