୩ ଅଙ୍ଗନୱାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ଦାବି ନେଇ ୮ ଦିନ ହେଲା ଚାଲିଛି ବିକ୍ଷୋଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନାର ପ୍ରଥମ ଲହରରେ ଜୀବନକୁ ବାଜି ଲଗାଇ ନିଷ୍ଠାପର ଭାବେ କାର୍ଯ୍ୟକରି ଆସିଥିବା ତିନିଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରଶାସନ ପକ୍ଷରୁ ବହିଷ୍କାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଛତ୍ରପୁର ବ୍ଲକ ପକ୍ଷରୁ ୩ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ୬୦ ବର୍ଷ ବୟସରେ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ଏ ନେଇ ଛତ୍ରପୁର ବ୍ଲକ୍ ଅଫିସ ପରିସରସ୍ଥ ସିଡିପିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ ୮ ଦିନ ହେଲା ଧାରଣା ଚାଲିଛି । ଦାବୀ ପୂରଣ ନ ହେବାରୁ ପୁଣି ମଙ୍ଗଳବାର ନବମ ଦିନରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି । କରାପଲ୍ଲୀ-୧ ଅଙ୍ଗନୱାଡି କେନ୍ଦ୍ରର କେ.କମଳା, ଟାଙ୍ଗଣାପଲ୍ଲୀ-୨ କେନ୍ଦ୍ରର ମଞ୍ଜୁମାଳା ପଣ୍ଡା ଓ ଚମାଖଣ୍ଡି-୧ କେନ୍ଦ୍ରର ଗିରିଜା ଗୌଡଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଛି । ରାଜ୍ୟ ସରକାରଙ୍କ ନିୟମ ପ୍ରକାରେ ୬୦ ବର୍ଷରୁ ଅବସର ୨ ବର୍ଷ ବୃଦ୍ଧି ପାଇ ୬୨ ବର୍ଷ ଧାର୍ଯ୍ୟ ହୋଇଛି । ହେଲେ ଏହି କର୍ମୀଙ୍କ ୬୦ ବର୍ଷ କାର୍ଯ୍ୟକାଳକୁ ହିସାବକୁ ନେଲେ ଦୀର୍ଘ ୧ ବର୍ଷ ପରେ ହଠାତ୍‌ ଏମାନଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିବା ପାଇଁ ଚିଠି କରାଯାଇଛି । ସେମାନେ ୨ ବର୍ଷ ଚାକିରି ବୃଦ୍ଧି ପାଇ ସମସ୍ତ ପ୍ରକାର ସର୍ତ୍ତାବଳୀ ସହ ମେଡିକାଲ ଫିଟ୍-ନେସ ସାର୍ଟିଫିକେଟ ସହ ସମସ୍ତ ପ୍ରକାର ଆବଶ୍ୟକୀୟ କାଗଜ ପତ୍ର ଦାଖଲ ପରେ ମଧ୍ୟ ପ୍ରଶାସନ ସେହି ତିନିଜଣଙ୍କୁ ପୁନଃ-ନିଯୁକ୍ତି ଦେଇ ନାହିଁ । ବହିଷ୍କୃତ ୩ ଜଣ କର୍ମୀଙ୍କୁ କାର୍ଯ୍ୟରେ ନିୟୋଜିତ ପାଇଁ ପଦକ୍ଷେପ ନେବାକୁ ସିଡିପିଓଙ୍କ କାର୍ଯ୍ୟାଳୟରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ହଜାର ହଜାର ଅଙ୍ଗନୱାଡ଼ି କର୍ମୀଙ୍କ ସହ ସହକାରୀ କର୍ମୀ ଏଆଇଟିଉସିର ସହଯୋଗରେ ବିକ୍ଷୋଭ ପ୍ରଦର୍ଶନ ଜାରୀ ରହିଛି । ଦିନ ରାତି ତମାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଖରା, ବର୍ଷାକୁ ଖାତିର ନ କରି ଧାରଣାସ୍ଥଳରୁ ହିଁ ଖାଇପିଇ ନିଜର ଦାବୀ ମୁତାବକ ସଫଳତା ପାଇବା ପାଇଁ ଧାରଣାରେ ବସି ରହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା