୫୪ ପ୍ୟାକ୍ସରୁ ଖୋଲିଲା ୧ମଣ୍ଡି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୭ ଦିନ ଧରି ସେବା ସମବାୟ ସମିତି (ପ୍ୟାକ୍ସ)ର ସମ୍ପାଦକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଥିବାରୁ ୫ଦିନ ପୂର୍ବରୁ ସରକାରୀ ମଣ୍ଡି ଗୁଡିକରେ ଧାନ କ୍ରୟ ହେବାକୁଥିବା ବେଳେ ଅଦ୍ୟାବଧି ତାହା ହୋଇ ପାରିନାହିଁ । ପ୍ରାୟ ୫ଲକ୍ଷ କ୍ୟୁଣ୍ଟାଲ ଧାନ ୩୦ହଜାର ପଞ୍ଜିକୃତ ଚାଷୀ ଧାନ ବିକିବାକୁ ଥିବାବେଳେ ଜଳେଶ୍ୱର ନିୟନ୍ତ୍ରିତ ବଜାର କମିଟି ୫୪ଟିପ୍ୟାକ୍ସ ମଧ୍ୟରୁ ମାତ୍ର ଗୋଟିଏ ଖୋଲି ୭୫ କ୍ୟୁଣ୍ଟାଲ ଧାନ କିଣି ଥିବା ଜଣାଯାଇଛି । ଫଳରେ ଧାନର ଅଭାବି ବିକ୍ରି ଯୋଗୁଁ ଚାଷୀମାନେ ୬ଶହ ଟଙ୍କା କମ ମୂଲ୍ୟରେ ପଶ୍ଚିମବଙ୍ଗର ବେପାରୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଜଳେଶ୍ୱରସ୍ଥିତ ନିୟନ୍ତ୍ରିତ ବଜାର କମିଟିକୁ ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳରେ ଥିବା ୫୪ଟି ସମବାୟ ସମିତି (ପ୍ୟାକ୍ସ)ରୁ ଧାନ କ୍ରୟ ଲାଗି ନିର୍ଦ୍ଦେଶ ଥିବା ବେଳେ ଭୋଗରାଇ ବ୍ଲକର ମହାଗବ ସେବା ସମବାୟ ସମିତିରେ ମାତ୍ର ୭୫ କ୍ୟୁଣ୍ଟାଲ ଧାନ କ୍ରୟ ହୋଇଥିବା ସୂଚନା ମିଳିଛି । ୩ଟି ବ୍ଲକରେ ୩୦ହଜାର ଚାଷୀ ସେମାନଙ୍କ ନାମ ପଂଜିକରଣ କରିଥିବା ବେଳେ ପ୍ରାୟ ୫ଲକ୍ଷ କ୍ୟୁଣ୍ଟାଲ ଧାନ ବିକ୍ରି କରିବା ପାଇଁ ଅପେକ୍ଷା କରିଛନ୍ତି । ପ୍ରକାଶଯୋଗ୍ୟ ଗତବର୍ଷ ଏହି ୫୪ଟି ପ୍ୟାକ୍ସରେ ୫.୫ ଲକ୍ଷ କ୍ୟୁଣ୍ଟାଲ ଧାନ କ୍ରୟ ହୋଇଥିଲା । ଚାଷୀମାନେ ସରକାରୀ ଓ ବେସରକାରୀ ଭାବେ ବହୁ ଅର୍ଥ ଧାର କରଜ କରି ଖରିଫ ଧାନଚାଷ ଉପୁଜାଇ ଥିଲେ । ବିହନ କ୍ରୟ, ତଳି ପକାଇବା, ଧାନରୋଇବା, ସାର ଓ କୀଟନାସକ ବ୍ୟବହାର ପୁଣି ପ୍ରତିକୂଳ ପାଗ ଯୋଗୁଁ କାଦୁଅ ବର୍ଷାରେ ଧାନ ଅମଳ କରିବାରେ ଏକରକୁ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚା ହୋଇଛି । ଏକରକୁ ୨୦ କ୍ୟୁଣ୍ଟାଲ ଧାନ ଅମଳର ଚାଷୀ ଆଶା କରିଥିବା ବେଳେ ଚଳିତବର୍ଷ କମ୍ ଅମଳ ହେଉଥିବାର ଲକ୍ଷ୍ୟ କରାଯାଉଛି । ତଥାପି ଚାଷୀ ସରକାରୀ ମୂଲ୍ୟ ୧୯୬୪ରେ ବିକ୍ରି କରିଥିଲେ ଆପାତତଃ ଲାଭକ୍ଷତି ସମାନ ହୋଇଥାନ୍ତା । କିନ୍ତୁ ଏବେ ପଶ୍ଚିମବଙ୍ଗର ବ୍ୟବସାୟୀକୁ ପ୍ରତିକ୍ୟୁଣ୍ଟାଲ ୧୩୬୫ ଟଙ୍କାରେ ବିକ୍ରି କରୁଥିବାରୁ ପ୍ରାୟ ସରକାରୀ ମୂଲ୍ୟଠାରୁ ୬୦୦ଟଙ୍କା କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଜଳେଶ୍ୱର ନିୟନ୍ତ୍ରୀତ ବଜାର କମିଟି ଗୋଟିଏ ମାତ୍ର ପ୍ୟାକ୍ସ ଖୋଲିଥିବା ବେଳେ ଆସନ୍ତା ମଙ୍ଗଳବାର ଦିନ ଅନ୍ୟ ୩ଟି ପ୍ୟାକ୍ସ ଖୋଲିବ ବୋଲି ଆଜି ସଂପାଦକ ବଳରାମ ଜେନା ସୂଚନା ଦେଇଛନ୍ତି । ସରକାରୀ ନିତୀ ନିୟମ ଅନୁଯାୟୀ ପଞ୍ଜିକୃତ ଚାଷୀଙ୍କ ନାମ ଜାଣିବା, ଧାନବିକ୍ରୀର ମୂଲ୍ୟ, ଚାଷୀଙ୍କୁ ବ୍ୟାଙ୍କରେ ପୈଠ କରିବା, ମିଲରକୁ ଧାନ ବିକ୍ରି କରିବା, ପ୍ୟାକ୍ସରେ ଶ୍ରମିକ ସମସ୍ୟା ଦୂର କରିବା ଇତ୍ୟାଦି ନେଇ ଜଳେଶ୍ୱର ନିୟନ୍ତ୍ରିତ ବଜାର କମିଟି ଅଧିନରେ ଅନ୍ୟ ୫୩ଟି ପ୍ୟାକ୍ସ କେବେ ଖୋଲିବ ଦେଖିବାକୁ ବାକି ରହିଲା । କିନ୍ତୁ ଚାଷୀମାନେ ଚାତକ ପରି ମଣ୍ଡି ଖୋଲିବାକୁ ଅନେଇ ବସିଛନ୍ତି ।

ରିପୋର୍ଟ : ଭୂପତି ପରିଡା