୬୦ନଂ ଜାତୀୟ ରାଜପଥର ସୀମାନିକଟରୁ ୩୮ ଶ୍ରମିକଙ୍କୁ ଉଦ୍ଧାର:ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳେଶ୍ୱର ଆଇସୋଲ୍ୟୁସନ ଶିବିରରେ ଅଟକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଓ ଓଡିଶା ଉଚ୍ଚ ନ୍ୟାୟାଳୟର ଆଦେଶରେ ସମସ୍ତ ରାଜ୍ୟର ସୀମା ସୀଲ ହୋଇଥିଲେ ମଧ୍ୟ ଆଜି ସକାଳେ ୨ଟି ଦଳର ୩୮ଜଣ ଶ୍ରମିକ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଯାତାୟାତ କରୁଥିବା ଜାଣି ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଜଳେଶ୍ୱର ନୂଆବାଜାରର ମୂରଲୀ କଲ୍ୟାଣ ମଣ୍ଡପରେ ଆଇସୋଲ୍ୟୁସନ ଶିବିରରେ ରଖିଥିବା ଜଣାଯାଇଛି । ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ କରୋନା ସଂକ୍ରମଣ ବେଳେ ଯାତାୟାତ ବନ୍ଦ ରଖିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବାରୁ ଗତ ସୋମବାର ସଂଧ୍ୟାରେ ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍‌ପି ବି. ଯୁଗଳ କିଶୋର ଓ ସ୍ଥାନୀୟ ପ୍ରଶାସନଙ୍କ ଉପସ୍ଥିତିରେ ଯାତାୟାତ କରୁଥିବା ଶ୍ରମିକ ମାନଙ୍କୁ ଅଧିକ ଅଗ୍ରସର କରିବାକୁ ନ ଦେଇ ସେମାନଙ୍କୁ ଖାଦ୍ୟ ଓ ସେବା ସହିତ ଶିବିରରେ ରଖିବାକୁ ସିଦ୍ଧାନ୍ତ ନେଇଛନ୍ତି । କିନ୍ତୁ ଗତ ରାତିରେ ୬୦ନଂ ଜାତୀୟ ରାଜପଥରେ ଶତାଧିକ ବ୍ୟକ୍ତି ପଶ୍ଚିମବଂଗରୁ ଓଡିଶାର ବିଭିନ୍ନ ସ୍ଥାନକୁ ଗ୍ରାମୀଣ ରାସ୍ତାରେ ଜାତାୟାତ କରିଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ । ଆଜି ସକାଳେ କଲିକତାର ଏକ ଗେଞ୍ଜି କାରଖାନାରେ କାମକରୁଥିବା ୨୪ଜଣ ଶ୍ରମିକ ପାଦରେ କୋଲକତାରୁ ନୟାଗଡ ଅଭିମୁଖେ ଯାଉଥିବା ବେଳେ ନୂତନ କିରଣ ସଂସ୍ଥାର ମୁଖ୍ୟ ଗୌରଗୋପାଳ ସେନ୍ ଓ କୁମାର ସତ୍ୟଜିତ୍ ବେଜ ଏହାଜାଣି ଜଳେଶ୍ୱର ବିଡିଓ ଦୀପ୍ତିରଂଜନ ସେଠୀ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଏସ୍‌ଡିପିଓ ଅଂକିତା କୁମ୍ଭାର, ଆଇଆଇସି ଧନେଶ୍ୱର ସାହୁ ଓ ପୌର ଅଧିକାରୀ ଅଜୟ କୁମାର ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଏମାନେ କଲକୋତାର ଲୋକନାଥ ପ୍ରସେସିଂ ଗେଞ୍ଜି ୟୁନିଟ୍‌ରେ କାର୍ଯ୍ୟ କରୁଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ୨୩ ପୁରୁଷ, ୧ ମହିଳା ଓ ଜଣେ ଦେଢବର୍ଷର ଶିଶୁ ଥିବା ଜଣାଯାଇଛି । ପୁଣି ଅନ୍ୟଏକ ଦଳରେ ୧୪ଜଣ ଓଡିଶାର ସମ୍ବଲପୁରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ପଶ୍ଚିମ ମେଦୀନିପୁରର ଉପାନ୍ତ ଥାନା ମୋହନପୁରକୁ ଚାଲି ଚାଲି ଗଲାବେଳେ ପ୍ରଶାସନ ସେମାନଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ନେଇ ସ୍ଥାନୀୟ ମୂରଲୀ କଲ୍ୟାଣ ମଣ୍ଡପରେ ରଖାଯାଇ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ଅପରାହ୍ନରେ ଓଡିଶାର ବାଙ୍କି ଅଞ୍ଚଳର ୮ଜଣ ଶ୍ରମିକ କୋଲକତାରୁ ଚାଲିଚାଲି ଆସୁଥିବା ବେଳେ ସେମାନଙ୍କୁ ପୁଲିସ୍ ହେପାଜତକୁ ନେଇଛି ।

ରିପୋର୍ଟ : ଭୂପତି କୁମାର ପରିଡା