୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ : ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ 

ନୁଆଁଦିଲ୍ଲୀ(ସମୃଦ୍ଧଓଡିଶା)ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଆଜି ନିର୍ବାଚନ କମିଶନ ଏହି ତାରିଖ ଘୋଷଣା କରିଛନ୍ତି। ରାଜ୍ୟରେ ମେ’ ୧୩ରୁ ଜୁନ୍ ୧ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ଓ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ। ଆଜିଠୁ ସମଗ୍ର ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି ଯେ, ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ।ଓଡ଼ିଶାରେ ଚତୁର୍ଥ, ପଂଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।ରାଜ୍ୟରେ ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶରେ ଚତୁର୍ଥ ପର୍ଯ୍ୟାୟ)ରେ ୪ଟି ଲୋକସଭା ଆସନ ଯଥା- କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ସମେତ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ଏପ୍ରିଲ ୧୮ତାରିଖରେ ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ ୨୫ତାରିଖରେ ନାମାଙ୍କନ ପତ୍ର ଦାଖଲ ଶେଷଦିନ ରହିଛି । ଏପ୍ରିଲ ୨୬ରେ ନାମାଙ୍କନ ପତ୍ର ଯାଂଚ, ଏପ୍ରିଲ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ମେ’ ୧୩ତାରିଖରେ ହେବ ।ସେହିପରି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ(ସମଗ୍ର ଦେଶରେ ପଂଚମ ପର୍ଯ୍ୟାୟ)ରେ ୫ଟି ଲୋକସଭା ଆସନ ଯଥା- ବରଗଡ଼,ସୁନ୍ଦରଗଡ଼,ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ନିର୍ବାଚନମଣ୍ଡଳୀ ସମେତ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ଏପ୍ରିଲ ୨୬ତାରିଖରେ ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ମେ’ ୩ତାରିଖରେ ନାମାଙ୍କନ ପତ୍ର ଦାଖଲ ଶେଷଦିନ ରହିଛି । ମେ’ ୪ରେ ନାମାଙ୍କନ ପତ୍ର ଯାଂଚ, ମେ’ ୬ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ମେ’ ୨୦ତାରିଖରେ ହେବ ।ସେହିପରି ରାଜ୍ୟରେ ତୃତୀୟ ପର୍ଯ୍ୟାୟ(ସମଗ୍ର ଦେଶରେ ଷଷ୍ଠ ପର୍ଯ୍ୟାୟ)ରେ ୬ଟି ଲୋକସଭା ଆସନ ଯଥା- ସମ୍ବଲପୁର,କେନ୍ଦୁଝର,ଢେଙ୍କାନାଳ,କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ସମେତ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ଏପ୍ରିଲ ୨୯ତାରିଖରେ ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ମେ’ ୬ତାରିଖରେ ନାମାଙ୍କନ ପତ୍ର ଦାଖଲ ଶେଷଦିନ ରହିଛି । ମେ’ ୭ରେ ନାମାଙ୍କନ ପତ୍ର ଯାଂଚ, ମେ’ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ ହୋଇଛି । ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ମେ’ ୨୫ତାରିଖରେ ହେବ । ସେହିପରି ସେହିପରି ରାଜ୍ୟରେ ଶେଷ ପର୍ଯ୍ୟାୟ(ସମଗ୍ର ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ)ରେ ୬ଟି ଲୋକସଭା ଆସନ ଯଥା- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରର ଲୋକସଭା ନିର୍ବାଚନମଣ୍ଡଳୀ ସମେତ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ମେ’ ୭ତାରିଖରେ ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ମେ’ ୧୪ତାରିଖରେ ନାମାଙ୍କନ ପତ୍ର ଦାଖଲ ଶେଷଦିନ ରହିଛି । ମେ’ ୧୫ରେ ନାମାଙ୍କନ ପତ୍ର ଯାଂଚ, ମେ’ ୧୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ ହୋଇଛି । ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜୁନ ୧ତାରିଖରେ ହେବ ।ଲୋକସଭାର ୫୪୩ ଆସନ ପାଇଁ ଭୋଟିଂ ପ୍ରକ୍ରିୟା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ ୧ ଯାଏ ଚାଲିବ। ୭ଟି ପର୍ଯ୍ୟାୟରେ ଦେଶବାସୀ ମତଦାନ କରି ପରବର୍ତ୍ତୀ ସରକାର ବାଛିବେ। ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିବା ବେଳେ ୫୪୩ ବଦଳରେ ୫୪୪ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ ବୋଲି କହିଛନ୍ତି। ଏହାର ଅର୍ଥ ନୁହେଁ ଯେ ଅତିରିକ୍ତ ଭାବେ ଗୋଟିଏ ନିର୍ବାଚନ ମଣ୍ଡଳୀ ପାଇଁ ଲୋକସଭା ନିର୍ବାଚନ ହେବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ୫୪୪ ଓ ୫୪୩ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି। ସେ କହିଛନ୍ତି ଯେ ମଣିପୁରରେ ୨ଟି ଲୋକସଭା ଆସନ ରହିଛି। ଏହା ମଧ୍ୟରୁ ଗୋଟିଏ ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ ହେବ। ତେଣୁ ମୋଟ ଉପରେ ଲୋକସଭା ଆସନ ସଂଖ୍ୟାକୁ ୫୪୪ ଭାବେ ବିବେଚନା କରାଯାଇଛି। ମଣିପୁରର ୨ଟି ଆସନ ପାଇଁ ଏପ୍ରିଲ ୧୯ରେ ପ୍ରଥମେ ମତଦାନ ହେବ। ଏହାପରେ ଗୋଟିଏ ଆସନ କିଛି ସ୍ଥାନରେ ଏପ୍ରିଲ ୨୬ରେ ଲୋକମାନେ ମତଦାନ କରିବେ। ଇନର ମଣିପୁର ଓ ଆଉଟର ମଣିପୁରର କିଛି ଅଂଶରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧୯ରେ ଭୋଟ ହେବ। ଏହାପରେ ୨ୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୬ରେ ଆଉଟର ମଣିପୁରର ଆଉ କିଛି ଅଂଶରେ ମତଦାନ ଗ୍ରହଣ କରାଯିବ। ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଆଉଟର ମଣିପୁରର ଲୋକମାନେ ବିସ୍ଥାପିତ ହୋଇ ରହିଛନ୍ତି। ତେଣୁ ଗୋଟିଏ ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ ହେବ। ଇନର ମଣିପୁରରେ ବିଜେପି ସାଂସଦ ରହିଥିବା ବେଳେ ଆଉଟର ମଣିପୁରରୁ ନାଗା ପିପୁଲ୍ସ ଫ୍ରଣ୍ଟ ୨୦୧୯ରେ ଜିତିଥିଲା। ଆଉଟର ମଣିପୁର ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ହୋଇ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହିଂସା ଯୋଗୁ କ୍ୟାମ୍ପରେ ରହୁଥିବା ଲୋକମାନେ ମଧ୍ୟ ଭୋଟ ଦେବାର ଅଧିକାର ପାଇବେ। ସେମାନଙ୍କ ପାଇଁ କ୍ୟାମ୍ପ ନିକଟରେ ମତଦାନର ସୁବିଧା କରାଯିବ। ରାଜୀବ କୁମାର କହିଛନ୍ତି, “ଆମେ ଭୋଟ ଦାନ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବୁ। ଆମେ ଗୋଟିଏ ଯୋଜନା ଲାଗୁ କରିବୁ। ଏହାଦ୍ୱାରା କ୍ୟାମ୍ପରେ ରହୁଥିବା ଲୋକମାନେ କ୍ୟାମ୍ପରୁ ହିଁ ଭୋଟ ଦେବେ। ଜମ୍ମୁ-କଶ୍ମୀରର ଶରଣାର୍ଥୀଙ୍କ ପାଇଁ ଯେଉଁଭଳି ଯୋଜନା ହୋଇଛି, ଠିକ ଅନୁରୂପ ଯୋଜନା ମଣିପୁରରେ ଲାଗୁ କରାଯିବ।” ସରକାରୀ ତଥ୍ୟ ଅନୁଯାୟୀ, ହିଂସା ଯୋଗୁ ପ୍ରାୟ ୫୦ ହଜାର ଲୋକ ନିଜ ନିଜର ଘର ଛାଡ଼ି କ୍ୟାମ୍ପରେ ରହୁଛନ୍ତି।ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୋଟ ଗ୍ରହଣ ଯେପରି ଶାନ୍ତି ଶୃଙ୍ଖଲା ସହ ନିରପେକ୍ଷ ହେବ ସେନେଇ ଗୁରୁତ୍ୱ ଦିଆଯାଇଛି ।