୩ ଗରିବ ମେଧାବିଙ୍କ ନାମଲେଖାରେ ଆର୍ଥିକ ସାହାଯ୍ୟର ହାତ ବଢାଇଲା ମୂଲିଆ ସ୍ମାରକୀ…

ଭଞ୍ଜନଗର/ବେଲଗୁଣ୍ଠା (ସମୃଦ୍ଧ ଓଡିଶା) ଆର୍ଥିକ ସ୍ଵଛଳତା ନ ଥିବା ଯୋଗୁଁ କଲେଜରେ ନାମଲେଖାଇ ନ ପାରି ପାଠ ପଢ଼ାର ଡୋରି ବାନ୍ଧିବାକୁ ବସିଥିବା ବେଲଗୁଣ୍ଠା ସହରର ତିନିଜଣ ଗରିବ ମେଧାବୀଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବେଲଗୁଣ୍ଠା ମୂଲିଆ ସାହୁ ସ୍ୱାରକି ଆର୍ଥିକ ସାହାଯ୍ୟର ହାତ ବଢ଼ାଇବା ସହ ମେଧାବୀଙ୍କ ମନୋବଳ ବୃଦ୍ଧି ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛି । ସୋମବାର ଦିନ ସ୍ଥାନୀୟ ଜି.ଟି.ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ପାଢ଼ୀ, ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ପଲକ, ଓଡିଶା ହାଇକୋର୍ଟ ଯୁବ ଆଇନ ଜୀବୀ ତଥା ମୂଲିଆ ସ୍ୱାରକି ପ୍ରତିଷ୍ଠାତା ସଭ୍ୟ ଓମ ପ୍ରକାଶ ସାହୁ, ମିଡ଼ିଆ କ୍ଲବ ସଭାପତି ତଥା ମୂଲିଆ ସ୍ୱାରକି ପ୍ରତିଷ୍ଠାତା ସଭ୍ୟ ଏଲ.ସତୀଶ ରେଡ୍ଡୀ ଓ ଜି.ଟି.ହାଇସ୍କୁଲର ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୮୬.୫ ପ୍ରତିଶତ ମାର୍କ ରଖିଥିବା ବେଲଗୁଣ୍ଠା ଜି.ଟି. ହାଇସ୍କୁଲର ଛାତ୍ର ପ୍ରବୀଣ କୁମାର ବେହେରା, ୭୦ ପ୍ରତିଶତ ମାର୍କ ରଖିଥିବା ସଞ୍ଚିତା ବେହେରା ଓ ପ୍ରଥମ ଶ୍ରେଣୀରେ ପାସ କରିଥିବା ଗାୟତ୍ରୀ ଜେନାଙ୍କୁ ଅତିଥି ମାନେ ନଗଦ ୮ହଜାର ଟଙ୍କା ଲେଖାଏଁ ସହାୟତା ରାଶି ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବେଲଗୁଣ୍ଠା ଗୋପୀନାଥ ସାହି ନିଵାସୀ ତଥା ସମ୍ପ୍ରତି ଆମେରିକାର କାଲିଫର୍ନିଆ ସହରରେ ରହୁଥିବା ପ୍ରବାସୀ ଓଡ଼ିଆ ଦାମୋଦର ସାହୁ ନିଜ ସ୍ୱର୍ଗତ ବାପା ମୂଲିଆ ସାହୁଙ୍କ ସ୍ମୃତିରେ ନିଜସ୍ୱ ପାଣ୍ଠିରେ ମୂଲିଆ ସ୍ୱାରକି ଗଠନ କରି ବେଲଗୁଣ୍ଠାର ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସାହାଯ୍ୟ କରିବାର ମହତ ପ୍ରୟାସକୁ ପୂର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ପାଢ଼ୀ ତଥା ଅନ୍ୟାନ୍ୟ ଅତିଥି ମାନେ ଭୁୟସୀ ପ୍ରଶଂସା କରିଥିଲେ । ମୂଲିଆ ସ୍ୱାରକି ତରଫରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ହାତଳୁ ନିଆଯାଇଥିବା ବେଳେ ଆଗାମୀ ବର୍ଷ ଗୁଡିକରେ ମଧ୍ୟ ଏହା ଜାରି ରହିବ ବୋଲି ମୂଲିଆ ସ୍ୱାରକି ପ୍ରତିଷ୍ଠାତା ଦାମୋଦର ସାହୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି । କିଛି ଦିନ ମଧ୍ୟରେ ବେଲଗୁଣ୍ଠା ସହରର ବିଭିନ୍ନ ବିଦ୍ୟାଳୟର ମେଧାବୀ ଛାତ୍ର ଛାତ୍ରୀଙ୍କ ମଧ୍ୟ ମୂଲିଆ ସ୍ୱାରକି ତରଫରୁ ପୁରସୃତ କରାଯିବ ବୋଲି କୋର ଟିମ ତରଫରୁ କୁହାଯାଇଛି ।